Latest News

ଧର୍ମାନ୍ତରୀକରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

Jun 08, 2025
Odishakhabar:

 ଚମ୍ପୁଆ, ୦୮/୦୬ (ତ୍ରିନାଥ ମହାନ୍ତ) ଚମ୍ପୁଆ ଥାନା ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଧର୍ମାନ୍ତରୀକରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଲୋକ ମାନଙ୍କୁ ବୁଝସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ମିଳିଥିବା ଖବର ଅନୁସାରେ ବଳଭଦ୍ରପୁର ଗ୍ରାମରେ ଏକ ସରକାରୀ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଘରେ ନିର୍ମିତ ଚର୍ଚ୍ଚରେ ଆଜି ରବିବାର ପ୍ରାର୍ଥନା ଅନୁଷ୍ଠିତ ହେବା ସହ ବେଆଇନ୍ ଧର୍ମାନ୍ତରୀକରଣ ନେଇ ଯୋଜନା ହେଉଥିଲା । ଏଥି ପାଇଁ କିଛି ଖ୍ରୀଷ୍ଟ ଧର୍ମ ପ୍ରଚାରକ ବଳଭଦ୍ରପୁର ଗ୍ରାମକୁ ମଧ୍ୟ ଆସିଥିଲେ । ତେବେ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଯାହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହେବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଚମ୍ପୁଆ ବ୍ଲକର ନିରୀହ ଆଦିବାସୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାରକ ମାନେ ପ୍ରଲୋଭିତ କରି ବେଆଇନ୍ ଧର୍ମାନ୍ତରୀକରଣ କରୁଥିବାରୁ ଗ୍ରାମାଞ୍ଚଳ ଗୁଡ଼ିକରେ ସାମାଜିକ ସଦଭାବ ନଷ୍ଟ ହେଉଛି । ପ୍ରଶାସନ ବେଆଇନ ଧର୍ମାନ୍ତରୀକରଣକୁ ଗୁରୁତର ସହ ନେଉ ନ ଥିବାରୁ ଚମ୍ପୁଆ ଅଞ୍ଚଳରେ ବେଆଇନ ଧର୍ମ ପରିବର୍ତ୍ତନ କାରୀଙ୍କ ଗତିବିଧି ଓ ପ୍ରାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗ୍ରାମ ଗୁଡିକରେ ଚାପା ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି । ତେଣୁ ବେଆଇନ୍ ଧର୍ମାନ୍ତରୀକରଣ ପ୍ରତି ଲଗାମ ଲଗାଇବାକୁ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବୀ ହେଉଛି।

Related Post