ବଲାଣି, ୨୩/୭ (ଶିବାଶିଷ ନନ୍ଦ) –ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାର ଯୋଡ଼ା ବ୍ଲକ ଅଧିନସ୍ଥ ବଲାଣି ପଞ୍ଚାୟତର ଲସର୍ଦା ଠାରୁ ଶଙ୍ଖଝର ପର୍ଯ୍ୟନ୍ତ ୫୩୮.୮୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ନିର୍ମିତ ରାସ୍ତା ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥା ଦ୍ୱାରା ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ନିର୍ମାଣ ମାନଦଣ୍ଡ ଅନୁଯାୟୀ କାମ ନ କରିବା ଯୋଗୁଁ, କିଛି ଦିନ ମଧ୍ୟରେ ପିଚୁ ଉଠିଯାଇ ରାସ୍ତା ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ନିର୍ମିତ ରାସ୍ତାରେ ପିଚୁ ଆସ୍ତରଣ ଏତେ ପତଳା ଦିଆଯାଇଛି ଯେ ଅନେକ ସ୍ଥାନରେ ସଡ଼କରୁ ପିଚୁ ଉଠିଯାଇଥିବା ବେଳେ ତଳେ ଥିବା ମାଟି ଦେଖାଯାଉଛି। ନିର୍ମାଣ କାର୍ଯ୍ୟ ସମୟରେ ତଦାରଖ କରିବା ପାଇଁ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନଥିବା ଯୋଗୁଁ ଠିକାଦାର ମନଇଚ୍ଛା କାମ କରିଛି ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନିର୍ମାଣ ସ୍ଥାନରେ ଲଗାଯାଇଥିବା ସୂଚନା ଫଳକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ନିର୍ମିତ ହୋଇଥିଲା। ଫଳସ୍ୱରୂପ, ଉକ୍ତ ସୂଚନା ଫଳକ ମଧ୍ୟ କିଛି ଦିନ ମଧ୍ୟରେ ଭୁଶୁଡି ପଡିଛି , ଯାହା ସ୍ପଷ୍ଟ ଭାବରେ ନିର୍ମାଣ କାର୍ଯ୍ୟରେ ଅବହେଳାକୁ ଦର୍ଶାଉଛି।
ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜିତ ନାୟକଙ୍କୁ ଏହି ସମଗ୍ର ପ୍ରସଙ୍ଗରେ ପ୍ରତିକ୍ରିୟା ମାଗିବାରୁ ସେ କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଏହିପରି ହୋଇଛି ତେବେ ପାଗ ସଫା ହେଲେ ମରାମତି କାର୍ଯ୍ୟ କରାଯିବ ଏବଂ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ଏହା ବ୍ୟତୀତ ସୂଚନା ଫଳକ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଥିଲା ତେବେ ଉକ୍ତ ଫଳକକୁ କେହି ଭାଙ୍ଗି ଦେଇଥିବା ସେ କହିଛନ୍ତି ।
ଅନ୍ୟ ପକ୍ଷରେ ଗ୍ରାମବାସୀ କହିଛନ୍ତି ଯେ ଯଦି ନିର୍ମାଣ କାର୍ଯ୍ୟ ସଠିକ ମାନଦଣ୍ଡରେ କରାଯାଇଥାନ୍ତା, ତେବେ ପ୍ରାରମ୍ଭିକ ବର୍ଷାରେ ରାସ୍ତା ଏବଂ ବୋର୍ଡ କ୍ଷତିଗ୍ରସ୍ତ ହୋଇନଥାନ୍ତା। ଏହି ରାସ୍ତା ଏହି ଅଞ୍ଚଳ ପାଇଁ ଏକମାତ୍ର ସଂଯୋଗକାରୀ ରାସ୍ତା ଏବଂ ଏଥିରେ ନିମ୍ନମାନର ନିର୍ମାଣ କରାଯାଇଛି ଏ ନେଇ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରାସ୍ତାର ମାନ ଯାଞ୍ଚ କରିବା ସହିତ ଠିକା ମାନଦଣ୍ଡ ଅନୁସାରେ ଯଥାଶୀଘ୍ର ଉକ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରିବା ସହିତ ଠିକା ସଂସ୍ଥା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।