Latest News

ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା

Apr 06, 2025
Odishakhabar:Champua-keonjhar-1004

 ଚମ୍ପୁଆ, (୦୬/୦୪) ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଜାଲି ଗ୍ରାମରେ ବେଆଇନ୍ ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ପବିତ୍ର ଶ୍ରୀରାମ ନବମୀରେ ନଅ ଜଣ ଖ୍ରୀଷ୍ଟ ଧର୍ମପ୍ରଚାରକ ଜାଲି ଗ୍ରାମକୁ ଆସି ଡ଼ାକବାଜି ଯନ୍ତ୍ରରେ ହିନ୍ଦୁ ଧର୍ମର ନିନ୍ଦା କରିବା ସହ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ପାଇଁ ପ୍ରଚାର କରୁଥିଲେ । ହିନ୍ଦୁ ଧର୍ମ ବିଷୟରେ ଡ଼ାକବାଜି ଯନ୍ତ୍ରରେ ନାନାଦି ଅପପ୍ରଚାର କରୁଥିବାରୁ କିଛି ଗ୍ରାମବାସୀ ସେମାନଙ୍କ ଏତାଦୃଶ କାର୍ଯ୍ୟକଳାପର ବିରୋଧ କରିଥିଲେ । ଗ୍ରାମବାସୀଙ୍କ ବାରଣ ସତ୍ତ୍ୱେ ମଧ୍ୟ ଖ୍ରୀଷ୍ଟ ଧର୍ମ ପ୍ରଚାର କାରୀ ମାନେ ହିନ୍ଦୁ ଧର୍ମର ନିନ୍ଦା ଜାରୀ ରଖିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ବ୍ୟକ୍ତି ମାନଙ୍କୁ ଅଟକ ରଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ହିନ୍ଦୁବାଦୀ ସଙ୍ଗଠନର ସଦସ୍ୟ ମାନେ ଜାଲି ଗ୍ରାମରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ । ଖବର ପାଇ ବାରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଚାର କରା ଯାଉଥିବା ଅଟୋ ଓ ଡାକବାଜି ଯନ୍ତ୍ରକୁ ଜବତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଦୁଇଜଣ ଧର୍ମ ପ୍ରଚାରକ ଘଟଣା ସ୍ଥଳରୁ ଖସିଯିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସାତ ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଜାଲି ଗ୍ରାମ ବେହେରା ସାହିର ରାଜୀବ ଲୋଚନ ବେହେରା ଓ ତାଙ୍କ ସ୍ତ୍ରୀ ବବିତା ବେହେରା, ଟାଙ୍ଗରପଡା ଗ୍ରାମର ହେମଲତା ମୁଣ୍ଡା, ସୁଷମା ମୁଣ୍ଡା, ପାଟଣା ଥାନା ଅନ୍ତର୍ଗତ ତେଲି ଟାଙ୍ଗରପଡା ଗ୍ରାମର ଜୟସିଂ ସିଙ୍କୁ ଓ ତାଙ୍କ ସ୍ତ୍ରୀ ଜେମା ସିଙ୍କୁ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସାରଙ୍ଗ ଗଡ଼ ଗ୍ରାମର ମଧୁ ଚାତାର, ରରୁଆଁ ଥାନା ଅନ୍ତର୍ଗତ ରାଜା ବସା ଗ୍ରାମର ମଙ୍ଗଳୁ ଗାଗରାଇ, କେନ୍ଦୁଝର ରାଇସୁଆଁ ଥାନା ଅନ୍ତର୍ଗତ ମଇଦାନକେଲ ଗ୍ରାମର ବିନତି ବେହେରା ବେଆଇନ୍ ଧର୍ମାନ୍ତରୀକରଣ ସହ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଭଙ୍ଗ କରିବାକୁ ଯୋଜନା କରୁଥିବା ନେଇ ବାରିଆ ଥାନାରେ ଅଭିଯୋଗ ହୋଇଛି। ତେବେ ଦିନକୁ ଦିନ ଚମ୍ପୁଆ ଉପଖଣ୍ଡରେ ଖ୍ରୀଷ୍ଟ ଧର୍ମ ପ୍ରଚାରକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଶିକାର ହେଉଛନ୍ତି ନିରୀହ ଆଦିବାସୀ। ଧର୍ମ ପରିବର୍ତ୍ତନର ଗତିବିଧି ଚାଲିଥିବା ଗ୍ରାମ ଗୁଡ଼ିକରେ ଅନେକ ସମୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଏହି ସରଳ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମର ପ୍ରଚାରକ ମାନେ ସେମାନଙ୍କ ଧର୍ମ ପରିବର୍ତ୍ତନ କରୁଥିବା ବେଳେ ସବୁ ଜାଣି ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ନେଇ ଅଭିଯୋଗ ହେଉଛି।

Related Post