Latest News

ରାମନବମୀ ପାଇଁ ଉତ୍ସବ ମୁଖର ଚମ୍ପୁଆ

Apr 06, 2025
Odishakhabar:Champua-keonjhar-1003

 ଚମ୍ପୁଆ, ( ୦୬/୦୪) ଚମ୍ପୁଆରେ ମହାଆଡମ୍ବର ଓ ଧୁମଧାମରେ ପାଳିତ ହେଉଛି ପବିତ୍ର ଶ୍ରୀ ରାମ ନବମୀ ଉତ୍ସବ । ଏହି ଅବସରରେ ଉତ୍ସବ ମୁଖର ଓ ଗେରୁଆମୟ ହୋଇଛି ସମଗ୍ର ଚମ୍ପୁଆ ସହର। ଚମ୍ପୁଆ ବଜାର ସ୍ଥିତ ରାମମନ୍ଦିରରେ ପ୍ରାତଃ ତିନି ଘଟିକାରୁ ୧୦୮ ହନୁମାନ ଚାଳିଶା ପାଠ ସହ ଆରମ୍ଭ ହୋଇଥିଲା ରାମ ନବମୀ ଉତ୍ସବ । ମହିଳା ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀ ଘାଗରା ଘାଟରୁ ରାମ ମନ୍ଦିରକୁ କଳସ ଶୋଭାଯାତ୍ରାରେ ଘଟ ଆଣିଥିଲେ । ପ୍ରଭୁ ଶ୍ରୀରାମଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ମନ୍ଦିରରେ ଭିଡ ଜମାଇଥିଲେ। ମଧ୍ୟାହ୍ନରେ ହନୁମାନ ପତାକାକୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ଆଣି ଚମ୍ପୁଆ ମହାବୀର ଛକରେ ସ୍ଥାପିତ କରା ଯାଇଥିଲା। ଅପରାହ୍ନରେ ରାମମନ୍ଦିରରୁ ଏକ ଭବ୍ୟ ଓ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଖୋର୍ଦ୍ଧାରୁ ଆସିଥିବା ପାଇକ ଦଳ ସଦସ୍ୟ ମାନେ ବିଭିନ୍ନ ପ୍ରକାରର ଦୁଃସାହସିକ ଖେଳ ଓ ଦ୍ୱନ୍ଦ ଯୁଦ୍ଧର ପ୍ରଦର୍ଶନ କରିଥିଲେ। ଏଥି ସହିତ ଭୁବନେଶ୍ୱରରୁ ଆସିଥିବା ବାଇକ ଟିମ ମୋଟର ବାଇକରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ । ଏହି ଶୋଭାଯାତ୍ରାରେ ବହୁସଂଖ୍ୟାରେ ଲୋକ ସ୍ଵତଃସ୍ପୂର୍ତ୍ତ ଭାବେ ସାମିଲ୍ ହୋଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଚମ୍ପୁଆର ସଦସ୍ୟ ମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସନ୍ଧ୍ୟାରେ ମନ୍ଦିର ପରିସରରେ ଭୁବନେଶ୍ୱରର ମା ବ୍ରାହ୍ମଣୀ ଦେବୀ ଦୃଷ୍ଟିହୀନ ସଂଘ ଭଜନ ପରିବେଷଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶ୍ରୀ ରାମ ମନ୍ଦିର କମିଟି ଓ ଚମ୍ପୁଆ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରା ଯାଇଥିଲା। ଚମ୍ପୁଆ ଉପଖଣ୍ଡ ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ସାହୁ ଓ ଆଇଆଇସି ଦେବକୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଏନସିସି ବାହିନୀ ନିୟୋଜିତ ହୋଇଥିଲେ। କମିଟି ସଦସ୍ୟ ବାବୁଲା ଚାଉଡା, ସୁବାସ ରାମ , ମନୋଜ ସାହୁ, ଦୀପକ ସାହୁ, ପବନ ସାହୁ, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏଥି ସହିତ ଚମ୍ପୁଆ ନିକଟସ୍ଥ ଜୟନ୍ତୀ ଗଡ ଠାରେ ମଧ୍ୟ ରାମନବମୀ ଉପଲକ୍ଷେ ନାମ ସଂକୀର୍ତ୍ତନ ଓ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇ ଯାଇଛି ।

Related Post