Latest News

ସମ୍ଭଲର ବାସ୍ତବିକତା ଓ ସେକୁଲାର ରାଜନୀତି

Dec 14, 2024
Odishakhabar:

- ଡ. ସମନ୍ୱୟ ନନ୍ଦ 

ବର୍ତ୍ତମାନ କିଛି ଦିନ ହେଲା ଉତ୍ତର ପ୍ରଦେଶର ସମ୍ଭଲ ଓ ଏଠାରେ ଥିବା ଶାହୀ ଜାମା ମସଜିଦ ଚର୍ଚ୍ଚାର କେନ୍ଦ୍ରରେ ଅଛି । ସମ୍ଭଲରେ ହିନ୍ଦୁ ମାନେ ସଂଖ୍ୟା ଲଘୁ ହୋଇ ସାରିଛନ୍ତି । ହିନ୍ଦୁ ମାନେ ଏହି ତଥାକଥିତ ମସଜିଦକୁ ହରିହର ମନ୍ଦିର ବୋଲି କହି ଆସୁଛନ୍ତି । ମାନନୀୟ ନ୍ୟାୟାଳୟଙ୍କ ନିର୍ଦେଶରେ ଏହାର ସର୍ଭେ କାର୍ଯ୍ୟ ପାଇଁ ଯାଇଥିବା ଦଳ ଉପରେ କିଛି ଦିନ ତଳେ ହଠାତ ହଜାର ହଜାର ମୁସଲମାନ ଏକାଠି ହୋଇ ପଥର ମାଡ କରିଥିଲେ । ଏହି ଘଟଣା ପର ଠାରୁ ଦେଶ ଓ ବିଦେଶର ଗଣମାଧ୍ୟମରେ ଏହି ତଥାକଥିତ ମସଜିଦ ଓ ହରିହର ମନ୍ଦିରକୁ ନେଇ ଚର୍ଚା ଆଲୋଚନା ଆରମ୍ଭ ହୋଇ ସାରିଛି । ହିନ୍ଦୁ ଶାସ୍ତ୍ର ଓ ଧାର୍ମିକ ମାନ୍ୟତା ଅନୁସାରେ ସମ୍ଭଲ ଠାରେ ଭଗବାନ ବିଷ୍ଣୁ କଳ୍କୀ ଅବତାର ଭାବେ ଜନ୍ମ ଗ୍ରହଣ କରିବେ । ତେଣୁ ସେହି ଦୃଷ୍ଟିରୁ ଏହି ସ୍ଥାନଟି ହିନ୍ଦୁ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ତେବେ ଏହି ଲେଖାରେ ଆମେ ସମ୍ଭଲର ଏହି ତଥାକଥିତ ମସଜିଦ ଓ ହରିହର ମନ୍ଦିରର ବିବାଦର ଐତିହାସିକତା ଉପରେ ଆଲୋଚନା କରିବା । ଇତିହାସର ସାକ୍ଷ୍ୟ କଣ କହୁଛି ସେ ବିଷୟରେ ଚର୍ଚ୍ଚା କରିବା । 

ମୁସଲମାନ ମାନେ ଦାବି କରନ୍ତି ଯେ, ସମ୍ଭଲରେ ଥିବା ଏହି ଐତିହାସିକ ମସଜିଦକୁ ଷୋଡଶ ଶତାବ୍ଦୀରେ ବିଦେଶୀ ମୋଗଲ ଆକ୍ରମଣକାରୀ ବାବର ନିର୍ମାଣ କରାଇଥିଲା । କିନ୍ତୁ ଏହି ଦାବିର କୌଣସି ସତ୍ୟତା ନାହିଁ । ବାବର ଏହି ମସଜିଦକୁ ନିର୍ମାଣ କରାଇ ନ ଥିଲା । ଉନବିଂଶ ଶତାବ୍ଦୀ ଯାଏ ଏଠାରେ କୌଣସି ମସଜିଦ ନ ଥିଲା । ଏଠାରେ ହରିହର ମନ୍ଦିର ଥିଲା । 

ଯଦି ମୁସଲମାନ ମାନଙ୍କର ଦାବିରେ ସତ୍ୟତା ଥାଆନ୍ତା ଓ ବାବର ସମ୍ଭଲରେ ଥିବା ଏହି ମସଜିଦର ନିର୍ମାଣ କରାଇଥାନ୍ତା ତେବେ ମୁସଲମାନ ସାହିତ୍ୟରେ ଏହାର ଉଲ୍ଲେଖ ନିଶ୍ଚିତ ଭାବେ ରହିଥାନ୍ତା । ଅତି କମରେ ବାବରନାମାରେ ଏହାର ଉଲ୍ଲେଖ ନିଶ୍ଚିତ ଥାଆନ୍ତା । କିନ୍ତୁ ବାବରନାମାରେ ବାବର ଦ୍ୱାରା ସମ୍ଭଲ ଠାରେ ଏହି ମସଜିଦ ନିର୍ମାଣ କରାଇବାର କୌଣସି ଉଲ୍ଲେଖ ନାହିଁ । କେବଳ ସେତିକି ନୁହେଁ ସେହି ସମୟର କୌଣସି ଇସଲାମୀ ସାହିତ୍ୟରେ ଏହି ମସଜିଦର ଆଦୌ ଉଲ୍ଲେଖ ନାହିଁ । 

