ଚମ୍ପୁଆ, ୨୭/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ଦୋଳିତା ଗ୍ରାମ ମୁଣ୍ଡାସାହି ଖେଳ ପଡିଆରେ ହୋ ସମାଜ ସଙ୍ଗଠନ ଆନୁକୂଲ୍ୟରେ ତିନିଦିନ ଧରି ହୋ ମୁଣ୍ଡା ସମାଜର ପାରମ୍ପାରିକ ମାଗେ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସ୍ଥାନୀୟ ମୁଣ୍ଡା ନୃତ୍ୟ ସଂଗୀତରେ ମହିଳା, ପୁରୁଷ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏହି ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆର ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଚମ୍ପୁଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭକ୍ତବନ୍ଧୁ ପ୍ରଧାନ, ରଜିଆ ପଞ୍ଚାୟତ ସମିତି ସଭ୍ୟ ପରମେଶ୍ୱର ନାଏକ, ବିଜେପି ୧୩ ନଂ ଜୋନ ଉପସଭାପତି ନରୋତ୍ତମ ମହାନ୍ତ, ଜର୍ମାନୀ ମହାନ୍ତ, ରଞ୍ଜନ ମହାନ୍ତ, ରଞ୍ଜୀତ ବେହେରା, ଚକ୍ରଧର ମୁଣ୍ଡା, ଦିଲ୍ଲୀପ କୁମାର ଗିରି, ଚତୁର୍ଭୁଜ ଗିରି ପ୍ରମୁଖ ଯୋଗ ଦେଇ କମିଟି ସଦସ୍ୟ ଓ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଅଞ୍ଚଳର ଉର୍ନ୍ନତି କରଣ କାର୍ଯ୍ୟ, ବିଭିନ୍ନ ସମସ୍ୟା ଓ ତାର କିପରି ସମାଧାନ କରାଯାଇ ପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତଥା ରାଜ୍ୟର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସରକାର ସର୍ବଦା ଆଦିବାସୀ ସମାଜ ଏବଂ ଅଞ୍ଚଳର ସମୃଦ୍ଧି-ବିକାଶ ପାଇଁ ସ୍ୱପ୍ନ ଦେଖୁଛନ୍ତି ବୋଲି ପ୍ରକାଶ କରି ଥିଲେ। ସମାରୋହରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥିବାରୁ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା। ଏହି ମାଗେ ପର୍ବ ଉତ୍ସବକୁ କମିଟି ସଦସ୍ୟ ଜୟ ସିଂ ମୁଣ୍ଡା, ପରମେଶ୍ୱର ମୁଣ୍ଡା, କୁପୀର୍ତ୍ତନ ମୁଣ୍ଡା, ଗୁରା ମୁଣ୍ଡା, ରାଜେଶ ମୁଣ୍ଡା, ଲୋକନାଥ ମୁଣ୍ଡା, ଯୁଧିଷ୍ଠିର ମୁଣ୍ଡା, ଜଗଦୀଶ ମୁଣ୍ଡା ଓ ଗୁରୁ ମୁଣ୍ଡା ପ୍ରମୁଖ ଆୟୋଜନ ଓ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l