- ଡ. ସମନ୍ୱୟ ନନ୍ଦ -
କୌଣସି ସହର କିମ୍ବା ସ୍ଥାନ କିମ୍ବା ପ୍ରତୀକର ନାମ ଆପେ ଆପେ ପରିବର୍ତିତ ହୋଇ ନ ଥାଏ । କୌଣସି ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ହିଂସ୍ର ଆକ୍ରମଣ ଓ ଲମ୍ବା ସମୟ ଧରି ଶାସନ ପରେ ବିଦେଶୀ ସଂସ୍କୃତିର ଆଧିପତ୍ୟକୁ ଦର୍ଶାଇବାକୁ ଯାଇ ଆକ୍ରମଣକାରୀ ମାନେ ସହର କିମ୍ବା ସ୍ଥାନ ଅଥବା ପ୍ରତୀକର ନାମକୁ ସେମାନେ ପରିବର୍ତନ କରିଥାନ୍ତି ।
ତେଣୁ ସ୍ୱାଭବିକ ଭାବେ ଆକ୍ରମଣକାରୀ ମାନଙ୍କ ତାଙ୍କର ଆଧିପତ୍ୟକୁ ଦର୍ଶାଇବାକୁ ଯାଇ ସେମାନେ ଦେଇଥିବା ନାମ ଗୁଡିକୁ ପରିବର୍ତିତ କରିବା କୌଣସି ସମାଜ ପ୍ରତି କରାଯାଇଥିବା ଐତିହାସିକ ଅନ୍ୟାୟର ପ୍ରତିକାର ମାତ୍ର । କୌଣସି ସ୍ୱାଭିମାନୀ ଓ ବଳଶାଳୀ ସମାଜ ଦାସତ୍ୱର ପ୍ରତୀକ ଏହି ନାମ ଗୁଡିକୁ କେବେ ହେଲେ ବରଦାସ୍ତ କରି ପାରିବ ନାହିଁ, କିମ୍ବା କରିବା ଉଚିତ ମଧ୍ୟ ନୁହେଁ ।
ସହର କିମ୍ବା ସ୍ଥାନ କିମ୍ବା ପ୍ରତୀକ ମାନଙ୍କର ନାମକୁ ଆକ୍ରମଣକାରୀମାନଙ୍କ ଦ୍ୱାରା ପ୍ରଦତ୍ତ ନାମରୁ ପରିବର୍ତନ କରି ପୁରୁଣା ନାମ ପ୍ରଦାନ କରିବା ଅଳ୍ପକାଳୀନ ଦୃଷ୍ଟିରୁ ଉପଯୋଗୀ ଭଳି ଲାଗି ନ ପରେ କିନ୍ତୁ ଦୀର୍ଘକାଳୀନ ଦୃଷ୍ଟିରୁ ଏହା ଆକ୍ରମଣର ଶୀକାର ହୋଇଥିବା ଦେଶର ଲୋକ ମାନଙ୍କୁ ମାନସିକ ଦାସତ୍ୱରୁ ମୁକ୍ତ କରିବାରେ ସହାୟକ ହୋଇଥାଏ ।
ଏବେ ନରେନ୍ଦ୍ର ମୋଦୀଙ୍କ ସରକାର ତାଙ୍କର ତୃତୀୟ କାର୍ଯ୍ୟକାଳରେ ଅଣ୍ଡାମାନ ନିକୋବର ଦ୍ୱୀପପୁଂଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମକୁ ପରିବର୍ତନ କରି ଏହାକୁ ଶ୍ରୀବିଜୟପୁରମ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ନାମ ପରିବର୍ତନ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହାର କାରଣ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ “ଦେଶରେ ଗୋଲାମୀର ପ୍ରତୀକ ଗୁଡିକ ଗୁଡିକରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପରେ ପ୍ରେରଣା ଲାଭ କରି ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରର ନାମ ବଦଳାଇ ଶ୍ରୀବିଜୟପୁରମ କରିବାକୁ ନିଷ୍ପତି ନେଉଛି । ଶ୍ରୀ ବିଜୟପୁରମର ନାମ ଆମର ସ୍ୱାଧୀନତା ସଂଘର୍ଷ ଓ ଏଥିରେ ଅଣ୍ଡାମାନ ନିକୋବରର ଯୋଗଦାନକୁ ଦର୍ଶାଉଛି । ଏହି ଦ୍ୱୀପର ଆମ ଦେଶର ସ୍ୱାଧୀନତା ଓ ଇତିହାସରେ ଅଦ୍ୱିତୀୟ ସ୍ଥାନ ରହିଛି । ଚୋଳ ସାମ୍ରାଜ୍ୟରେ ନୌସେନାର ଅଡ୍ଡାର ଭୂମିକା ଗ୍ରହଣ କରିଥିବା ଏହି ଦ୍ୱୀପ ଆଜି ଦେଶର ସୁରକ୍ଷା ଓ ବିକାଶକୁ ଗତି ଦେବା ପାଇଁ ସମ୍ପୂର୍ଣ ରୂପେ ପ୍ରସ୍ତୁତ । ”
