-ଡ. ସମନ୍ୱୟ ନନ୍ଦ
ଆଜି ହେଇଛି ଡ. ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ । ଡ. ଆମ୍ବେଦକର ଜଣେ ଦେଶର ଅଗ୍ରଣୀ ଆଇନ ବିଶାରଦ ଥିଲେ । ସମ୍ବିଧାନ ସଭାର ଡ୍ରାଫ୍ଟ୍ଟ କମିଟିର ସେ ଅଧ୍ୟକ୍ଷ ଥିଲେ । ସମ୍ବିଧାନ ପ୍ରସ୍ତୁତ କରିବାରେ ତାଙ୍କର କେତେ ଯୋଗଦାନ ଥିଲା ତାହା କାହାକୁ ଅଛପା ନାହିଁ । ଏହାର ଅଧିକାଂଶ କାମ ଡ. ଆମ୍ବେଦକରଙ୍କୁ ହିଁ କରିବାକୁ ପଡିଥିଲା
ପ୍ରଶ୍ନ କେବଳ ତାଙ୍କର ବୌଦ୍ଧିକ ଯୋଗଦାନର ନାହିଁ, ସମ୍ବିଧାନର ମୂଳ ଅବଧାରଣାକୁ ସ୍ଥାପିତ କରିବା ପାଇଁ ବାବା ସାହେବଙ୍କର କଣ ଯୋଗଦାନ ଥିଲା ତାହା ଉପରେ ଦୃଷ୍ଟି ପକାଇବା ଆବଶ୍ୟକ । ବର୍ତମାନ ସେକୁଲାରିଜମ ଓ ସମାଜବାଦକୁ ନେଇ ଚର୍ଚା ଚାଲିଛିା ଏହି ଦୁଇ ଶବ୍ଦକୁ ବାବା ସାହେବ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରି ନ ଥିଲେ, କେବଳ ସେତିକି ନୁହେଁ, ଏହାକୁ ବିରୋଧ ମଧ୍ୟ କରିଥିଲେ ।
ବାବା ସାହେବଙ୍କ ବିରୋଧକୁ ଆଜିର ସନ୍ଦର୍ଭରେ ବୁଝାଯାଇ ପାରିବ ନାହିଁ । ୧୯୪୫ରୁ ୫୦ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ସମାଜବାଦର ଲହରୀ ଥିଲା ଯେଉଁ ମାନେ ସମାଜବାଦ କଥା କହୁଥିଲେ ସେମାନଙ୍କୁ ପ୍ରଗତିଶୀଳ ବୋଲି କୁହାଯାଉଥିଲା । ଯେଉଁ ମାନେ ସମାଜବାଦ କଥା କହୁ ନ ଥିଲେ ସେମାନଙ୍କୁ ସମାଲୋଚନା କରାଯାଉଥିଲା । କହିବାକୁ ଗଲେ ସେତେବେଳେ ସମାଜବାଦର ଲହରୀରେ ବହି ଯିବାକୁ ପ୍ରଗତିଶୀଳତାର ପ୍ରତୀକ ବୋଲି ମନେ କରାଯାଉଥିଲା ଦେଶରେ ସେତେବେଳେ ସବୁଠାରୁ ଗୁରୁତ୍ୱପୂର୍ଣ ଓ ପ୍ରଭାବୀ ନେତା ଥିଲେ ପଣ୍ଡିତ ଜବାହରଲାଲ ନେହେରୁ । ସେ ମଧ୍ୟ ସମାଜବାଦର ଦୃଢ ସମର୍ଥକ ଥିଲେ । ସମାଜବାଦର ପ୍ରତ ଖୁବ ଅନୁକୂଳ ବାତାବରଣ ଥିଲା । ଏହି ଭଳି ପରିସ୍ଥିତିରେ ସମାଜବାଦକୁ ସମ୍ବିଧାନର ମୂଳ ଅବଧାରଣାରେ ସାମିଲ କରିବାକୁ ନେଇ ଡ. ଆମ୍ବେଦକରଙ୍କ ଉପରେ ସ୍ୱାଭବିକ ଭାବେ ଚାପ ରହିଥିଲା । କେବଳ ସେତିକି ନୁହେଁ କିଛି ନେତା ତାଙ୍କୁ ଏହି ଶବ୍ଦକୁ ସାମିଲ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ପ୍ରୋ.