Latest News

ଭାରୀ ଯାନ ଚଳାଚଳ ଉପରେ ଅଙ୍କୁଶ ନାହିଁ : ଓଲଟିଲା ଲୁହାପଥର ବୋଝେଇ ଟ୍ରକ !

Jun 01, 2025

ଚମ୍ପୁଆ,୧ ଜୁନ( ଲିଙ୍ଗରାଜ ମହାନ୍ତ) -ସାତକୁଟୁଣିଆ- ତୁରୁମୁଙ୍ଗା ରାସ୍ତା ର ଜ୍ୟୋତିପୁର ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଗାଡି ଓଲଟିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ  ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ (ଗାଡି ନଂ ଓଡି୦୯ ଭି୧୬୧୫) ଭାରସ୍ୟାମ ହରାଇ ଜ୍ୟୋତିପୁର ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡିଟି ଓଲଟିବା  ଯୋଗୁଁ ରାସ୍ତା କଡ ରେ ଥିବା ସୁରକ୍ଷା ବାଡ ଓ ଲାଗିଥିବା ଗଛ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ କି ପୂର୍ତ୍ତି ବିଭାଗ ଅଧୀନସ୍ଥ ଚମ୍ପୁଆ ର ସାତକୁଟୁଣିଆ - ତୁରୁମୁଙ୍ଗା  ରାସ୍ତାରେ ଭାରୀଯାନ ଚଳାଚଳ ନିଷିଦ୍ଧ ଥିବା ବେଳେ ଦୈନିକ ବହୁ ସଂଖ୍ୟାରେ ଖଣିଜ ବୋଝେଇ ଭାରୀଯାନ ଗୁଡିକ ଚଳାଚଳ କରୁଛନ୍ତି । ଉପଖଣ୍ଡ ସାଧାରଣ ଓ ପୁଲିସ ପ୍ରଶାସନ ର ନାକତଳେ ଏହି କାରବାର ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । କିଛି ଦିନ ତଳେ ଏହି ରାସ୍ତାଟିର ପ୍ରଶସ୍ତିକରଣ ସହ ମରାମତି କାର୍ଯ୍ୟ ହୋଇଥିବା ବେଳେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାଟି ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଏହି ରାସ୍ତା ରେ ଭାରୀଯାନ ଚଳାଚଳ ବନ୍ଦ କୁ କଡାକଡି କରାଯିବା ପାଇଁ ଦାବୀ ହେଉଛି ।

Related Post