ଆଉ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଲା ଆବୁଲ ଫଜଲ ଆଇନ ଏ ଆକବରୀ ପୁସ୍ତକରେ ସମ୍ଭଲ ବିଷୟରେ ଉଲ୍ଲେଖ କରିଛନ୍ତି । ହେଲେ ସେ ଏହି ପୁସ୍ତକରେ କୌଣସି ମସଜିଦ ବିଷୟରେ ଉଲ୍ଲେଖ କରି ନାହାନ୍ତି ବରଂ ସେଠାରେ ଏକ ବିଷ୍ଣୁ ମନ୍ଦିର ଥିବା ଉଲ୍ଲେଖ କରିଛନ୍ତି । 

ଆବୁଲ ଫଜଲ ତାଙ୍କ ପୁସ୍ତକରେ ବିଷ୍ଣୁ ମନ୍ଦିରର ଉଲ୍ଲେଖ କରୁଛନ୍ତି । ଏହାର ଅର୍ଥ ହେଲା ଯେ ଷୋଡଶ ଶତାବ୍ଦୀରେ ସେତେବେଳେ ସମ୍ଭଲରେ ବିଷ୍ଣୁ ମନ୍ଦିର ଥିଲା । ବାବର ଦ୍ୱାରା ନିର୍ମିତ ହୋଇଥିବା ତଥାକଥିତ ମସଜିଦର ଚିହ୍ନ ବର୍ଣ ମଧ୍ୟ ନ ଥିଲା । 

ତେଣୁ ଏହାର ପରବର୍ତୀ ସମୟରେ ମଧ୍ୟ କୌଣସି ଇସଲାମୀ ସାହିତ୍ୟରେ ଏହି ତଥାକଥିତ ମସଜିଦର କୌଣସି ରେକର୍ଡ ମିଳେ ନାହିଁ । ତେବେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣର ରିପୋର୍ଟ ବାସ୍ତବ ଚିତ୍ର ପ୍ରଦାନ କରିଥାଏ । 

୧୮୭୧ -୭୨ ମସିହାରେ ଜଣେ ବ୍ରିଟିଶ ପ୍ରତ୍ନତତ୍ୱବିତ କ୍ୟାମ୍ପବେଲ କାରାଇଲ ଆଗ୍ରା ଅଂଚଳକୁ ଯାଇଥିଲେ । ସେ ସେତେବେଳେ ସମ୍ଭଲ ଠାରେ ସର୍ଭେ କରିଥିଲେ । ସେ ତାଙ୍କର ସର୍ଭେ ରିପୋର୍ଟରେ ଯାହା ଉଲ୍ଲେଖ କରିଥିଲେ ତାକୁ ଦେଖିଲେ ଏହାର ବାସ୍ତବିକତା କଣ ତାହା ସ୍ପଷ୍ଟ ହୋଇଯାଏ । 

ସେ ତାଙ୍କର ରିପୋର୍ଟରେ ସମ୍ଭଲର ମୁଖ୍ୟ ଭବନକୁ ଜାମା ମସଜିଦ ବୋଲି କହିଛନ୍ତି । ସେ କହିଛନ୍ତି ଯେ ମୁସଲମାନ ମାନେ କହନ୍ତି ଯେ ଏହାର ନିର୍ମାଣ ବାବର କରିଥିଲା । ହେଲେ କ୍ୟାମ୍ପବେଲ ସଙ୍ଗେ ସଙ୍ଗେ ତାଙ୍କ ରିପୋର୍ଟରେ ମୁସଲମାନ ମାନଙ୍କ ଏହି ଦାବି ସତ୍ୟ ନୁହେଁ ବରଂ ମିଥ୍ୟା ତାହା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି । 

