ଚମ୍ପୁଆ, ୧୬/୧୨ (ତ୍ରିନାଥ ମହାନ୍ତ) ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ କୃଷ୍ଣପୁର ଗ୍ରାମରୁ ବେଆଇନ୍ ଗଛକଟାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବନବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟକି, କଷ୍ଣପୁର ଗ୍ରାମରେ ବନ ସୁରକ୍ଷା ସମିତି ତରଫରୁ ୟୁକାଲିପଟାସ ଗଛ କାଟିବା ପାଇଁ ଆବେଦନ କରା ଯାଇଥିଲା। ଡିଏଫଓ ୨୫୦୫ ଟି ୟୁକାଲିପଟାସ ଗଛ କାଟିବା ପାଇଁ ବନସୁରକ୍ଷା ସମିତି ( ଭିଏସଏସ) କୁ ଅନୁମତି ଦେଇଥିଲେ। ତେବେ ଭିଏସଏସ ର କିଛି ସଦସ୍ୟ ଅନୁମତି ବାହାରେ ୟୁକାଲିପଟାସ ଗଛକୁ ଛାଡି ଶାଳ, ପିଆଶାଳ, ଚନ୍ଦନ ଓ ଶିଶୁ ଆଦି ମୂଲ୍ୟବାନ ଗଛ କାଟି ମାଫିଆଙ୍କ ଦ୍ୱାରା ବିକ୍ରୀ କରିଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳ ଓ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଡିଏଫଓ ଏହି ଘଟଣାର ତଦନ୍ତ ସହ କଟା ଗଛର ମୂଳ ଗଣିବାକୁ ଚମ୍ପୁଆ ବନାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗଣତିରେ ଅନୁମତିରୁ ଅଧିକ ଗଛ ବାହାରିବାରୁ ହଠାତ କଟାଗଛର ମୂଳଗଣିତକୁ ବିଭାଗ ଅଧାରୁ ବନ୍ଦ କରିଦେଇଥିଲା । ଏହି ଘଟଣାରେ ବନବିଭାଗ ଭିଏସଏସ ସଭାପତି ରଞ୍ଜନ ମହାନ୍ତଙ୍କ ସହ ସମୁଦାୟ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଗଛ କଟା ବାବଦକୁ ଆଦାୟ ଅର୍ଥ ଭିଏସଏସ ର ଆକାଉଣ୍ଟରେ ଜମା ନ ହୋଇ କିଛି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଖାତାରେ ଜମା ହୋଇଥିବା ଜଣା ପଡିଥିଲା । ଚମ୍ପୁଆ ବନାଞ୍ଚଳ ଅଧିକାରୀ ଉକ୍ତ ଟଙ୍କାକୁ ତିନିଦିନ ମଧ୍ୟରେ ବନ ସୁରକ୍ଷା ସମିତି ଆକାଉଣ୍ଟରେ ଜମା କରିବା ପାଇଁ ଗତ ମାସ ୨୮ ତାରିଖରେ ଭିଏସଏସ ସଭାପତିଙ୍କୁ ଚିଠି କରିଥିଲେ। ତେବେ ଚିଠି କରିବା ପରେ ମଧ୍ୟ ଏହି ଅର୍ଥ ବନ ସୁରକ୍ଷା ସମିତି ଆକାଉଣ୍ଟରେ ଜମା ହୋଇ ନ ଥିବା ବେଳେ ବନବିଭାଗ ଭିଏସଏସ ସଭାପତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ବନ ବିଭାଗର ତଦନ୍ତ କେବଳ ଲୋକ ଦେଖାଣିଆ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ତିନି ମାସ ହେବ ଅଭିଯୋଗ କରି ଆସୁଥିଲେ ମଧ୍ୟ ବନ ବିଭାଗ କାର୍ଯ୍ୟରେ ଅବହେଳା କରିଥିବା ବିଭାଗୀୟ କର୍ମଚାରୀ ଓ ଏହି ଘଟଣାରେ ସମ୍ପୃକ୍ତ ଭିଏସଏସ ସଦସ୍ୟ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ କଟା ଗଛର ମୂଳ ଗଣତି ଶେଷ କରି ପ୍ରକୃତ ମୂଲ୍ୟାୟନ କରି ଆଦାୟ ଅର୍ଥକୁ ଭିଏସ୍ଏସ କମିଟି ଆକାଉଣ୍ଟରେ ଜମା କରିବା ସହ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୃଷ୍ଣପୁର ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀର ଦ୍ୱାରସ୍ଥ ହୋଇଛନ୍ତି ।