ଚମ୍ପୁଆ, ୨୮/୦୬(ତ୍ରିନାଥ ମହାନ୍ତ) ଚମ୍ପୁଆ ସଦର ମହକୁମା ଓ ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଆନନ୍ଦ ଓ ହର୍ଷୋଲ୍ଲାସର ସହ ପାଳିତ ହୋଇ ଯାଇଛି। ଚମ୍ପୁଆ ସଦର ମହକୁମାରେ ଦେବୋତ୍ତର ବିଭାଗ ତରଫରୁ ଶ୍ରୀ ଦଧିବାମନ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଚଂପୁଆ ସଦର ମହକୁମା ସ୍ଥିତ ଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି ଓ ପୂଜା ସମାପନ ପରେ ଅପରାହ୍ନ ସାଢେ଼ ତିନି ଘଟିକାରୁ ପହଣ୍ଡି ଆରମ୍ଭ ହୋଇଥିଲା। ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ମାନେ ରଥାରୂଢ଼ କରିଥିଲେ। ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ରଥରେ ଛେରା ପହଁରା କରିଥିଲେ। ଅପରାହ୍ନ ପାଞ୍ଚ ଟାରେ ରଥଟଣା ଆରମ୍ଭ ହୋଇ ସଂଧ୍ୟା ସାତଟା ସମୟରେ ମାଉସୀ ମା ମନ୍ଦିର ନିକଟରେ ରଥ ପହଁଚିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଓ ପୂଜା କାର୍ଯ୍ୟ ପୂଜକ ସତ୍ୟନାରାୟଣ ମିଶ୍ର, ବିପିନ ମିଶ୍ର, ଚମ୍ପେଶ୍ୱର ମିଶ୍ରଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ମନ୍ଦିର କମିଟିର ସଦସ୍ୟ ଧୀରେନ୍ ଦାସ, ଧୀରଜଲାଲ ଚାଉଡା, ଅରୁଣ ପତି, ସତ୍ୟବାନ କରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ରଥ ଟଣା ଆରମ୍ଭ ହେଉଣୁ ରଥରେ ଯୋଚା ଯାଇଥିବା ଘୋଡା ଗୁଡିକ ମଧ୍ୟରୁ ଧଳା ଘୋଡା ଗୁଡିକ ରଥରୁ ଖସି ତଳେ ପଡି ଯାଇଥିଲେ । ଫଳରେ କିଛି ସମୟ ପାଇଁ ରଥ ଟଣା ବାଧାପ୍ରାପ୍ତ ହୋଇଥିଲା। ଘୋଡା ଗୁଡିକୁ ପୁଣି ଥରେ ରଥରେ ଯୋଚି ସାରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ କିଛି ବାଟ ଯିବା ପରେ ରଥ ଚକରେ ପୁଣି ସମସ୍ୟା ଦେଖାଦେବାରୁ ରଥ ଅଧା ବାଟରେ ଅଟକି ରହିଥିଲା। ବାରମ୍ବାର ରଥ ଟଣାରେ ସମସ୍ୟା ଦେଖା ଦେବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଦେବୋତ୍ତର ବିଭାଗ ପକ୍ଷରୁ ପୁରୁଣା ରଥ କାଠ ରେ ନୂଆ କାଠ ମିଶାଇ ରଥ ନିର୍ମାଣ କରାଯାଇଥିଲେ ହେଁ ରଥ ନିର୍ମାଣ ସମୟରେ ଉଚିତ୍ ତଦାରଖ ର ଅଭାବ ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ନେଇ ଭକ୍ତ ମହଲରେ ଅଭିଯୋଗ ହେଉଛି। ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଚମ୍ପୁଆ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।