ସେ ତାଙ୍କର ଏହି ରିପୋର୍ଟରେ ଲେଖିଛନ୍ତି ଯେ, ସମ୍ଭଲର ଅନେକ ସ୍ଥାନୀୟ ମୁସଲମାନ ତାଙ୍କ ନିକଟରେ ସ୍ୱୀକାର କରିଥିଲେ ଯେ ସମ୍ଭଲର ଏହି ମସଜିଦ ବାସ୍ତବରେ ଏକ ଠକେଇ । ଏହାକୁ ବାବର ନିର୍ମାଣ କରାଇଥିବା ବୋଲି ପ୍ରମାଣିତ କରିବାକୁ ଯାଇ ସେଠାରେ ଏକ ନକଲୀ ଶିଳାଲେଖ ମଧ୍ୟ ସେମାନେ ଲଗାଇଥିଲେ । ଅନେକ ସ୍ଥାନୀୟ ମୁସଲମାନ ମାନେ ତାଙ୍କୁ ଆଗରେ ରହସ୍ୟୋଦଘାଟନ କରିଥିଲେ ଯେ, ୧୮୫୦ ମସିହା ଯାଏ ଏହି ସ୍ଥାନ ଉପରେ ମୁସଲମାନ ମାନଙ୍କର କବଜା ହୋଇ ନ ଥିଲା । 

କ୍ୟାମ୍ପବେଲ ତାଙ୍କ ରିପୋର୍ଟରେ ଆଗକୁ ଲେଖିଛନ୍ତି. ଏହି ଭବନ ମୂଳରୁ ଏକ ହିନ୍ଦୁ ମନ୍ଦିର ଥିଲା । ମୁସଲମାନ ମାନେ ଠକେଇ କରି ଏହା ଉପରେ କବଜା କରି ନେଇଥିଲେ । ଏହା ପରେ ସ୍ଥାନୀୟ ହିନ୍ଦୁ ମାନେ ଏହି ସ୍ଥାନକୁ ପୁନଃ ପ୍ରାପ୍ତ କରିବାକୁ ଅଦାଲତକୁ ଯାଇଥିଲେ । ହେଲେ ମୁସଲମାନ ମାନେ ମିଛ ସାକ୍ଷୀ ଦେଇ ଏହି ମାମଲାରେ ବିଜୟୀ ହୋଇଥିଲେ । କାରଣ ସେତେବେଳେ ସମ୍ଭଲ ଅଂଚଳ ରେ ହିନ୍ଦୁ ମାନେ ସଂଖ୍ୟା ଲଘୁ ହୋଇ ସାରିଥିଲେ । 

ତେବେ ମୁସଲମାନ ମାନେ ଧୋଖାଧଡି କରିବାକୁ ଯାଇ ଯେଉଁ ବାବରର ଶୀଳାଲେଖ ଲଗାଇଥିଲେ ସେଥିରେ ମଧ୍ୟ ବାବରର ନାମର ସ୍ପେଲିଂ ଭୁଲ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ରିପୋର୍ଟରେ ଆଗକୁ କୁହାଯାଇଥିଲା ଯେ, ବର୍ତମାନର ଯେଉଁ ଭବନ ଯାହାକୁ ଶାହୀ ଜାମା ମସଜିଦ କୁହାଯାଉଛି ତାହା ଆଦୌ ମସଜିଦ ନୁହେଁ । ବାବର ଏହାର ନିର୍ମାଣ କରାଇ ନାହିଁ । ବର୍ତମାନର ସଂରଚନାକୁ ରାଜା ପୃଥ୍ୱୀରାଜ ଚୌହାନ ଦ୍ୱାରା ହିନ୍ଦୁ ମନ୍ଦିର ଭାବେ ନିର୍ମାଣ କରାଯାଇଥିଲା । ମୁସଲମାନ ମାନେ ଏହା ଉପରେ ଜୋର ଜବରଦସ୍ତି କବ୍ଜା କରି ଏହାକୁ ମୁସଲମାନ ପୂଜା ସ୍ଥଳରେ ପରିବର୍ତନ କରି ଦେଇଛନ୍ତି । 

କ୍ୟାମ୍ପବେଲ ତାଙ୍କ ରିପୋର୍ଟରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ମୁସଲମାନ ମାନେ କାନ୍ଥ ଗୁଡିକରେ ମୂଳ ହିନ୍ଦୁ ସାମଗ୍ରୀକୁ ଲୁଚାଇବାକୁ କୋଟିଂ କରିବାକୁ ପ୍ରୟାସ କରିଛନ୍ତି । ପ୍ରତ୍ନତତ୍ୱବିତ ମାନେ ସେତେବେଳେ ଅନେକ ସ୍ଥାନରେ ଦେଖିଲେ ଯେ ହିନ୍ଦୁ କଳା କାନ୍ଥରେ ଅଂକିତ ହୋଇଛି । ମୁସଲମାନ ମାନେ ମୂର୍ତିକୁ ଓଲଟା କରି ପୁଣି ଥରେ ସେଠାରେ ତାକୁ ପ୍ରୟୋଗ କରିଛନ୍ତି । ମୁସଲମାନ ମାନେ ଏତେ ପଥର ସେଠାରୁ ହଟାଇ ନେଇଥିଲେ ଯେ ଏହାର ସଂରଚନାର ପ୍ରାଚୀର ପତଳା ଓ ଦୁର୍ବଳ ହୋଇଯାଇଥିଲା । ଏହି ପରି ଭାବେ ଏକ ଭବ୍ୟ ମନ୍ଦିରକୁ ମସଜିଦରେ ପରିବର୍ତିତ କରିଦିଆଯାଇଥିଲା । 

