Latest News

ମହତାବ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ : ମୁଖ୍ୟଅତିଥି ଭାବେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

Dec 19, 2024
Odishakhabar:Champua-keonjhar-527

 ଚମ୍ପୁଆ,୧୯/୧୨ (ତ୍ରିନାଥ ମହାନ୍ତ) ୧୯୪୮ ମସିହାରେ ସ୍ଥାପିତ ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ କରା ଯାଉଛି। ଏହି ହୀରକ ଜୟନ୍ତୀ ଦୁଇ ଦିନ ଧରି ପାଳନ ହେବାକୁ ଥିବା ବେଳେ ଜୟନ୍ତୀର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ପ୍ରଥମେ ବିଦ୍ୟାଳୟ ପରିସରରେ ଡ. ହରେକୃଷ୍ଣ ମହତାବ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହାପରେ ସେ ଆନୁଷ୍ଠାନିକ ଭାବେ କେକ୍ କାଟି ହୀରକ ଜୟନ୍ତୀ ସମାରୋହର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାରେ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏକ ସମ୍ବେଦନଶିଳ ସମସ୍ୟା ତେଣୁ ଏହାର ସମାଧାନ ପାଇଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବର୍ତମାନର ସରକାର ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ଏପରିକି ବହୁ ବିଦ୍ୟାଳୟ ଅଛି ଯେଉଁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନ ଥିଲେ, ଶିକ୍ଷା ସହାୟକ ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିଚାଳିତ ହେଉଥିଲା। ମାତ୍ର ବର୍ତମାନର ସରକାର ଗତ ସେପ୍ଟେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରି ଶିକ୍ଷା ବ୍ୟବସ୍ଥାକୁ ସଦୃଢ କରିବାକୁ ଚେଷ୍ଟା ଚଳାଇଛନ୍ତି। ଜ୍ଞାନ ହିଁ ଶକ୍ତି ଏହାର ଉପଯୋଗରେ ସମୃଦ୍ଧ ଦେଶ ଗଠନ କରାଯାଇ ପାରିବ ଏବଂ ଓଡିଶାରେ ସ୍ୱାକ୍ଷରତା ହାର ବଢିଛି ମାତ୍ର ଯେପରି ଶିକ୍ଷା ବ୍ୟବସ୍ଥା ହେବା କଥା ତାହା ହୋଇପାରି ନାହିଁ। ତେଣୁ ଉପୁଜୁ ଥିବା ସମସ୍ୟାକୁ ଅନୁଧ୍ୟାନ କରି ଆଗାମି ଦିନରେ ଏହି ସମସ୍ୟାରେ ସୁଧାର ଅଣା ଯିବ ବୋଲି କହିଛନ୍ତି। ଗଡଜାତ ମିଶ୍ରଣ ପରେ ଚମ୍ପୁଆ ଭଳି ଉପାନ୍ତ ଅଂଚଳରେ ୧୯୪୮ ମସିହାରେ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ଏହି ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ଚମ୍ପୁଆର ମାନ ବୃଦ୍ଧି କରିଛି। ପୂର୍ବ ସରକାରଙ୍କ ବିଦ୍ୟାଳୟ ରୂପାନ୍ତରି କରଣକୁ ନା ପସନ୍ଦ କରିବା ସହିତ ତୃଣମୂଳ ସ୍ତରରୁ ରୁପାନ୍ତରି କରଣ କାର୍ଯ୍ୟକୁ ତ୍ୱରାନିତ କରାଯିବା କଥା ବୋଲି କହିଥିଲେ। ପୁର୍ବ ସରକାରଙ୍କ ସମୟରେ ସ୍ମାର୍ଟ ବୋର୍ଡରେ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା କରା ଯାଇଥିଲା। ମାତ୍ର ତୃଣମୁଳ ସ୍ତରରେ ଛାତ୍ର ଛାତ୍ରୀ ମାନେ ଯଦି ସ୍ମାର୍ଟ ନ ହେବେ ତେବେ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ଶିକ୍ଷାର ମାନ ନିଶ୍ଚିତ ରୁପେ ହ୍ରାସ ପାଇବ। ତେଣୁ ଆଗାମୀ ଦିନରେ ପ୍ରତ୍ୟେକ ପଂଚାୟତ ସ୍ତରରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି କହିଥିଲେ। ଚମ୍ପୁଆ ଓ କେନ୍ଦୁଝର ପ୍ରାଜୁର୍ଯ୍ୟ ମଧ୍ୟରେ ଦାରିଦ୍ରତା ରହିଛି ତେଣୁ କେନ୍ଦୁଝରକୁ ବିକଶିତ ଓ ସୁନାର କେନ୍ଦୁଝରରେ ପରିଣତ କରିବା ପାଇଁ କେନ୍ଦୁଝରବାସୀ ସହଯୋଗର ହାତ ବଢାନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ନିର୍ମାଣ, ପାନୀୟଜଳ ବ୍ୟବସ୍ଥା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସରେ ସ୍ମାର୍ଟ ପାଠ୍ୟକ୍ରମ ବ୍ୟବସ୍ଥା, ଚମ୍ପୁଆରେ ବାଇପାସ ନିର୍ମାଣ, କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ଏବଂ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଂଟ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମାରୋହରେ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବୋର୍ଡ ଅଫ୍ ଗଭର୍ମେଣ୍ଟ ଆଇଆଇଟି ସଦସ୍ୟ ସତ୍ୟବ୍ରତ ପଣ୍ଡା ଯୋଗ ଦେଇଥିଲେ। ବଡ଼ବିଲ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ମାଧବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପୂର୍ବତନ ଛାତ୍ର ମାନଙ୍କ ଦ୍ୱାରା ଆୟୋଜିତ ଏହି ହୀରକ ଜୟନ୍ତୀରେ ପୂର୍ବତନ ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟର ସ୍ମରଣିକା ପୁସ୍ତକର ଶୁଭ ଉନ୍ମୋଚନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଭାପତି ଶ୍ରୀ ଗଙ୍ଗାଧର କର, ସଂପାଦକ ସୁଶାନ୍ତ ମହାନ୍ତ ପ୍ରମୁଖ ପରିଚାଳନା କରିଥିବା ବେଳେ ମହତାବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ସାହୁ ମଂଚ ପରିଚାଳନା କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର, ଛାତ୍ରୀ, ବର୍ତମାନର ଛାତ୍ରଛାତ୍ରୀ, ଅବସର ପ୍ରାପ୍ତ ଶିକ୍ଷକଙ୍କ ସମେତ ଚମ୍ପୁଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ସମାରୋହରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା।

Related Post