Latest News

ଉଖୁଣ୍ଡା ସେକ୍ସନରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି : ଭାଙ୍ଗିଲେ ୫ଘର : ଖାଇଦେଲେ ବାହାଘର ରାସନ ସାମଗ୍ରୀ

Jun 19, 2025
Odishakhabar:

 ଚମ୍ପୁଆ, ୧୯/୦୬ (ତ୍ରିନାଥ ମହାନ୍ତ) ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ଗତ କିଛି ଦିନ ଧରି ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ହାତୀପଲ ଅଞ୍ଚଳ ଛାଡ଼ି ଯିବାର ନାଁ ଧରୁ ନାହାଁନ୍ତି । ହାତୀପଲ ଭୋରରୁ ନଦୀ ପାର ହୋଇ ମୟୂରଭଞ୍ଜ ପଟକୁ ପଳାଇବା ସହ ସନ୍ଧ୍ୟା ହେଲେ ପୁଣି ଉଖୁଣ୍ଡା ସେକ୍ସନକୁ ଲେଉଟି ଉପଦ୍ରବ କରୁଛନ୍ତି । ହାତୀପଲ ବିଭିନ୍ନ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି । ରାତି ହେଲେ ଏହି ହାତୀପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ଜନବସତି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଗ୍ରାମାଞ୍ଚଳ ଗୁଡ଼ିକରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗତ ରାତି ଏହି ହାତୀପଲ ରେଙ୍ଗାଳଗୋଡା ଗ୍ରାମରେ ଦୁଇଟି ଓ ପଦ୍ମପୁର ଗ୍ରାମରେ ତିନୋଟି ମୋଟ ପାଞ୍ଚଟି ଘର ଭାଙ୍ଗିଛନ୍ତି । ହାତୀପଲ ରେଙ୍ଗାଳ ଗୋଡା ଗ୍ରାମର ମନୋଜ ମୁଣ୍ଡା ଓ ପ୍ରମିଳା ମୁଣ୍ଡାଙ୍କ ଘର ସହ ପଦ୍ମପୁର ଗ୍ରାମର ଅନିରୁଦ୍ଧ ନାଏକ, ସାବିତ୍ରୀ ମହାପାତ୍ର ଓ ଦ୍ଵିତିକୃଷ୍ଣ ନାଏକଙ୍କ ଘରଭାଙ୍ଗି ଧାନଚାଉଳ ଖାଇ ଯାଇଛନ୍ତି । ଆସନ୍ତାକାଲି ଦ୍ୱିତିକୃଷ୍ଣଙ୍କ ଝିଅ ବିଭାଘର ଥିବା ବେଳେ ସେ ବିଭାଘର ପାଇଁ ଘରେ ରଖିଥିବା ରାସନ ସାମଗ୍ରୀ ମଧ୍ୟ ହାତୀପଲ ଝରକା ଭାଙ୍ଗି ଖାଇଯାଇଥିବା ଜଣାପଡିଛି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ ହାତୀପଲଙ୍କୁ ନିୟନ୍ତ୍ରଣ କରିବାରେ ଓ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ନେଇ ଅଭିଯୋଗ ହେଉଛି। ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ବନବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାରେ ସମର୍ଥ ହୋଇ ପାରୁନାହିଁ । ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ ବନରକ୍ଷୀ ସାଗରିକା ବେଜ୍ ଓ ହାତୀସ୍କ୍ବାର୍ଡ ଙ୍କ ସହିତ ପ୍ରଭାବିତ ଗ୍ରାମ ଗୁଡିକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଘର ମାଲିକଙ୍କୁ ବିଭାଗୀୟ ସହାୟତା ଯୋଗାଇ ଦେବାକୁ ସାନ୍ତ୍ବନା ପ୍ରଦାନ କରିଛନ୍ତି।

Related Post