କେ.ଟି ଶାହ ଏହାକୁ ସାମିଲ କରିବାକୁ ତାଙ୍କ ନିକଟରେ ଅନୁରୋଧ କରିଥିଲେ । ସମ୍ବିଧାନ ସଭାରେ ହୋଇଥିବା ବିତର୍କର ରେକର୍ଡକୁ ଅଧ୍ୟୟନ କଲେ ସ୍ପଷ୍ଟ ହୋଇଯାଏ ଯେ ପ୍ରୋ. ଶାହ ଏହି ଦୁଇ ଶବ୍ଦକୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏହା ସତ୍ୱେ ଡ. ଆମ୍ବେଦକର ଏହାକୁ ପ୍ରସ୍ତାବନାରେ ସାମିଲ କରି ନ ଥିଲେ । ଏ ସମ୍ପର୍କରେ ଅନୁରୋଧ ଓ ଦାବିକୁ ସେ ଅସ୍ୱୀକାର କରିଥିଲେ । ଡ. ଆମ୍ବେଦକର ଏହାର ଉତ୍ତରରେ କହିଥିଲେ ଯେ ଆମେ କୌଣସି ବାଦ ବା ବିଚାରକୁ ଭାବୀ ପୀଢିଙ୍କ ବେକରେ କିପରି ବାନ୍ଧି ପାରିବା ? ଆମ୍ବେଦକରଙ୍କ ସ୍ପଷ୍ଟ ମତ ଥିଲା ଯେ ଯଦି ସମ୍ବିଧାନର ମୂଳ ପ୍ରସ୍ତାବନାରେ କୌଣସି ବାଦ ବା ବିଚାରକୁ ସାମିଲ କରି ଦିଆ ଯିବ ତେବେ ଆମେ ତାଙ୍କ ଉପରେ ଏକ ନିଶ୍ଚିତ ମତବାଦକୁ ଲଦି ଦେବା ପରି ହେବ । ଏହା ଦ୍ୱାରା ସେମାନଙ୍କର ସ୍ୱତନ୍ତ୍ର ଚିନ୍ତନ ପ୍ରଭାବିତ ହେବ । ଏ ସମ୍ପର୍କରେ ଡ. ଆମ୍ବେଡକରଙ୍କର ବିଚାରରେ ଏ ନେଇ ସମ୍ପୂର୍ଣ ସ୍ପଷ୍ଟତା ଥିଲା । ସେ ଏଇ କଥାକୁ ନେଇ ଦୃଢ ଥିଲେ ଯେ ଦେଶର ଭାବି ପୀଢିଙ୍କୁ କୌଣସି ଏକ ନିଶ୍ଟିତ ବିଚାରଧାରାରେ ବାନ୍ଧି ଦେବା ଅନୁଚିତ ।
ବାସ୍ତବରେ ସମ୍ବିଧାନ ସଭାରେ ଓ ପରେ ସଂସଦରେ ଡ. ଆମ୍ବେଦକର ଏ ସମ୍ପର୍କରେ ଯେଉଁ ଭାଷଣ ଦେଇଥିଲେ ସେଥିରୁ ମୂଳ ଅବଧାରଣା ସମ୍ପର୍କରେ ତାଙ୍କର ଚିନ୍ତନ ସ୍ପଷ୍ଟ ହୋଇଥାଏ । ସେ ଜଣେ ମୌଳିକ ଚିନ୍ତକ ଥିଲେ ତାହା ମ୍ମ ସ୍ପଷ୍ଟ ହୋଇଥାଏ କିନ୍ତୁ ପରବର୍ତୀ ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତିରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସମାଜବାଦ ଓ ସେକୁଲାରିଜମ ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରାଇ ନେଇଥିଲେ । ବାସ୍ତବରେ ଦେଖିବାକୁ ଗଲେ ଏହି ଉଭୟ ଶବ୍ଦ ଓ ବିଚାର ଭାରତୀୟ ବିଚାର ନୁହେଁ । ଏଭଳି ପରିସ୍ଥିତିରେ ଏହି ଦୁଇ ଶବ୍ଦ ସମାଜବାଦ ଓ ସେକୁଲାରିଜମକୁ ସମ୍ବିଧାନର ମୂଳ ପ୍ରସ୍ତାବନାରେ ରଖିବା ବା ନ ରଖିବାକୁ ନେଇ ବିତର୍କ ହେବାର କଣ ଆବଶ୍ୟକତା ନାହିଁ ?