ବଲାଣି,୭/୧ - ଯୋଡ଼ା ବ୍ଲକ ଅନ୍ତର୍ଗତ ବାଲାଗୋଡ଼ା ପଞ୍ଚାୟତ ର ଶାନ୍ତି ନଗର ରେ ଥିବା ହନୁମାନ ମନ୍ଦିରର ବିକାଶ ନିମନ୍ତେ ବ୍ଲକ ପକ୍ଷରୁ ୭ ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଉକ୍ତ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ଲୋକେ ଓ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି । କାର୍ଯ୍ୟର ସମସ୍ତ ସୂଚନା ଲୋକଙ୍କୁ ଅବଗତ କରାଇବା ପାଇଁ କାର୍ଯ୍ୟହେଉଥିବା ସ୍ଥାନରେ ପ୍ରାଞ୍ଜଳ ଭାବେ ପରିଲିକ୍ଷିତ ହେବା ସ୍ଥାନରେ ସୂଚନା ଫଳକ ଲଗାଇବାର ନିୟମ ଥିଲେ ସୁଦ୍ଧା ଏହି କାର୍ଯ୍ୟର ସୂଚନା ଫଳକ ଲୋକଙ୍କ ଠାରୁ ଲୁଚାଇ ମନ୍ଦିରର ପାଚେରୀ ପାର୍ଶ୍ଵରେ ଲଗାଯାଇଥିବାରୁ ସୂଚନା ଫଳକ ଦୃଶ୍ୟମାନ ହେଉନାହିଁ । ବ୍ଲକ ଅନୁଦାନରେ ହନୁମାନ ମନ୍ଦିରରେ ପେଭର ବ୍ଲକ ଓ ଟାଇଲ ବିଛାଇବା କାର୍ଯ୍ୟ କରାଯାଉଥିବା ବେଳେ ପେଭର ବ୍ଲକ ବିଛାଇବା ସମୟରେ କାର୍ଯ୍ୟାଦେଶ ଅନୁଯାୟୀ ତଳେ ସଠିକ ମାତ୍ରାରେ ବାଲି ବିଛା ଯାଇନଥିବାରୁ ପେଭର ବ୍ଲକ ବିଛାଇବା କାର୍ଯ୍ୟ ସମ୍ପାଦନ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ପେଭର ବ୍ଲକ ଦବି ଯାଇଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ଟାଇଲ ବିଛାଇବା କାର୍ଯ୍ୟରେ ଟାଇଲ ଗୁଡିକ ସମାନ୍ତର ଭାବେ ବିଛା ଯାଇନଥିବାରୁ ଦେଖିବାକୁ ଅସୁନ୍ଦର ଲାଗିବା ସହିତ ଟାଇଲ ଗୁଡିକ ଅଳ୍ପ ଦିନରେ ଭାଙ୍ଗିଯିବାର ସମ୍ଭାବନା ରହିଛି । ତେବେ ମନ୍ଦିର ଭଳି ଆଧ୍ୟାତ୍ମିକ ସ୍ଥଳରେ ନିମ୍ନ ମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ବ୍ଳକ୍ର କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା କୁ ପଚାରିବାରୁ ଏକାଧିକ କାର୍ୟ୍ଯର ଭର ତାଙ୍କ ଉପରେ ଥିବାରୁ ଏହି କାର୍ଯ୍ୟର ସଠିକ ତଦାରଖ କରିନଥିବା କହିବା ସହିତ ସୂଚନା ଫଳକ କୁ ଭଙ୍ଗା ଯାଇ ଲୋକଙ୍କ ଦୃଷ୍ଟିଗୋଚର ହୋଇପାରୁଥିବା ସ୍ଥାନରେ ପୁନଃ ସୂଚନା ଫଳକ ଲାଗାଯିବାର ବ୍ୟବସ୍ଥା ସହ ନିମ୍ନ ଦବି ଯାଇଥିବା ପେଭର ବ୍ଲକ ଓ ଟାଇଲ କୁ ଭଙ୍ଗା ଯାଇ ପୁନଃ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଯେ ଠିକାଦାର ଦ୍ୱାରା ଏହି କାର୍ଯ୍ୟ ପୁନଃ ସମ୍ପାଦନ ହେଉଛି ନା ବ୍ଲକ ଅଧିକାରୀ ପିସି ନେଇ ଠିକାଦାରଙ୍କର ବିଲ ପାସ୍ କରିଦେଉଛନ୍ତି ତାହା ସମୟ ହିଁ କହିବ ।