ଚମ୍ପୁଆ, ୨୪/୧୨ (ତ୍ରିନାଥ ମହାନ୍ତ) ଚମ୍ପୁଆ ଥାନା ପର୍ଶଳା ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ଘର ଅଗଣାରେ ଅଖା ବସ୍ତା ଭିତରୁ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି। ନାବାଳକଙ୍କୁ ହତ୍ୟା କରି ଫିଙ୍ଗି ଦିଆ ଯାଇଥିବା ନେଇ ମୃତକଙ୍କ ମାଆ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଗୋପୀନାଥପୁର ଗ୍ରାମର ବୁଦୁନି ମୁଣ୍ଡାଙ୍କର ନାବାଳକ ପୁଅ ପବନ ମୁଣ୍ଡା ଡାକ ନାମ ମୁଣ୍ଡାରୀ (୯) ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ। ଘର ଲୋକେ ଗ୍ରାମରେ ଖୋଜାଖୋଜି କରିଥିଲେ ମଧ୍ୟ ପବନକୁ ପାଇ ନ ଥିଲେ। ଆଜି ଭୋର ସକାଳୁ ଗ୍ରାମର ଗୌରାଙ୍ଗ ପାତ୍ର ତାଙ୍କ ଘର ଅଗଣାରେ ଏକ ସନ୍ଦିଗ୍ଧ ଅଖାବସ୍ତା ପଡିଥିବା ଦେଖିବାକୁ ପାଇଥିଲେ। ଅଖା ବସ୍ତା ଭିତରୁ ପାଦ ଦୁଇଟି ବାହାରକୁ ଦେଖା ଯାଉଥିଲା। ସଙ୍ଗେ ସଙ୍ଗେ ଗୌରାଙ୍ଗ ଗ୍ରାମବାସୀଙ୍କୁ ଡାକ ପକାଇବା ସହ ଘଟଣା ସମ୍ପର୍କରେ ଜଣାଇ ଥିଲେ। ମୃତ ପବନ ର ମାଆ ବୁଦୁନି ଆସି ବସ୍ତା ଭିତରେ ପବନର ମୃତଦେହ ଦେଖିଥିଲେ। ସଙ୍ଗେ ସଙ୍ଗେ ଘଟଣା ଟି ବିଜୁଳି ବେଗରେ ବ୍ୟାପି ଯାଇଥିଲା। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳକୁ ସିଲ୍ କରିଥିଲେ । କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ , ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ ଓ ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଖବର ପ୍ରଘଟ ହେବା ପରେ ଘଟଣା ସ୍ଥଳକୁ ଜିଲ୍ଲାର ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ଏକ ନିଷ୍ପାପ ନାବାଳକ ଶିଶୁକୁ ଜଘନ୍ୟ ଭାବେ ହତ୍ୟା କରା ଯାଇ ଥିବାରୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ରାଉରକେଲାରୁ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣା ସ୍ଥଳକୁ ତନତନ କରି ଯାଞ୍ଚ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତକୁ ତ୍ଵରାନିତ କରିଥିଲେ। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଫୁରଲାଇ ବେଶ୍ରା ପହଞ୍ଚିବା ପରେ ପବନର ମୃତଦେହକୁ ବସ୍ତାରୁ ବାହାର କରି ପଞ୍ଚନାମା କରା ଯାଇଥିଲା। ତେବେ ପବନକୁ କିଏ କାହିଁକି ଓ କିପରି ହତ୍ୟା କଲା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଜଣା ପଡ଼ିବ ବୋଲି ସୂଚନା ମିଳିଛି। ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ତଦନ୍ତକାରୀ ଅଧିକାରୀ ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପବନର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷେ ପବନର ମା ବୁଦୁନୀ ଗ୍ରାମର ଜନୈକ ବ୍ୟକ୍ତି ପବନକୁ ମାରି ଦେଇଥିବା ନେଇ ସନ୍ଦେହ କରି ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟକ୍ତି ପବନକୁ ଗତକାଲି ସାଙ୍ଗରେ ଧରି ବୁଲୁଥିଲେ। ପରେ ପବନ ଆଉ ଘରକୁ ଫେରି ନ ଥିଲା। ରାତିରେ ଉକ୍ତ ବ୍ୟକ୍ତି ପବନକୁ ହତ୍ୟା କରି ବସ୍ତାରେ ପୁରାଇ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଉକ୍ତ ବ୍ୟକ୍ତି ଘଟଣା ପର ଠାରୁ ଫେରାର ହୋଇ ଯାଇଥିବାରୁ ପୋଲିସ ତାଙ୍କୁ ଖୋଜିବା ଜାରୀ ରଖିଥିବା ଜଣା ପଡିଛି।