ବଲାଣି,୬/୧(ନି.ପ୍ର) - ବଲାଣି ଥାନା ଅନ୍ତର୍ଗତ ବାଲାଗୋଡ଼ା ପଞ୍ଚାୟତ ର ଲାଲ ଡ୍ୟାମ ନିକଟ ବୁଦାରୁ ନାବାଳିକାର କ୍ଷତ ବିକ୍ଷତ ଅବସ୍ଥାରେ ମୃତ ଦେହ ମିଳିବା ଘଟଣାର ୪ ଦିନ ପରେ ମଧ୍ୟ ପୁଲିସ ହତ୍ୟାକାରୀକୁ ଗିରଫ କରିବାରେ ବିଫଳ ହୋଇଛି । ଏହି ନିର୍ମମ ହତ୍ୟା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ବିଶେଷ କରି ମହିଳା ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଭଳି ନିର୍ମମ ହତ୍ୟାକାଣ୍ଡରେ ପୁଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ମିଳିନଥିବାରୁ ଲୋକଙ୍କ ପୁଲିସ ଉପରୁ ବିଶ୍ୱାସ ଉଠିଯାଉଛି ବୋଲି ଆଲୋଚନା ହେଉଛି । ଏ ନେଇ କିଛି ସ୍ୱୟଂ ସହାୟତା ମହିଳା ସଂଗଠନର ମହିଳା ଓ ମାନବାଧିକାର କର୍ମୀ ଥାନାରେ ପହଂଚି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ଏପରି ନିର୍ମମ ହତ୍ୟା ଘଟଣାର ହତ୍ୟାକାରୀ ଯଦି ବାହାରେ ବୁଲେ ତେବେ ମହିଳା ମାନଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ଏହି ଥାନା ଅନ୍ତର୍ଗତ ବଲାଣି ଖଣିର ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉଦ୍ଦିଷ୍ଟ ଟେଲିଙ୍ଗ ପଣ୍ଡ(ଲାଲ ଡ୍ୟାମ) ନିକଟ ବୁଦାରୁ ବଲାଣି ଖଣିର କଲୋନୀ କ୍ଷେତ୍ରରେ ଥିବା ବିର୍ସା କ୍ଳବ ନିକଟସ୍ଥ ଢ଼ିପା ସାହିର ସ୍ବର୍ଗତ କବ ସିଙ୍କୁଙ୍କ ୧୫ ବର୍ଷୀୟ ନାବାଳିକା ଝିଅର କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଥିଲା । ତେବେ କିଛି ଦିନ ତଳେ ଉକ୍ତ ନାବାଳିକା କନ୍ୟାର ଏହି ଥାନା ଅଧୀନସ୍ଥ ଓ ଏମ୍ ସି ହଟିଂ ରେ ଜଣେ ନାବାଳକ ଯୁବକ ସହିତ ବିବାହ ହୋଇଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ନାବାଳିକାର ମୃତ ଦେହ ଠାବ ହେବା ସମୟରେ ନାବାଲିକାର ହାତରେ ଚୁଡି,ବଳା ଓ ଶଙ୍ଖା ଆଦି ପିନ୍ଧିଥିବା ଅବସ୍ଥାରେ ମୃତ ଦେହ ଠାବ ହୋଇଥିବା ଦେଖାଯାଇଥିଲା । ନାବାଳିକାର ଏତେ କମ୍ ବୟସରେ ବିବାହ ହେବା କେଉଠି ନା କେଉଁଠି ସମାଜ ଓ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡ ପୂର୍ବ ଯୋଜନା ଅନୁସାରେ ସଂଘଟିତ ହେବା ସହିତ ଏକାଧିକ ଅଭିଯୁକ୍ତ ସାମିଲ ଥିବା ପାରିପାର୍ଶ୍ବିକ ପରିସ୍ଥିତି ରୁ ଜଣା ପଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ହତ୍ୟା ଘଟଣାର ୪ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ଜଣେ ଅଭିଯୁକ୍ତକୁ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରିନପାରିବା ବଲାଣି ପୁଲିସର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସହିତ ନାବାଳିକାର ହତ୍ୟା କେଉଁ କାରଣରୁ,କେଉଁ ପରିସ୍ଥିତିରେ ଓ କିପରି ସଂଘଟିତ ହେଲା ସେ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ବେଳେ ପୁଲିସ ଯଥାଶୀଘ୍ର ହତ୍ୟାକାରୀ ଙ୍କୁ ଗିରଫ କରିବାକୁ ଜନସାଧାରଣରେ ଦାବି ହେଉଛି ।ଏ ନେଇ ବଲାଣି ଥାନା ଅଧିକାରୀ ଭଜରାଜ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଗିରଫ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି ।