Latest News

ରାମନବମୀରେ ଉତ୍ସବ ମୁଖର ଝୁମ୍ପୁରା ପାତ୍ରସାହି

Apr 07, 2025
Odishakhabar:Champua-keonjhar-1005

 ଚମ୍ପୁଆ, (୦୭/୦୪) ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ପାତ୍ର ସାହିରେ ମହାଆଡମ୍ବର ଓ ଜାକଜମକରେ ପବିତ୍ର ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ସାରା ଅଞ୍ଚଳ ଉତ୍ସବ ମୁଖର ହେବା ସହ ଗେରୁଆମୟ ହୋଇଥିବା ଦେଖିବାକୁ ମିଳିଛି। ପାତ୍ର ସାହି ସ୍ଥିତ ପ୍ରଭୂ ଶ୍ରୀ ହନୁମାନ ମନ୍ଦିରରେ ପ୍ରାତଃ ସମୟରେ ହନୁମାନ ଚାଳିଶା ପାଠ ସହ ଆରମ୍ଭ ହୋଇଥିଲା ରାମ ନବମୀ ଉତ୍ସବ। ଶ୍ରଦ୍ଧାଳୁ ମାନେ ନିକଟସ୍ଥ ଅରଡେଇ ନଦୀ ଘାଟରୁ ହନୁମାନ ମନ୍ଦିରକୁ କଳସ ଶୋଭାଯାତ୍ରାରେ ଘଟ ଆଣିଥିଲେ। ପ୍ରଭୁ ଶ୍ରୀରାମ ଏବଂ ଭକ୍ତ ହନୁମାନଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ମନ୍ଦିରରେ ଭିଡ ଜମାଇଥିଲେ। ମଧ୍ୟାହ୍ନରେ ହନୁମାନ ପତାକାକୁ ପୂଜାର୍ଚନା ପରେ ଅପରାହ୍ନରେ ହନୁମାନ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସାହି ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ବହୁସଂଖ୍ୟାରେ ଲୋକ ସ୍ଵତଃସ୍ପୂର୍ତ୍ତ ଭାବେ ସାମିଲ ହୋଇଥିଲେ। ସନ୍ଧ୍ୟାରେ ମନ୍ଦିର ପରିସରରେ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ସାନଯୋଡ଼ା ଗ୍ରାମର ସଂକୀର୍ତ୍ତନ ଦଳ ସୁନ୍ଦର ସଂକୀର୍ତ୍ତନ ପ୍ରଦର୍ଶନ କରିଥିବା ବେଳେ ରାତ୍ରି ସମୟରେ ଚମ୍ପାଡ଼ିହି ଗ୍ରାମର ମହିଳା ପାଲା ଗାୟିକା ସବିତା ମହାରଣା ସୁନ୍ଦର ପାଲା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଝୁମ୍ପୁରା ପାତ୍ରସାହି ବଜରଙ୍ଗବାଲି ପୂଜା କମିଟି ସଦସ୍ୟ ଦୀପକ କୁମାର ପାତ୍ର, ସଞ୍ଜୟ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିଜୟ ପାତ୍ର, ରଞ୍ଜନ ନାଏକ, ସ୍ୱରାଜ ପାତ୍ର, ସ୍ବଦେଶ ରଞ୍ଜନ ପାତ୍ର, ମଙ୍ଗୁଳୁ ପାତ୍ର, ଅଭିଷେକ ଦେହୁରୀ, ପ୍ରଶାନ୍ତ ପାତ୍ର, ଗିରିଜା ଶଙ୍କର ପାତ୍ର, ଯୋଗେଶ୍ୱର ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Related Post