ଐତିହାସିକ ବ୍ରିଜେନ୍ଦ୍ର ମୋହନ ଶଙ୍ଖଧେର ସମ୍ଭଲ ଉପରେ ଅନୁସନ୍ଧାନ କରିଛନ୍ତି । ଦୀର୍ଘ ବର୍ଷର ଅନୁସନ୍ଧାନର ପରେ ତାଙ୍କର ପୁସ୍ତକ ସମ୍ଭଲ – ଏ ହିଷ୍ଟୋରିକାଲ ସର୍ଭେ ପ୍ରକାଶିତ ହୋଇଛି । ସେ ଏହି ପୁସ୍ତକରେ ନିଷ୍କର୍ଷ ବାହାର କରିଛନ୍ତି ଯେ ଏହି ମସଜିଦକୁ ବାବର ତିଆରି କରି ନାହିଁ । ବାବରର ଏହି ତଥାକଥିତ ଶିଳାଲେଖ ଇତିହାସର ସବୁଠାରୁ ବଡ ଧୁର୍ତତା ଅଟେ । ବ୍ରିଟିଶ ପ୍ରତ୍ନତତ୍ୱବିତ କ୍ୟାମ୍ପବେଲ ହୁଅନ୍ତୁ ବା ଐତିହାସିକ ବ୍ରିଜେନ୍ଦ୍ର ମୋହନ ହୁଅନ୍ତୁ ଉଭୟ ଏହି ନିଷ୍କର୍ଷରେ ଉପନୀତ ହୋଇଛନ୍ତି ଯେ ସମ୍ଭଲର ମସଜିଦ ୧୫ତମ ଶତାବ୍ଦୀରେ ନିର୍ମିତ ହୋଇ ନାହିଁ ଯେପରିକି ମୁସଲମାନ ମାନଙ୍କ ଦ୍ୱାରା ଦାବି କରାଯାଉଛି । ଏହି ମନ୍ଦିର ଉପରେ କବଜା କରି ଉନବିଂଶ ଶତାବ୍ଦୀରେ ମସଜିଦରେ ପରିବର୍ତିତ କରି ଦିଆଯାଇଛି । ତେବେ ଗଙ୍ଗା ପ୍ରସାଦ ଭଳି ଐତିହାସିକ ବାବରର ତଥାକଥିତ ଶିଳାଲେଖକୁ ସତ ବୋଲି ମନେ କରି ଏହାକୁ ବାବର ତିଆରି କରିଥିବା ଉଲ୍ଲେଖ କରିଛନ୍ତି । କିନ୍ତୁ ସମସ୍ତେ ଗୋଟିଏ କଥାରେ ଏକ ମତ ଯେ ଏହି ତଥାକଥିତ ମସଜିଦ ହିନ୍ଦୁ ମନ୍ଦିର ଉପରେ କବଜା କରି ଠିଆ କରାଯାଇଛି । ଏଥିରେ କେହି ଦ୍ୱିମତ ନାହାନ୍ତି । 

ତେଣୁ ସମ୍ବିଧାନ ପ୍ରଦତ ଅଧିକାରକୁ ବ୍ୟବହାର କରି ତଥ୍ୟ ଓ ପ୍ରମାଣ ଆଧାରରେ ଏହାର ନିର୍ଧାରଣ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଗୋଟିଏ ବର୍ଗ ରାଜରାସ୍ତାରେ ପଥର ଫିଙ୍ଗି ଶକ୍ତି ପ୍ରଦର୍ଶନ ଜରିଆରେ ନିଜର ମତକୁ ମନାଇବାକୁ ଚେଷ୍ଟା କରୁଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ସେକୁଲାର ରାଜନୀତି କରୁଥିବା ରାଜନୈତିକ ଦଳ ଯେଉଁ ମାନେ ସମ୍ବିଧାନ ବିପଦରେ ଅଛି ବୋଲି ଚିତ୍କାର କରି ଆସୁଛନ୍ତି, ସେମାନେ ଏହି ପ୍ରସଙ୍ଗରେ ସମ୍ବିଧାନ ଅନୁସାରେ ନୁହେଁ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କରୁଥିବା ଲୋକଙ୍କ ସହ ଠିଆ ହୋଇଛନ୍ତି । ଏହା ଠାରୁ ବଡ ବିଡମ୍ବନା କଣ ବୋ ହୋଇ ପାରେ ? 

Related Post