Latest News

ଚମ୍ପୁଆ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା : ବିନା ସୂଚନା ଫଳକରେ ଚାଲିଛି କେନାଲ କାମ

Jun 08, 2025
Odishakhabar:

 ଚମ୍ପୁଆ, ୦୯/୦୬(ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକରେ ହେଉଥିବା ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି। କେଉଁଠି ଫଳକ ଥାଇ କାମ ହେଉନାହିଁ ତ କେଉଁଠି ବିନା ସୂଚନା ଫଳକରେ ରାତି ଅଧିଆ ନିମ୍ନମାନର କାମ କରି ଠିକାଦାର ଛୁ ମାରୁଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ସୁଭଦ୍ରାଦେଇପୁର ଗ୍ରାମରେ। ଗ୍ରାମରେ ଥିବା ଏକ ଏମଆଇ ବନ୍ଧରୁ କେନାଲ ନିର୍ମାଣ କରା ଯାଉଛି। ହେଲେ କେନାଲ କାମର କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ମରାଯାଇ ନ ଥିବା ଦେଖିବାକୁ ମିଳିଛି। ସୂଚନା ଫଳକ ନ ଥିବାରୁ କାର୍ଯ୍ୟ ସମ୍ପର୍କିତ କୌଣସି ତଥ୍ୟ ଜଣା ପଡୁନାହିଁ। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନାଲ ନିର୍ମାଣ ପାଇଁ ଦିଆ ଯାଇଥିବା ଅନୁଦାନ ଅର୍ଥକୁ ସୂଚନା ଫଳକ ନ ମାରି ନିମ୍ନ ମାନର କାମକରି ସମ୍ପୂର୍ଣ ଚଳୁ କରିବା ପାଇଁ ଠିକାଦାର ବିଧିବଦ୍ଧ ଯୋଜନା କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି। ଏହି କେନାଲ କାମ ବିନା ସୂଚନା ଫଳକରେ ଚାଲିଥିବାରୁ ଏହା କେଉଁ ବିଭାଗ, କେତେ ଟଙ୍କାର ଅନୁଦାନ, ଠିକାଦାର କିଏ କିଛି ଜାଣି ହେଉ ନାହିଁ। କାର୍ଯ୍ୟ ସମ୍ପର୍କିତ ସୂଚନାକୁ ଲୁଚାଇ କରାଯାଉଥିବା ଏହି କେନାଲ କାମ ଅତି ନିମ୍ନମାନର ହେଉଥିବା ବେଳେ ଏହି କାମରୁ ମିଳୁଥିବା ଲାଭାଂଶର ସିଂହଭାଗ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରୁଥିବା କୁହା ଯାଉଛି। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଏହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ହେଉଥିବା ଉର୍ନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁ ନ ଥିବାରୁ ଦିନକୁ ଦିନ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Related Post