ଅଣ୍ଡାମାନର ରାଜଧାନୀର ନାମ କରଣ ଅଷ୍ଟାଦଶ ଶତାବ୍ଦୀରେ ଜଣେ ଗୋରା ନାଭାଲ ଅଧିକାରୀ ଲେଫ୍ଟିନେଂଟ ଆର୍କିବାଲ୍ଡ ବ୍ଲେୟାରଙ୍କ ନାମରେ କରାଯାଇଥିଲା । ହେଲେ ମୋଦୀ ସରକାର ପରିବର୍ତନ କରିଥିବା ଏହି ନୂଆ ନାମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏହି ସହରର ଭୂମିକାକୁ ରେଖାଙ୍କିତ କରୁଛି ।
ଲେଫ୍ଟିନେଂଟ ଆର୍କିବାଲ୍ଡ ବ୍ଲେୟାର ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟିଶ ନେଭିରେ କାର୍ଯ୍ୟରତ ଥିଲେ ଓ ଅଣ୍ଡାମାନ ନିକୋବର ଦ୍ୱୀପ ପୁଂଜରେ ଗୋରା ମାନଙ୍କର ଉପନିବେଶକୁ ଦୃଢ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିଲା । ସେତେବେଳ ଯାଏ ଏହି ଅଂଚଳ ବିଷୟରେ କାହାକୁ ବିଶେଷ ଭାବେ ଜଣା ନ ଥିଲା । ବ୍ଲେୟାର ଏହି ଅଂଚଳର ସର୍ଭେ କରିବା ସହ ଏଠାରେ ପ୍ରଶାସନ ସ୍ଥାପିତ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ । ଅଣ୍ଡାମାନ ନିକୋବର ଦ୍ୱୀପ ପୁଂଜ ଏହି କ୍ଷେତ୍ର ଉପରେ ନିୟନ୍ତ୍ରଣ ପାଇଁ ଇଂରେଜ ମାନଙ୍କ ପାଇଁ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା । ଇଂରେଜ ମାନଙ୍କର ଏହି ଔପନିବେଶିକ କାର୍ଯ୍ୟରେ ସହାୟତା କରିଥିବାରୁ ସେମାନେ ତାଙ୍କୁ ସମ୍ମାନ ଜଣାଇ ଏହି ସହରର ନାମ ପୋର୍ଟ ବ୍ଲେୟାର କରିଥିଲେ ।
ହେଲେ ଏହି ଆଣ୍ଡାମାନ ନିକୋବର ଦ୍ୱୀପପୁଂଜର ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଅନନ୍ୟ ସ୍ଥାନ ରହିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମେ ଏହି ମାଟିରେ ଭାରତର ସ୍ୱାଧୀନତାର ଧ୍ୱଜା ଉତୋଳନ କରିଥିଲେ । ସେହିପରି ମହାନ ବିପ୍ଲବୀ ସ୍ୱାତନ୍ତ୍ରବୀର ସାବରକର ଏଠାରେ ଥିବା ସେଲୁଲାର ଜେଲରେ କଳାପାଣି ଦଣ୍ଡ ଭୋଗିଲା ବେଳେ ଅନେକ ବର୍ଷ ବିତାଇଥିଲେ ।
ଅଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଇତିହାସ କେବଳ ଯେ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ ସହ ଜଡିତ ତାହା ନୁହେଁ ବରଂ ଏହି ଦ୍ୱୀପ ଦକ୍ଷିଣ ଭାରତର ଚୋଳ ସାମ୍ରାଜ୍ୟ ସମୟରେ ଏକ ଗୁରୁତ୍ୱପୂର୍ଣ ନୌସୈନିକ ଆଡ୍ଡା ଭାବେ ରହିଥିଲା । ଚୋଳ ସାମ୍ରାଜ୍ୟ ସମୟରେ ଏହି ଦ୍ୱୀପ ଭାରତର ସାମୁଦ୍ରିକ ବାଣିଜ୍ୟ ଓ ସୈନ୍ୟ ରଣନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ କେନ୍ଦ୍ର ଥିଲା । ଐତିହାସିକ ମାନଙ୍କ ମତରେ ଚୋଳ ରାଜା ମାନଙ୍କର ନୌସେନା ଏଠାରୁ ଦୂର – ଦୂର ପର୍ଯ୍ୟନ୍ତ ସାମୁଦ୍ରିକ ଅଭିଯାନ ଚଳାଉଥିଲେ । ଏହି ଦ୍ୱୀପର ଭୌଗଳିକ ସ୍ଥିତି କାରଣରୁ ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ ସାମୁଦ୍ରିକ ମାର୍ଗ ଓ ସୈନ୍ୟ ଅଡ୍ଡା ଭାବେ ରହି ଆସିଥିଲା । କେବଳ ଏତିକି ନୁହେଁ ଆଜି ମଧ୍ୟ ଏହି ଆଣ୍ଡାମାନ ନିକୋବର ଦ୍ୱୀପପୁଂଜ ଭାରତୀୟ ସେନା ଓ ନୌସେନା ପାଇଁ ଏକ ଗୁରୁତ୍ୱପୂର୍ଣ ରଣନୈତିକ କେନ୍ଦ୍ର ହୋଇଛି ।
