ଚମ୍ପୁଆ, ୧୫/୦୬ (ତ୍ରିନାଥ ମହାନ୍ତ) ମେର୍ମେଦା ନାଳରୁ ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇ ପାରୁନାହିଁ ବିଭାଗ। ଫଳରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସୀମା ଟପିବାକୁ ବସିଛି। ବାଲି ମାଫିଆ ସ୍ଥାନୀୟ ବାସିନ୍ଦାଙ୍କୁ ନାଲି ଆଖି ଦେଖାଇ ଗାଧୁଆ ତୁଠ ରୁ ମଧ୍ୟ ଖୋଳି ନେଉଛନ୍ତି ବାଲି। ଗ୍ରାମର ଝିଅ ବୋହୂ ମାନଙ୍କୁ ଗାଧୋଇବାକୁ ଦେଉ ନାହାନ୍ତି । ବିରୋଧ କଲେ ନିଶା ଖାଇ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । ଚମ୍ପୁଆ ତହସିଲ ଅନ୍ତର୍ଗତ ଭଣ୍ଡା ମେର୍ମେଦା ନାଳରୁ ଚୋରା ବାଲି ଚାଲାଣ ଉପରେ ପ୍ରଶାସନ ତରଫରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟା ହେଲା ମାତ୍ରେ ବେନିୟମ ଭାବେ ମେରମେଦା ନାଳରେ ମେସିନ ଲଗାଇ ଦୈନିକ ଶହ ଶହ ଟ୍ରିପ୍ ବାଲି ଟ୍ରାକ୍ଟର ଓ ହାଇୱାରେ ଖଣି ଅଞ୍ଚଳକୁ ଚୋରା ଚାଲାଣ ହେଉଛି। ରାତି ଅନ୍ଧାରରେ ଚୋରା ଚାଲାଣ କରୁଥିବା ବାଲି ମାଫିଆ ଏବେ ନର୍ଭୟରେ ଦିନ ବେଳେ ମଧ୍ୟ ଖୁଲମଖୁଲା ବାଲି ଚୋରି କରୁଛନ୍ତି । ବାଲି ମାଫିଆ ମାନେ ମେରମେଦା ନାଳରୁ ବେଧଡକ ଭାବେ ବାଲି ଚୋରି କରୁଥିବାରୁ ଚିରସ୍ରୋତା ନାଳଟି ଏବେ ଅସ୍ଥିତ୍ଵ ହରାଇବାକୁ ବସିଛି। ନାଳ ଉପରେ ନିର୍ଭର କରୁଥିବା ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ନିଜର ଦୈନନ୍ଦିନ ନିତ୍ୟକର୍ମ ପାଇଁ ନାଳ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ମାନେ ମଧ୍ୟ ହଇରାଣ ହେଉଛନ୍ତି । ଭଣ୍ଡା ଗ୍ରାମର କନ୍ଦାନାଳି ସାହିର ଝିଅବୋହୁ ମାନେ ଦୈନନ୍ଦିନ ଗାଧୁଆପାଧୁଆ ପାଇଁ ମେରମେଦା ନାଳ ଉପରେ ନିର୍ଭର କରୁଛନ୍ତି । ବାଲି ମାଫିଆ ମାନେ ସେମାନଙ୍କ ଗାଧୁଆ ତୁଠ ରୁ ମଧ୍ୟ ବାଲି ଉତ୍ତଳୋନ କରୁଥିବାରୁ ସାହି ର ମହିଳା ମାନେ ବିରୋଧ କଲେ ବାଲି ମାଫିଆ ମାନେ ସାହିର ଝିଅବୋହୁ ମାନଙ୍କୁ ଧମକଚମକ ଦେଉଛନ୍ତି । ଗାଳିଗୁଲଜ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବାକୁ ମଧ୍ୟ ପଛାଉ ନ ଥିବା ଅଭିଯୋଗ ଆଣିଛନ୍ତି ସାହିବାସୀ । ଯେଉଁଥି ପାଇଁ ସାହିର ଝିଅ ବୋହୁ ମାନେ ନାଳରେ ଗାଧୋଇବାକୁ ସୁରକ୍ଷିତ ମଣୁ ନ ଥିବାରୁ ଏହାକୁ ନେଇ ସାହିରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସାହିବାସୀଙ୍କ ବିରୋଧକୁ ବାଲି ମାଫିଆ ମାନେ ଭ୍ରୁକ୍ଷେପ କରୁ ନ ଥିବାରୁ ଏ ସମ୍ପର୍କରେ ସାହିବାସୀ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ନେଇ ସୂଚନା ଦେଇଛନ୍ତି ।