Latest News

ହାତୀର ଗଳିତ ମୃତ ଦେହ ଉଦ୍ଧାର

Jan 17, 2025
Odishakhabar:Champua-keonjhar-569

 ଚମ୍ପୁଆ, (୧୭/୦୧) ଓଡ଼ିଶା ଝା଼ଡଖଣ୍ଡ ସୀମାନ୍ତରୁ ଏକ ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀଟିର ମୁହଁରୁ ରକ୍ତ ବାହାରୁ ଥିବା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଓଡ଼ିଶା ଝା଼ଡଖଣ୍ଡ ସୀମାନ୍ତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡର ପଟ୍ଟାଜଇଁନ୍ତ ଗ୍ରାମରେ ଗତ ରାତି ଏକ ମାଈ ହାତୀର ଗଳିତ ମୃତ ଦେହ ଠାବ ହୋଇଥିଲା। ହାତୀଟିର ମୃତଦେହଟି ଫୁଲି ଯାଇଥିବା ବେଳେ ମୁହଁରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ଘଟଣା ପ୍ରଚାରିତ ହେବା ପରେ ଝାଡଖଣ୍ଡ ନୂଆମୁଣ୍ଡି ରେଞ୍ଜର ଓ ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚିଥିଲେ। ହାତୀଟିକୁ ବ୍ୟବଚ୍ଛେଦ କରିବା ପରେ ଘଟଣା ସ୍ଥଳ ନିକଟରେ ଗାତ ଖୋଳି ପୋତି ଦିଆ ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ଝାଡଖଣ୍ଡ ବନବିଭାଗ ସୂଚନା ଦେଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ହାତୀଟିର ତିନିରୁ ଚାରି ଦିନ ତଳେ ମୃତ୍ୟୁ ଘଟିଛି। ନୁଆମୁଣ୍ଡି ସେକ୍ସନରେ ୧୦/୧୨ ଟି ହାତୀ କିଛି ଦିନ ହେବ ଡେରା ପକାଇଛନ୍ତି। ଏହି ଦଳରେ ଏକ ନବଜାତ ହାତୀ ଶାବକ ରହିଥିବାରୁ ହାତୀ ପଲ ପଟ୍ଟାଜଇଁନ୍ତ ନିକଟ ଜଙ୍ଗଲରେ ରହିଛନ୍ତି । ମୃତ ମାଈ ହାତୀଟି ଏହି ଦଳର। ତେବେ ଫସଲ ନଷ୍ଟ କରୁ ଥିବାରୁ କେହି ପ୍ରତିଶୋଧ ପରାୟଣ ହୋଇ ହାତୀଟିକୁ ହତ୍ୟା କରିଥାଇ ପାରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥି ସହିତ ହାତୀଟିର ଦାନ୍ତ ନ ଥିବାରୁ ହାତୀ ଟିକୁ ଦାନ୍ତ ପାଇଁ ହତ୍ୟା କରା ଯାଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ କହିବା ଅନୁସାର ଗତ ତିନି ଚାରି ଦିନ ହେବ ହାତୀଟିର ମୃତ୍ୟୁ ସ୍ଥାନରେ ହାତୀ ପଲ ଜଗିରହି ଗର୍ଜନ କରୁଥିଲେ। ମକର ପର୍ବ ଥିବାରୁ ଗ୍ରାମବାସୀ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ତେବେ ଗତ କାଲି କିଛି ଗ୍ରାମବାସୀ ଘଟଣା ସ୍ଥଳ ନିକଟକୁ ଯାଇ ହାତୀଟିର ମୃତ ଦେହ ଦେଖିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ ମଧ୍ୟ ଆଜି ଅପରାହ୍ନରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ହାତୀଟି ଝାଡଖଣ୍ଡର ହୋଇଥିବା ନେଇ ସେ କହିଥିବା ବେଳେ ମୁହଁରୁ ରକ୍ତ ବାହାରୁଥିବା ଯୋଗୁଁ ଭୁତାଣୁ ଜନିତ ରୋଗରୁ ହାତୀର ମୃତ୍ୟୁ ଘଟିଥିବା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି।

Related Post