ଚମ୍ପୁଆ, (୦୨/୦୬) ଚମ୍ପୁଆ ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳ ଓ ସାପ୍ତାହିକ ହାଟରେ ଚାଲିଛି ବେଧଡକ କୁକୁଡ଼ା ଲଢେ଼ଇ ଓ ଜୁଆଖେଳ। କୁକୁଡ଼ା ଲଢେ଼ଇ ଆଳରେ ବ୍ୟାପକ ଜୁଆଖେଳ ସହ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଥିବା ବେଳେ ପୋଲିସ ପ୍ରଶାସନ ଏହା ଉପରେ ଲଗାମ ଲଗାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି । କୁକୁଡ଼ା ଲଢେ଼ଇକୁ ରାଜ୍ୟ ସରକାର ବେଆଇନ୍ ଘୋଷଣା କରିଥିବା ବେଳେ ଚମ୍ପୁଆ ଅଞ୍ଚଳର ଗ୍ରାମାଞ୍ଚଳ ଗୁଡ଼ିକରେ କୁକୁଡ଼ା ଲଢେ଼ଇ ନିୟମିତ ଭାବେ ହେଉଛି । କୁକୁଡ଼ା ଲଢେ଼ଇ ସହିତ ବ୍ୟାପକ ଜୁଆ ଖେଳ ମଧ୍ୟ ବେଶ୍ ଜମୁଛି । କୁକୁଡା ପଡାରେ କୁକୁଡା ବନ୍ଧା ସହ ଲକ୍ଷ ଲକ୍ଷ ଟଙ୍କା ବାଜିରେ ଲାଗୁଛି। ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁରରୁ ଯୋଡାପୋଖରୀ ରାସ୍ତାରେ ଥିବା ଜଙ୍ଗଲ ଭିତରେ ପ୍ରତି ସପ୍ତାହରେ ଦୁଇ ଦିନ ଖୁଲମଖୁଲା ଚାଲିଛି ବେଆଇନ୍ କୁକୁଡ଼ା ଲଢେ଼ଇ ଓ ଜୁଆଖେଳ। ପ୍ରତି ବୁଧବାର ଓ ଶନିବାର ଅପରାହ୍ନରେ ଆୟୋଜନ ହେଉଛି ଏହି କୁକୁଡ଼ା ଲଢେ଼ଇ। କୁକୁଡ଼ା ଲଢେ଼ଇ ହେଉଥିବା ସ୍ଥାନରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟର ଚୋରା କାରବାର ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଥିରେ ଭାଗ ନେଇ ଲୋକେ ସର୍ବଶ୍ୱାନ୍ତ ହେବା ସହ ଗଣ୍ଡଗୋଳ ସହିତ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। କୁକୁଡା ଲଢେଇ ଓ ଜୁଆଖେଳରେ ଭାଗ ନେବା ପାଇଁ ଯୋଡା, ବଡ଼ବିଲ, କୋଇଡା ପ୍ରଭୃତି ଖଣି ଅଞ୍ଚଳ ସମେତ ପଡୋଶୀ ମୟୁରଭଞ୍ଜ ଓ ଝାଡଖଣ୍ଡରୁ ଜୁଆଡି ମାନଙ୍କ ଶହ ଶହ ସଂଖ୍ୟାରେ ଗାଡି ଲାଗୁଛି। କୁକୁଡ଼ା ଲଢେ଼ଇ ଆୟୋଜନ କରୁଥିବା ବ୍ୟକ୍ତି ବିଶେଷ ନିଜ ଲାଭ ପାଇଁ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ବିଶେଷ କରି ଗ୍ରାମର ଯୁବପିଢ଼ି ଏହି ସବୁ ବେଆଇନ୍ କାର୍ଯ୍ୟ ପ୍ରତି ଆକୃଷ୍ଟ ହେଉଥିବାରୁ ଏହାକୁ ବନ୍ଦ କରିବାକୁ ସାଧାରଣରେ ଦାବୀ ହେଉଛି।