Latest News

କେଲକରଜୀଙ୍କ ଡାଏରୀରେ ନାମ ନ ଥିଲେ କେଉଁଠି ସରକାରୀ ଚାକିରୀ କିମ୍ବା ବ୍ୟବସାୟ କରୁଥାନ୍ତେ ଶିବରାଜ ସିଂହ ଚୌହାନ

Jun 24, 2024
Odishakhabar:

ଡ. ସମନ୍ୱୟ ନନ୍ଦ 

ଖୁବ କମ ଲୋକଙ୍କୁ ଜଣା ଥିବ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କିଭଳି ରାଜନୀତିକୁ ଆସିଥିଲେ । ଏହା ପଛରେ ଏକ ରୋଚକ କାହାଣୀ ରହିଛି ।  ଏହି କାହାଣୀ  ପୂର୍ବତନ ପ୍ରଧାନମନ୍ତ୍ରୀ  ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶ ଉପରେ ଲଦା ଯାଇଥିବା ଜରୁରୀକାଳୀନ ପରିସ୍ଥିତି ସହ ଜଡିତ ରହିଛି । 

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେତେବେଳେ ତାଙ୍କର ଏକଛତ୍ରବାଦୀ ମାନସିକତାର ପରିଚୟ ଦେଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ ସେତେବେଳେ ସେ ତାଙ୍କର ସମସ୍ତ ବିରୋଧୀ କିମ୍ବା ଯାହା ମଧ୍ୟରେ ବିରୋଧୀ ହେବାର ଟିକେ ହେଲେ ସମ୍ଭାବନା ଥିଲା ସମସ୍ତଙ୍କୁ ଜେଲରେ ଭର୍ତି କରି ଦେଇଥିଲେ ।  

ସେତେବେଳେ  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର  ପ୍ରଚାରକ  ମାନନୀୟ ସୂର୍ଯ୍ୟକାନ୍ତ କେଲକର ଭୋପାଳରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଂଗଠନ କାମ କରୁଥିଲେ । ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇ ସାରିଥାଏ । ସରକାର ଓ ପୋଲିସ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ ଅନ୍ୟ ସଂଗଠନ ଗୁଡିକର କାର୍ଯ୍ୟକର୍ତା ମାନଙ୍କୁ ବିନା କୌଣସି କାରଣରେ ଗିରଫ କରି ଜେଲରେ ପୂରାଉଥାନ୍ତି।  ଏହି କ୍ରମରେ ସୂର୍ଯ୍ୟକାନ୍ତ କେଲକରଙ୍କୁ ପୋଲିସ ଗିରଫ କରିଥିଲା । 

ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ଠାରୁ ତଲାଶୀ ନେବା ଅବସରରେ ଏକ ଛୋଟ ଡାଏରୀ ମଧ୍ୟ ପାଇଥିଲା । ଉକ୍ତ ଡାଏରୀରେ ସୂର୍ଯ୍ୟକାନ୍ତ କେଲକର ଭୋପାଳର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କର ନାମ ଲେଖିଥିଲେ । ଏମାନଙ୍କ ମଧ୍ୟରୁ ଏପରି ନାମ ମଧ୍ୟ ଥିଲା ଯେଉଁ ମାନଙ୍କୁ ସେ ସମ୍ପର୍କ କରି ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟ ସହ ଯୋଡି ସାରିଥାନ୍ତି । ସେହିପରି ତାଙ୍କର ଡାଏରୀରେ ଅନ୍ୟ ଏକ ସୂଚୀ ଥିଲା ଯେଉଁଥିରେ ସେ ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦର ସଂଗଠନ କାମକୁ ଗତି ଦେବାକୁ କେଉଁ ମହାବିଦ୍ୟାଳୟର କେଉଁ ଛାତ୍ରଙ୍କ ସହ ସମ୍ପର୍କ କରିବେ ।  ଏହି ତାଲିକାରେ ଶିବରାଜ ସିଂହ ଚୌହାନଙ୍କ ନାମ ଥିଲା ।  ଏହି ତାଲିକାରେ ଥିବା ଛାତ୍ର ମାନେ ବିଦ୍ୟାର୍ଥୀ ପରିଷଦ କଣ ତାହା ମଧ୍ୟ ଜାଣି ନ ଥିଲେ । ତେବେ ସୂର୍ଯ୍ୟକାନ୍ତ ଜୀ ଆଗାମୀ ଦିନରେ ତାଙ୍କ ସହ ସମ୍ପର୍କ ସ୍ଥାପିତ କରି ତାଙ୍କୁ ସଂଗଠନ ସହ ଯୋଡିବାର ଯୋଜନା କରି ଏହି ତାଲିକା ପ୍ରସ୍ତୁତ କରିଥିଲେ । 

ସୂର୍ଯ୍ୟକାନ୍ତଜୀଙ୍କ ଡାଏରୀରେ ବିଦ୍ୟାର୍ଥୀ ପରିଷଦ ସହ ସମ୍ପର୍କିତ ଥିବା ସମସ୍ତ ଛାତ୍ର ମାନଙ୍କୁ ପୋଲିସ ଗିରଫ କରିବା ଆରମ୍ଭ କରି ଦେଇଥିଲା । କେବଳ ସେତିକି ନୁହେଁ ଯେଉଁ ମାନେ ବିଦ୍ୟାର୍ଥୀ ପରିଷଦ ସହ ଜଡିତ ନ ଥିଲେ, ହେଲେ ଭବିଷ୍ୟତରେ ସୂର୍ଯ୍ୟକାନ୍ତ ଜୀ ଯାହାକୁ ସମ୍ପର୍କ କରିବାକୁ ଲକ୍ଷ୍ୟ ରଖିଥିଲେ ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରି ଜେଲରେ ପୁରାଇ ଦେଇଥିଲା । 

ଏହି କ୍ରମରେ ପୋଲିସ ଶିବରାଜ ସିଂହ ଚୌହାନଙ୍କୁ ଗିରଫ କରି ଜେଲରେ ପୂରାଇ ଦେଇଥିଲା ।  ଗାଁରୁ ପାଠ ପଢିବାକୁ ଆସିଥିବା ଶିବରାଜ ସିଂହ ଚୌହାନ ବୁଝି ପାରି ନ ଥିଲେ ପୋଲିସ ତାଙ୍କୁ କେଉଁ ଅପରାଧରେ ଗିରଫ କରୁଛି । କେଲକରଜୀଙ୍କ ଡାଏରୀ ଆଧାରରେ ତାଙ୍କୁ ପୋଲିସ ଗିରଫ କଲା ଓ ଶେଷରେ ସେ 19 ମାସ ଜେଲରେ ରହିଲେ । ଜେଲ ଭିତରେ ତାଙ୍କର ସଂଘର ଅନେକ ବରିଷ୍ଠ ଅଧିକାରୀ ଓ ବିଦ୍ୟାର୍ଥୀ ପରିଷଦର ସଂଗଠନର ପଦାଧିକାରୀ ମାନଙ୍କ ସହ ସମ୍ପର୍କ ହେଲା ଓ ଧୀରେ ଧୀରେ ସେ ସମାଜସେବା ଓ ରାଜନୀତି ପ୍ରତି ଆକୃଷ୍ଟ ହେଲେ । ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ହଟିଲା ସେତେବେଳେ ସେ ଜେଲରୁ ବାହାରକୁ ଆସିଥିଲେ ।  ଜେଲରୁ ବାହାରିବା ପରେ ସେ ପରବର୍ତୀ ସମୟରେ ସେ ବିଦ୍ୟାର୍ଥୀ ପରିଷଦ ଓ ପରେ ବିଜେପି ଯୁବ ମୋର୍ଚାର କାମ କଲେ । ଧୀରେ ଧୀରେ ସେ ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ ଓ ବର୍ତମାନ ଦେଶର କୃଷି ମନ୍ତ୍ରୀ ହୋଇ ପାରିଛନ୍ତି । 

ଏହି ଘଟଣାକୁ  ଶିବରାଜ ସିଂହ ଚୌହାନ ଥରେ ନିଜେ କହିଥିଲେ । ବୋଧ ହୁଏ 2009 କିମ୍ବା 2010 ମସିହାର କଥା । ମସିହା ଠିକ ଭାବେ ମନେ ପଡୁ ନାହିଁ।  ସେତେବେଳେ ସୂର୍ଯ୍ୟକାନ୍ତ କେଲକର ସହକାର ଭାରତୀର ସଂଗଠନ ସମ୍ପାଦକ ଭାବେ କାମ କରୁଥାନ୍ତି । ସହକାର ଭାରତୀ ସାରା ଦେଶରେ ସମବାୟ କ୍ଷେତ୍ରରେ କାମ କରିଥାଏ । ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ସହକାର ଭାରତୀର ଏକ ବଡ କାର୍ଯ୍ୟକ୍ରମ ଆୟୋଜିତ ହେଉଥାଏ । ମୁଁ ସେହି କାର୍ଯ୍ୟକ୍ରମକୁ କଭର କରିବାକୁ ଯାଇଥିଲି । କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲା ଯେ ଗୁଜରାତର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । 

ହେଲେ ଯେତେବେଳେ କାର୍ଯ୍ୟକ୍ରମ ଆରମ୍ଭ ହେଲା ସେତେବେଳେ ନରେନ୍ଦ୍ର ମୋଦୀଙ୍କ ବଦଳରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉଦଘାଟନ ବେଳେ ଥିଲେ । ସେ ନିଜେ ତାଙ୍କ ଭାଷଣରେ ସେ କାହିଁକି କାର୍ଯ୍ୟକ୍ରମରେ ଆସିଲେ  ତାର ଉଲ୍ଲେଖ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ମାନଙ୍କର ମନରେ ଥିବା ଦ୍ୱନ୍ଦକୁ ଦୂର କରିଥିଲେ । ସେ କହିଥିଲେ  ଯେ ନରେନ୍ଦ୍ର ଭାଇଙ୍କର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ତାଙ୍କୁ ହଠାତ ଏକ ଅନ୍ୟ ଜରୁରୀ କାମ ଆସିଗଲା ଯାହା ଫଳରେ ସେ ଗାନ୍ଧୀ ନଗରରୁ ଦିଲ୍ଲୀ ଆସି ପାରିଲେ ନାହିଁ।  ଏହା ପରେ ଗତ କାଲି ମାନନୀୟ ସୂର୍ଯ୍ୟକାନ୍ତଜୀ ମୋତେ ଯୋଗାଯୋଗ କରି କହିଲେ ନରେନ୍ଦ୍ର ଭାଈଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା, ହେଲେ ସେ କୌଣସି କାରଣରୁ ଆସି ପାରିଲେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଆପଣଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡିବ । 

ଶିବରାଜ ସିଂହ ଚୌହାନ ଆହୁରି  କହିଥିଲେ, ମୁଁ ସୂର୍ଯକାନ୍ତଜୀଙ୍କୁ  ମନା କରିବା ସମ୍ଭବ ନ ଥିଲା । ଏହା ପରେ ସେ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ସହ ଘଟିଥିବା ଉପର ଲିଖିତ କାହାଣୀକୁ ଦର୍ଶକ ମାନଙ୍କୁ ଶୁଣାଇଥିଲେ । ସେ କହିଥିଲେ ଯେ ଯଦି ସୂର୍ଯ୍ୟକାନ୍ତଜୀଙ୍କ ଡାଏରୀରେ ଆଗାମୀ ଦିନରେ ଯୋଗାଯୋଗ କରିବାକୁ ଥିବା ଛାତ୍ର ମାନଙ୍କ ତାଲିକାରେ ମୋର ନାମ ନ ଥାନ୍ତା ତେବେ ମୁଁ ମଧ୍ୟ ଅନ୍ୟ ସାଧାରଣ ବିଦ୍ୟାର୍ଥୀ ଭଳି ପାଠ ପଢି କେଉଁ ଠାରେ ସରକାରୀ ଚାକିରୀ କରୁଥାନ୍ତି କିମ୍ବା କୌଣସି ବ୍ୟବସାୟ କରୁଥାନ୍ତି । ଲୋକ ମାନଙ୍କର ସେବା କିମ୍ବା ରାଜନୀତି ଆଦୌ କରି ନ ଥାନ୍ତି । କେଲକରଜୀଙ୍କ ଡାଏରୀରେ ମୋର ନାମ ରହିବା ମୋର ଜୀବନର ଗତିପଥ ବଦଳାଇ ଦେଇଥିଲା । ଡାଏରୀରେ ନାମ ଥିବା କାରଣରୁ ଇମର୍ଜେନ୍ସୀରେ ମୋତେ କଂଗ୍ରେସ ସରକାର ଜେଲରେ ପୂରାଇଲା । ମୁଁ ଅନେକ ମାସ ଧରି ଜେଲରେ ରହିଲି । ତେଣୁ ଯଦି ମୁଁ ଆଜି ଯାହା ହୋଇଛି ତାହା ସୂର୍ଯ୍ୟକାନ୍ତଜୀଙ୍କ କାରଣରୁ । ତେଣୁ ତାଙ୍କର ଆଦେଶ ମିଳିବା ମାତ୍ରେ ମୁଁ ସମସ୍ତ କାମ ଛାଡି ସହକାର ଭାରତୀର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛି । 

Related Post