Latest News

ମହେଶ୍ୱରପୁରରେ ମାଗେ ପର୍ବ ପାଳିତ

Jan 17, 2025
Odishakhabar:Champua-keonjhar-567

 ଚମ୍ପୁଆ, ୧୭/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ପୁର ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ମାଗେ ପର୍ବ ପାଳିତ ହୋଇ ଯାଇଛି। ଗ୍ରାମର ଆଦିବାସୀ ସଂଗ୍ରାମ ସମିତି ଦ୍ୱାରା ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ପର୍ବ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମହା ଧୁମଧାମରେ ଏହି ପର୍ବ ତିନି ଦିନ ଧରି ପାଳିତ ହୋଇଛି। ମକର ସଂକ୍ରାନ୍ତିର ପରଦିନ ଅର୍ଥାତ ମାଘ ମାସର ପ୍ରାରମ୍ଭରେ ଗ୍ରାମର ଦେହୁରୀ ବୀରଞ୍ଚି କୁମାର ମହାନ୍ତ ରୀତିନୀତି ଅନୁସାରେ ଗ୍ରାମ ଠାକୁରାଣୀ ଶାଳରେ ପୂଜା କର୍ମ ସମାପନ କରିଥିଲେ। ପୂଜା କାର୍ଯ୍ୟ ସରିବା ପରେ ଗ୍ରାମବାସୀ ମାନେ ପ୍ରଥମେ ଦେହୁରୀଙ୍କୁ ପାରମ୍ପରିକ ମାଦଳ, ନାଗରା, ଝାଞ୍ଜ, ଆଦି ବାଦ୍ୟ ବଜାଇ ଗୀତ, ନାଚ ସହିତ ତାଙ୍କ ଘରକୁ ପହଞ୍ଚାଇବା ପରେ ଆଦିବାସୀ ସଂଗ୍ରାମ ସମିତିର ସଦସ୍ୟ ମାନେ ବାଦ୍ୟର ତାଳେ ତାଳେ ନାଚ, ଗୀତ ସହିତ ମାଗେ ପର୍ବକୁ ଆଖଡ଼ାକୁ ଆଣିଥିଲେ। ସେଠାରେ ଆଦିବାସୀ ପୁରୁଷ, ମହିଳା ମାନେ ପୂର୍ବର ରାଗରୁଷାକୁ ଭୁଲି ଏକତ୍ରିତ ଭାବେ କାନ୍ଧକୁ କାନ୍ଧ ମିଳାଇ ହାତକୁ ହାତ ଧରାଧରି ହୋଇ ନାଚ ଗୀତରେ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ମଜି ଯାଇଥିଲେ। ଏହିପରି ଭାବେ ତିନି ଦିନ ଧରି ମାଗେ ପର୍ବ ପାଳିତ ହୋଇଥିବା ବେଳେ ମୁଣ୍ଡା ମାନଙ୍କର ପାରମ୍ପରିକ ମାଗେ ନୃତ୍ୟ ମାଗେ ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲା। ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବର ମଜା ନେଇଥିଲେ। ସଂଗ୍ରାମ ସମିତି ସଦସ୍ୟ ମାନେ ପର୍ବକୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରିଥାନ୍ତି। ପ୍ରଥମେ ଗ୍ରାମର ଦେହୁରୀ ଗାଁ ଠାକୁରାଣୀଙ୍କ ନିକଟରେ ମାଗେ ପୂଜା କରି ଥାନ୍ତି। ଏହି ପୂଜା ଗ୍ରାମର ଶୁଭ ମନାସି ତଥା ଗୃହ ପାଳିତ ପଶୁ ପକ୍ଷୀଙ୍କୁ କୌଣସି ମହାମାରୀ ଓ ରୋଗ ବ୍ୟାଧି ନ ହେବା, ଜଙ୍ଗଲୀ ହିଂସ୍ରଜନ୍ତୁ ଦାଉରୁ ସମସ୍ତେ ରକ୍ଷା ପାଇବା ସହିତ ଗ୍ରାମରେ ଭଲ ଫସଲ ହେବା ନିମନ୍ତେ ପୂଜା କରା ଯାଇଥାଏ। ପରେ ନିଜ ନିଜ ଗୁହାଳରେ ଇଷ୍ଟ ଦେବତା ବଡ଼ ଠାକୁର (ମାରାଙ୍ଗ ବଙ୍ଗା) ଙ୍କ ପୂଜା କରିବା ସହିତ ପୂର୍ବପୁରୁଷଙ୍କୁ ପୂଜା ଦେଇ ପରିବାରର ଦୁଃଖ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ଦିନ ନୂତନ ବସ୍ତ୍ର ପରିଧାନ କରି ନୂଆ କୁଲା ଓ ଡଲାରେ ନୂତନ ଶସ୍ୟ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସହିତ ଘରେ ଘରେ ପାରମ୍ପରିକ ଭାବରେ କୁକୁଡ଼ା ପୂଜା କରି ଥାଆନ୍ତି। ତାପରେ ସମସ୍ତେ ଏକାଠି ମିଳିମିଶି ପିଠା ପଣା, ହାଣ୍ଡିଆ ମଦ, ମାଂସ, ଲେଟ ଆଦି ଖାଇ ବାଦ୍ୟର ତାଳେ ତାଳେ ନାଚ ଗୀତ କରି ପର୍ବର ମଜା ନେଇଥାନ୍ତି।

Related Post