ଚମ୍ପୁଆ, ୦୩/୦୬ (ତ୍ରିନାଥ ମହାନ୍ତ) ଗାଁ ଗୁଡିକର ସ୍ୱଛତା ଦୃଷ୍ଟିରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନା ମାନ ହାତକୁ ନିଆ ଯାଉଛି। ଗାଁ ଦାଣ୍ଡରୁ ଉପଯୁକ୍ତ ଜଳ ନିଷ୍କାସନ ସହିତ ନଳକୂପ ଏବଂ ଘର ଗୁଡିକରୁ ବାହାରୁ ଥିବା ମଇଳା ପାଣି ଯେପରି ଗାଁ ଦାଣ୍ଡରେ ନ ଚାଲେ, ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ନ କରେ ସେ ନେଇ ବିଭିନ୍ନ ଯୋଜନାରେ ଡ୍ରେନ , ସର୍ଟପିଟ ନିର୍ମାଣ କରାଯିବା ସହିତ ଗାଁ କଲ୍ୟାଣ ସମିତି ଠାରୁ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଉଥିବା ବେଳେ ଚମ୍ପୁଆ ବ୍ଲକର ସୁନାପଶି ପଞ୍ଚାୟତରେ ଏହି ଅନୁଦାନ ଟଙ୍କାର ଉପଯୁକ୍ତ ଖର୍ଚ୍ଚ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ଚମ୍ପୁଆ ବ୍ଲକର ଜାମୁଦଲକ ପଞ୍ଚାୟତ ଶ୍ରୀଧରପୁର ଠାରୁ ନାରଦପୁର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ସୁନାପଶି ପଞ୍ଚାୟତ ମଧ୍ୟ ଦେଇ ଯାଇଛି । ଏହି ରାସ୍ତାଟି ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଉପରେ ସୁନାପଶି, ବାଙ୍କ, ଇନ୍ଦ୍ରପ୍ରସ୍ଥ, ସରାଶପଶି, ଯୋଡ଼ାପୋଖରୀ, ଗିରିଧାରୀପୁର, ବାସୁଦେବପୁର ଆଦି ଗ୍ରାମର ଗ୍ରାମବାସୀ ନିର୍ଭର କରିଥାନ୍ତି । କିନ୍ତୁ ସୁନାପଶି ଓ ଇନ୍ଦ୍ରପ୍ରସ୍ଥ ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଏହି ରାସ୍ତା ଉପରେ ସବୁ ସମୟରେ ଆଣ୍ଠୁଏ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି। ଖୋଦ ସରପଞ୍ଚଙ୍କ ଗାଁ ଦାଣ୍ଡରେ ବର୍ଷସାରା ଘର ଗୁଡ଼ିକରୁ ବାହାରୁଥିବା ଆବର୍ଜନା ପାଣି ସହିତ ବର୍ଷା ପାଣି ଜମାହୋଇ ରହୁଥିବା ଦେଖିବାକୁ ମିଳୁଛି। ପାଣି ନିଷ୍କାସନ ପାଇଁ ବାଟ ନ ଥିବାରୁ ଏଭଳି ସମସ୍ୟା ଉପୁଜୁ ଥିବା ଜଣାପଡିଛି । ଗ୍ରାମରେ ଡ୍ରେନର ଆବଶ୍ୟକତା ରହିଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାଧାରଣ ବର୍ଷାରେ ଗାଁ ଦାଣ୍ଡରେ ବହୁ ଥିବା ପାଣିର ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଏହି ପାଣି ଗାଁ ଦାଣ୍ଡରେ ଦୀର୍ଘ ଦିନ ଧରି ଜମା ହୋଇ ରହୁଛି । ଲୋକେ ପ୍ରତିଦିନ ଏହି ମଇଳା ପାଣି ଭିତରେ ପଶି ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି। ସରପଞ୍ଚଙ୍କ ଖୋଦ ନିଜ ଗ୍ରାମରେ ପରିମଳ ବ୍ୟବସ୍ଥାରେ କୌଣସି ସୁଧାର ଆସି ପାରୁ ନ ଥିବାବେଳେ ଅନ୍ୟ ଗ୍ରାମ ଗୁଡିକରେ କଣ ସୁଧାର ଆସିବ ବୋଲି ପଞ୍ଚାୟତବାସୀ କହୁଥିବାବେଳ ସୁନାପଶି ପଞ୍ଚାୟତର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ଅନୁଦାନକୁ ଯୋଜନା ବିହୀନ ଭାବରେ କାର୍ଯ୍ୟ କରିବା ସହିତ ଲାଭ ଖୋର ମନବୃତ୍ତି ନେଇ କାର୍ଯ୍ୟ କରା ଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ପଞ୍ଚାୟତକୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନରେ ଡ୍ରେନେଜ ବ୍ୟବସ୍ଥା କରାଯିବାରେ କଣ ଅସୁବିଧା ରହିଛି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ସୁନାପଶି ସରପଞ୍ଚ ସଞ୍ଚିତା ଚାତାରଙ୍କୁ ଯୋଗାଯୋଗ କରିବାରୁ ରାସ୍ତା କଡରେ ସ୍ଥାନ ଅଭାବରୁ ଡ୍ରେନ ନିର୍ମାଣ ହୋଇ ପାରି ନାହିଁ, ତେବେ ମୁଁ ଏ ବିଷୟରେ ଆର ଡି ବିଭାଗ ଓ ପଞ୍ଚାୟତ ସମିତିକୁ ଅବଗତ କରିଛି, କାମ ଆସିଲେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ତେବେ ଉପଯୁକ୍ତ ଯୋଜନା ମୁତାବକ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆସି ପାରିଲେ ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହିବା ପରିସ୍ଥିତି ସାମ୍ନା କରିବାରୁ ମୁକ୍ତି ମିଳନ୍ତା, ତେଣୁ ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି।