ଚମ୍ପୁଆ, ୦୧/୦୭ (ତ୍ରିନାଥ ମହାନ୍ତ) ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ତଡୁଆବାହାଳ ନିକଟରେ ଏକ ଅଜଣା ଟ୍ରକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଯୋଡ଼ା ଥାନା ବିଲେଇପଦା କାରଣସାହିର ଜଗନ୍ନାଥ ମଲ୍ଲିକଙ୍କ ପୁଅ ନିରଞ୍ଜନ ମଲ୍ଲିକ (୩୩) ଓ ଦାମପୁର ଅଞ୍ଚଳର ଶିରିଶ ମହାକୁଡଙ୍କ ପୁଅ ସଚିନ ମହାକୁଡ଼ (୧୯ )। ଟ୍ରକ ଚଢିଯିବାରୁ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କଣ୍ଡରା ଅଞ୍ଚଳର ମୁନା ମହାକୁଡ଼ଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ସେଠାରୁ ଫେରାର ହୋଇଯାଇଛି । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।