ଏହା ପୂର୍ବରୁ ମଧ୍ୟ ମାନସିକ ଗୋଲାମୀରୁ ମୁକ୍ତି ପାଇଁ ମୋଦୀ ସରକାର ୨୦୧୮ ମସିହାରେ ରୋସ ଦ୍ୱୀପର ନାମକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ନିଲ ଦ୍ୱୀପକୁ ଶହୀଦ ଦ୍ୱୀପ ଓ ହେବଲକ ଦ୍ୱୀପକୁ ସ୍ୱରାଜ ଦ୍ୱୀପ ଭାବେ ନାମିତ କରିଥିଲେ । ଏହା ପରେ ୨୦୨୩ ମସିହାରେ ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ର ମୋଦୀ ଏହି ଦ୍ୱୀପପୁଂଜର ୨୧ଟି ଦ୍ୱୀପର ନାମ ପରମବୀର ଚକ୍ର ବିଜେତା ମାନଙ୍କର ନାମରେ ନାମିତ କରିଥିଲେ । ତେଣୁ ମୋଦୀ ସରକାର ମାନସିକ ଦାସତ୍ୱରୁ ମୁକ୍ତି ପାଇଁ ଆରମ୍ଭ କରିଥିବା ଏହି ପ୍ରକ୍ରିୟାକୁ ନିରନ୍ତର ଜାରୀ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପଂଚ ପ୍ରଣ ପାଇଁ ଆହ୍ୱାନ ଦେଇଥିଲେ । ଏଥି ମଧ୍ୟରୁ ଗୋଟିଏ ଥିଲା ଗୋଲାମୀର ପ୍ରତୀକ ଓ ମାନସିକତାରୁ ମୁକ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନର କ୍ରମରେ ପୋର୍ଟବ୍ଲେୟାରର ନାମ ପରିବର୍ତନ କରାଯାଇ ଏହାର ନାମ ଶ୍ରୀବିଜୟପୁରମ କରାଯାଇଛି । ଏହି ଗୋଟିଏ ପଦକ୍ଷେପ ଦ୍ୱାରା ଅନେକ ବାର୍ତା ଗୋଟିଏ ଥରରେ ଦିଆଯାଇଛି । ଦାସତ୍ୱର ପ୍ରତୀକ ଭାବେ ନାମକରଣ କରାଯାଇଥିବା ଇଂରେଜ ନୌସେନା ଅଧିକାରୀ ବ୍ଲେୟରର ନାମକୁ ପୋଛି ଭାରତର ପ୍ରାଚୀନ ଇତିହାସରୁ ଚୋଳ ରାଜା ମାନଙ୍କର ବୀରତ୍ୱ ଠାରୁ ଆରମ୍ଭ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଦେଶର ସ୍ୱାଧୀନତା ପାଇଁ ଅକଥନୀୟ ଅତ୍ୟାଚାର ସହନ କରି ସେଲୁଲାର ଜେଲରେ କଳାପାଣି ଦଣ୍ଡ ପାଇଥିବା ସ୍ୱାତନ୍ତ୍ର୍ୟୁବୀର ବିନାୟକ ଦାମୋଦର ସାବରକର ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରାଇ ଶ୍ରୀବିଜୟପୁରମ ଭାବେ ନାମିତ କରାଯାଇଛି । ଏହି କାର୍ଯ୍ୟ ଖୁବ ପୂର୍ବରୁ ହେବାର ଥିଲା । ବିଳମ୍ବରେ ହେଲେ ସୁଦ୍ଧା ଏହା ସ୍ୱାଗତଯୋଗ୍ୟ । ଭାରତ ସରକାରଙ୍କର ଏହି ନିଷ୍ପତି ଦେଶକୁ ମାନସିକ ଗୋଲାମୀରୁ ମୁକ୍ତ କରିବା ଦିଗରେ ଅଗ୍ରସର କରାଇବ, ଏଥିରେ ତିଳେ ହେଲେ ସନ୍ଦେହ କାହା ମନରେ ରହିବା ଉଚିତ ନୁହେଁ । ଏଭଳି ଅନେକ କାମ ଅଛି ଯାହାକୁ ଖୁବ ଶୀଘ୍ର ଆଗାମୀ ଦିନରେ କରିବାର ଆବଶ୍ୟକତା ରହିଛି । ଭାରତ ସରକାରଙ୍କ ଏହି ନିଷ୍ପତି ଗୋରା ଇଂରେଜ ମାନଙ୍କୁ କଷ୍ଟ ଦେଉ ନ ଥିବ, ହେଲେ ମାନସିକ ଦାସତ୍ୱର ଶୀକାର ଥିବା ଭାରତୀୟ ମାନଙ୍କ ମନରେ ନିଶ୍ଚିତ ଭାବେ କଷ୍ଟ ଦେଉଥିବ ଏଥିରେ ସନ୍ଦେହ ନାହିଁ । ଏହାର ପ୍ରତିଫଳନ ମଧ୍ୟ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିପାରେ ।