ଚମ୍ପୁଆ, (୧୭/୦୧) କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁରରେ ଚେକିଂ କରା ଯାଉଥିବା ବେଳେ ଛକ ନିକଟରେ ୫୦ କେଜି ଗଞ୍ଜେଇ ଜବତ କରାଯାଇଥିବା ନେଇ ଚମ୍ପୁଆ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ବାସୁଦେବପୁର ଛକରେ ଚମ୍ପୁଆ ପୁଲିସ୍ ତରଫରୁ ଚେକିଙ୍ଗ କରା ଯାଉଥିବା ବେଳେ ରିମୁଳି ପଟୁ ଦୁଇଟି କାର ଦ୍ରୁତଗତିରେ ଆସୁଥିବାର ଦେଖି ସନ୍ଦେହ ହେବାରୁ ଚମ୍ପୁଆ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲେ । ପୁଲିସ ଆଗରେ ଆସୁଥିବା ଡିଜାୟାର କାର ( ଗାଡି ନଂ ଓଡି ୦୨ ସିଭି ୯୭୪୩) ଟିକୁ ଅଟକାଇବା ବେଳେ ପଛରେ ଆସୁଥିବା ଏର୍ଟିଗା କାର ( ଗାଡି ନଂ ଓଡ଼ି ୦୨ ସିପି ୦୨୬୨ )ଟି ଦ୍ରୁତଗତିରେ ଚମକପୁର ରାସ୍ତାରେ ଫେରାର ହୋଇ ଯିବାକୁ ଚେଷ୍ଟା କରିଥିଲା । ତେବେ ଚମ୍ପୁଆ ପୋଲିସ ପିଛା କରି କାରଟିକୁ ଧରିଥିଲେ। ତନଖି କରିବାରୁ ଏର୍ଟିଗା କାର ଭିତରୁ ଦୁଇଟି ବସ୍ତାରେ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲା ରୁ ଦେବଗଡ଼ ପାଲଲହଡ଼ା ଦେଇ ବଡବିଲକୁ ଚାଲାଣ ହେଉଥିବା ନେଇ ପୋଲିସ ତଦନ୍ତରୁ ଜଣା ପଡିଛି । ଏହି ଘଟଣା ରେ ପୋଲିସ ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁଅ ମାନସ ସାହୁ (୨୮) , ରନ୍ଧିକଟା ଗ୍ରାମର ଲକ୍ଷ୍ମଣ ଜେନା ଙ୍କ ପୁଅ ବରୁଣ ଜେନା (୩୮) ଓ ଦେବଗଡ଼ ଜିଲ୍ଲା ଭିତରପଡ଼ା ଗ୍ରାମର ଭୋଳେଶ୍ୱର ସାହୁ ଙ୍କ ପୁଅ ରଞ୍ଜନ କୁମାର ସାହୁ (୪୫) କୁ କାର ରୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ଫୋନ , ନଗଦ ଆଠ ହଜାର ଟଙ୍କା ଜବତ କରିଛି। ଚମ୍ପୁଆ ପୋଲିସ ଥାନା କେସ ନଂ ୧୨ / ୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉରେ ଚମ୍ପୁଆ ଭାରପ୍ରାପ୍ତ ଥାନାଧିକାରୀ ଆର.ଏଚ. କୁଲୁ , ସବ୍ ଇନ୍ସପେକ୍ଟର ବରଦା ପ୍ରସନ୍ନ ସାହୁ , ବ୍ରଜରାଜ ସାହୁ, ଏଚ ଏସ ପ୍ରଧାନ, ନିତେଶ କୁମାର ବେହେରା, ହାବିଲଦାର ଲକ୍ଷ୍ମୀଧର ସେଠୀ, କନେଷ୍ଟବଳ ଜଗନ୍ନାଥ ଗିରି, ହରିଶ ଚନ୍ଦ୍ର ବାରିକ, ରାମେଶ୍ବର ନାଏକ, ସଞ୍ଜୟ ନାଏକ, ଗୌତମ ବୈଦ୍ୟ ପ୍ରମୁଖ ସାମିଲ ହୋଇଥିଲେ।