ବଲାଣି,୧/୮(ଶିବାଶିଷ ନନ୍ଦ) - କେନ୍ଦୁଝର ଜିଲା ସୀମାନ୍ତ ବଲାଣି ଥାନା କ୍ଷେତ୍ରରେ ମାତିଛନ୍ତି ଗୋରୁ ମାଫିଆ । ରାତି ଅଧରେ ଅବାଧରେ ପ୍ରବେଶ କରି ବୋଲେରୋ ଭଳି ଯାତ୍ରୀ ବାହୀ ହାଲୁକା ଯାନରେ ରାସ୍ତା କିମ୍ବା ରାସ୍ତା କଡରେ ରାତ୍ରିଯାପନ କରୁଥିବା ଗାଈ ଗୋରୁଙ୍କୁ ଟାର୍ଗେଟ କରୁଛନ୍ତି ଗୋରୁ ମାଫିଆ । ସେହି ପରି ଗୁରୁବାର ବିଳମ୍ବିତ ରାତିରେ ଏକ ବୋଲେରୋ ରେ ଗୋରୁ ଚାଲାଣ କରୁଥିବା ବେଳେ ବଲାଣି ପୁଲିସ ହାବୁଡାରେ ପଡିଛନ୍ତି । ତେବେ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିବା ପୁଲିସ କହିଛି । ସୂଚନାନୁସାରେ ଗୁରୁବାର ବିଳମ୍ବିତ ରାତିରେ ବଲାଣି ପୁଲିସ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ମାଟକାମବେଡା ଔଦ୍ୟୋଗିକ କ୍ଷେତ୍ରର ଆରୟା କାରଖାନା ର ୨ନମ୍ବର ଫାଟକ ରେ ପ୍ରବଳ ଜାମ ଲାଗିଥିଲା । ଏହି ଜାମରେ ପୁଲିସ ପେଟ୍ରୋଲିଂ ଗାଡି ମଧ୍ୟ ଅଟକି ରହିଥିଲା । ତେବେ ପୁଲିସ ଗାଡି ଆଗରେ ଥିବା ଗୋରୁ ଵୋଝେଇ ବୋଲେରୋ ମଧ୍ୟ ଅଟକି ରହିଥିଲା । ତେବେ ପଛରେ ପୁଲିସ ରହିଥିବା ଜାଣି ଗୋରୁ ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ବଲାଣି ପୁଲିସ ଉକ୍ତ ଗାଡି ଯାଞ୍ଚ କରିବା ପରେ ବୋଲେରୋ ଗାଡ଼ିରେ ୨ଟି ଗୋରୁ ବୋଝେଇ ହୋଇଥିବା ଜାଣି ଉକ୍ତ ଗାଡିକୁ ଜବତ କରିଥିଲେ ହେଁ ଘଟଣାସ୍ଥଳରୁ ଗୋରୁ ମାଫିଆ ଫେରାର ହେବାକୁ ସକ୍ଷମ ହୋଇଥିଲେ । ପୁଲିସ ଜବତ ଗାଡିକୁ ବଲାଣି ଥାନା ପରିସରକୁ ଆଣିବା ପରେ ଉକ୍ତ ବୋଲେରୋରୁ ଗୋଟିଏ ମୃତ ବଳଦ ଜବତ କରିବା ସହିତ ଗୋଟିଏ ଗାଈକୁ ଜୀବିତ ଅବସ୍ଥାରେ ଜବତ କରିଛି । ଏ ନେଇ ବଲାଣି ପୁଲିସ ପକ୍ଷରୁ ପ୍ରାଣୀ ଚିକତ୍ସାଧିକାରୀଙ୍କୁ ସୂଚନା ଦିଆଯାଇଥିବା ବେଳେ ମୃତ ବଳଦର ବ୍ୟବଚ୍ଛେଦ ହେବା ସହିତ ଜୀବିତ ଗାଈର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ବଲାଣି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ବଲାଣି ଅଞ୍ଚଳରୁ ଗୋରୁ ଚାଲାଣ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଗାଡିର କାଗଜ ପତ୍ର ଯାଞ୍ଚ ସହିତ ଉକ୍ତ ଘଟଣାର ତଦନ୍ତ କରି ମାଫିଆଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।