Latest News

ପଳାସପଙ୍ଗା-ବାମେବାରୀ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କଣ୍ଡରାପଶି ପଞ୍ଚାୟତବାସୀ : ରାସ୍ତା ନିର୍ମାଣ ନ ହେଲେ ଟ୍ରକ ଚଳାଚଳ ବନ୍ଦ ସହିତ ଭୋଟ ବର୍ଜନ ନିଷ୍ପତ୍ତି

Apr 10, 2024
Odishakhabar:Champua-kendujhar-322

 ଚମ୍ପୁଆ, ୧୦/୦୪ (ତ୍ରିନାଥ ମହାନ୍ତ) ଓଡିଶାର କୁବେର ପୁରୀ କୁହାଯାଉଥିବା କେନ୍ଦୁଝର ଜିଲ୍ଲାରେ ରାସ୍ତା ଘାଟର ଅବସ୍ଥା ତଥା କଥିତ ବିକାଶର ବିକଳ ଚିତ୍ରକୁ ପଦାରେ ପକାଇଛି। ରାସ୍ତା ଘାଟର ଦୁରାବସ୍ଥା ଓ ଦୟନୀୟ ଅବସ୍ଥା କାରଣରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରତି ମୁହୂର୍ତ୍ତରେ ଲୋକେମାନେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ସେହିପରି ପଳାଶପଙ୍ଗା - ବାମେବାରୀ ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ମାନେ ମଧ୍ୟ ଦିନେ ଖୁସିରେ ଯିବା ଆସିବା କରୁଥିଲେ। ଏହି ରାସ୍ତାରେ ଖଣି ଖାଦାନରୁ ଲୁହାପଥର ପରିବହନ ଲାଗି ରାଜପଥର ମାନ୍ୟତା ପାଇଲା ପରେ କ୍ରମେ ଲୋକଙ୍କ ସମସ୍ୟା ବଢିଲା। ପୂର୍ବରୁ ତିଆରି କରାଯାଇ ଥିବା ରାସ୍ତା ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି। ଟୋଲ୍ ଗେଟରେ ଟଙ୍କା ଆଦାୟ କରାଯାଉଛି କିନ୍ତୁ ସେ ଅର୍ଥରେ ରାସ୍ତାର ନବୀକରଣ ହେଉନି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଟ୍ରକ୍ ଲୁହା ପଥର ନେଇ ଯିବାଆସିବା କରୁଥିବା ବେଳେ ବହୁ ସଂଖ୍ୟାରେ ଟ୍ରକ ବ୍ରେକଡାଉନ ହେବା କାରଣରୁ ରାସ୍ତାର ଉଭୟ ପାର୍ଶ୍ଵରେ ପ୍ରବଳ ଜାମ ଲାଗି ହଜାର ହଜାର ଟ୍ରକ୍ ଠିଆ ହୋଇ ରହୁଛନ୍ତି। ତେଣୁ ଏହି ରାସ୍ତାରେ ସାଧାରଣ ଜୀବନ ଯାତ୍ରା ଅସହ୍ୟ ହୋଇ ପଡୁଛି। ଏହି ରାସ୍ତାର ପୁନଃ ମରାମତି ତ ଦୂର କଥା ଦୀର୍ଘ ବର୍ଷରୁ ମାଟି ମୁଠାଏ ମଧ୍ୟ ପଡି ନାହିଁ। ଫଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଛି। ଜରୁରୀ ସମୟରେ ଆମ୍ବୁଲାନ୍ସ କିମ୍ବା ଅଟୋ ଟିଏ ମଧ୍ୟ ଠିକ ସମୟରେ ପହଞ୍ଚି ପାରୁ ନ ଥିବାରୁ ଲୋକମାନେ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ଦୈନିକ ଉଡୁଥିବା ଧୂଳି, ଧୂଆଁ ରେ ଅତିଷ୍ଠ ହୋଇ ପଡୁଛନ୍ତି ଲୋକେ। ଯାହାକୁ ନେଇ କଣ୍ଡରାପଶି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ବହୁବାର ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରତିକାର ପାଇଁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ବିଭିନ୍ନ ଖଣି ମାଲିକ ଏବଂ ସ୍ଥାନୀୟ କାରଖାନା କର୍ତୃପକ୍ଷ ଙ୍କୁ ଡକାଇ ରାସ୍ତାର ଉନ୍ନତି କରଣ ହେବ ବୋଲି କହିବା ସହିତ ରାସ୍ତା କାମ ସରିବା ଯାଏ ନିୟମିତ ରାସ୍ତା ଉପରେ ଧୂଳି, ଧୂଆଁ ନ ଉଡ଼ିବାକୁ ପାଣି ଟାଙ୍କି ଦ୍ୱାରା ଜଳ ସିଞ୍ଚନ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଥିଲା । ହେଲେ କୌଣସି ପ୍ରତିଶ୍ରୁତି ପୂରଣ ନ ହେବାରୁ କଣ୍ଡରାପଶି ପଞ୍ଚାୟତର ପୁରୁଷ, ମହିଳା ମିଳିତ ଭାବରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ଅଭିଯୋଗ ଅନୁସାରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା କାମ ୨୪ ଘଣ୍ଟା ଭିତରେ ଆରମ୍ଭ କରିବାକୁ ଦାବି ଜଣାଇଛନ୍ତି। ଅନ୍ୟଥା ସ୍ଥାନୀୟ ଜନସାଧାରଣ ରାସ୍ତାରେ ଟ୍ରକ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବେ ବୋଲି ଦାବୀ ପତ୍ରରେ ଉଲେଖ କରିବା ସହିତ ପଳାସପଙ୍ଗା - ବାମେବାରୀ ରାସ୍ତା ତୁରନ୍ତ ମରାମତି କରା ନ ଗଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ଚରମବାଣୀ ଶୁଣାଇଛନ୍ତି। 

Related Post