ଚମ୍ପୁଆ, ୦୪/୦୪ (ତ୍ରିନାଥ ମହାନ୍ତ) ଚମ୍ପୁଆ ସଦର ମହକୁମା ସ୍ଥିତ ଆଦର୍ଶ ବିଦ୍ୟାଳୟ ର ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ, ଏବଂ ଅଭିଭାବକ ମହଲରେ ଦିନକୁ ଦିନ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟ ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟାଳୟ ପରିସର ଦୁର୍ଗନ୍ଧ ରେ ଫାଟି ପଡ଼ୁଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବାରୁ ଛାତ୍ର ଛାତ୍ରୀ ମାନେ ଦୁର୍ଗନ୍ଧମୟ ଅପ୍ରୀତିକର ପରିବେଶ ମଧ୍ୟରେ ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ଗତ ୨୦୧୬ ମସିହାରେ ଚମ୍ପୁଆ ବ୍ଲକ୍ ମୁଖ୍ୟାଳୟ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଚମ୍ପୁଆ ଅଞ୍ଚଳ ରେ ଛାତ୍ର ଛାତ୍ରୀ ମାନଙ୍କୁ ଆଦର୍ଶ ପରିବେଶ ରେ ଇଂରାଜୀ ମାଧ୍ୟମ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ରଖି ନିର୍ମିତ ଏହି ବିଦ୍ୟାଳୟ ବର୍ଷ କେଇଟା ନ ଯାଉଣୁ ନାନାବିଧ ସମସ୍ୟା ରେ ଛନ୍ଦି ହୋଇ ପଡିଛି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିଦ୍ୟାଳୟ ର ଶିକ୍ଷ୍ୟା ପରିବେଶ କୁ ଉପହାସ କରୁଛି । ଛାତ୍ରଛାତ୍ରୀ ଙ୍କ ପାଇଁ ପିଇବା ପାଣି ଟ୍ୟାପ ନିକଟ ରେ ବିଦ୍ୟାଳୟ ର ପାଇଖାନା ପାଇପ ଫାଟି ମଇଳା ପାଣି ବୋହୁଥିବା ଦେଖିବାକୁ ମିଳୁଛି । ଯାହା ଦ୍ୱାରା ପିଇବା ପାଣି ଟ୍ୟାପ ପରିସର ଦୂଷିତ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ନେଇ ଆଶଙ୍କା ସୃଷ୍ଟି ହେଉଛି । ଅନ୍ୟପଟେ ବିଦ୍ୟାଳୟ ର ଶୌଚାଳୟ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ଅପରିଷ୍କାର ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ଏଠାରେ ଖୋଦ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନା ଗୁଡିକ ମଧ୍ୟ ବ୍ୟବହାର ଯୋଗ୍ୟ ନ ଥିବାବେଳେ ଛାତ୍ର, ଛାତ୍ରୀଙ୍କ କଥା ପଚାରେ କିଏ ? କିନ୍ତୁ ଅନ୍ୟୋପାୟ ନ ଥିବାରୁ ଛାତ୍ରଛାତ୍ରୀ ମାନେ ଅପରିଷ୍କାର ଶୌଚାଳୟ ବ୍ୟବହାର କରିବାକୁ ବାଧ୍ଯ ହେଉଛନ୍ତି । ବିଦ୍ୟାଳୟକୁ ଘେରି ରହିଛି ବିରାଟ ସୁରକ୍ଷା ପାଚେରୀ। ବିଦ୍ୟାଳୟ ପରିସରରେ ବିଭିନ୍ନ ଫୁଲଗଛ ଲଗାଇ ସବୁଜମୟ ସୁନ୍ଦର ପରିବେଶରେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସମ୍ପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କରା ଯାଇଛି। ହେଲେ କର୍ତୃପକ୍ଷଙ୍କ ଅବହେଳା ପାଇଁ ମରୁଭୂମିରେ ପରିଣତ ହୋଇଛି ବିଦ୍ୟାଳୟ ପରିସର। ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରୁ +୨ ପର୍ଯ୍ୟନ୍ତ ମାତ୍ର ୧୨ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷାଦାନ ଫଳରେ ଶିକ୍ଷକଙ୍କ ଅଭାବିକରଣ ଶିକ୍ଷାଦାନରେ ଘୋର ବ୍ୟାଘାତ ସୃଷ୍ଟି କରୁଛି। ଖୋଦ ଉପଜିଲ୍ଲାପାଳ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଥିବା ବେଳେ ବିଦ୍ୟାଳୟ ର ସମସ୍ୟା ପ୍ରତି ଦୀର୍ଘ ଦିନ ଧରି ପ୍ରଶାସନ ର ନଜର ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲ ରେ ଅସନ୍ତୋଷ ସୃଷ୍ଟି ହେଉଛି । ତେବେ ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚାରିବାରୁ ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀ ଙ୍କୁ ଲିଖିତ ଭାବେ ଜଣାଇଛୁ କହିଥିବା ବେଳେ ଏ ସମ୍ପର୍କରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଙ୍କୁ ଯୋଗାଯୋଗ କରିବାରୁ ଆଲୋଚନା କରି ଖୁବଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ।