Latest News

ଚମ୍ପୁଆ ପୋଲିସକୁ ଖୋଲା ଚାଲେଞ୍ଜ : ସଟର ତାଡି ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମୋବାଇଲ୍ ଲୁଟ୍

Dec 13, 2024
Odishakhabar:Champua-keonjhar-517

 ଚମ୍ପୁଆ,୧୩/୧୨ (ତ୍ରିନାଥ ମହାନ୍ତ) ଗତକାଲି ମଧ୍ୟରାତ୍ରିରେ ଚମ୍ପୁଆ ଥାନା ଠାରୁ ୨୦୦ ମିଟର ଦୂର ମୁଖ୍ୟ ବଜାରରେ ଥିବା ରାଜ ଏଣ୍ଡ୍ ରାଜ ମୋବାଇଲ ଦୋକାନରେ ଦୁର୍ବୃତ୍ତ ମାନେ କଳକନା ବୁଲାଇ ଦେଇଛନ୍ତି। ସଟର ତାଡି ଦୁର୍ବୃତ୍ତ ମାନେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମୋବାଇଲ ଓ ମୋବାଇଲ ସରଂଜାମ ଚୋରି କରିନେଇଥିବା ଦୋକାନ ମାଲିକ ଦିଲ୍ଲିପ କୁମାର ରାଜ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ଚମ୍ପୁଆ ବଜାରରେ ଏଭଳି ବଡ଼ ଧରଣର ଲୁଟ୍ ଘଟଣା ପ୍ରଥମ ଥର ପାଇଁ ଘଟିଥିବା ବେଳେ ଘଟଣା ପରେ ବ୍ୟବସାୟୀଙ୍କ ମନରେ ଛନକା ପଶିଛି। ମିଳିଥିବା ସୂଚନା ଅନୁସାରେ, ଚମ୍ପୁଆ ମୁଖ୍ୟ ବଜାର ଉପ କାରାଗାର ନିକଟରେ ଏନଏସି ମାର୍କେଟ କମ୍ପ୍ଲେକ୍ସର ଉପର ମହଲାରେ ଥିବା ରାଜ ଏଣ୍ଡ ରାଜ ମୋବାଇଲ ଦୋକାନର ମାଲିକ ଦିଲ୍ଲିପ କୁମାର ରାଜ ଗତ ଗୁରୁବାର ରାତି ୯ ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଦୋକାନ କର୍ମଚାରୀ ମାନେ ଆଜି ସକାଳେ ଦୋକାନ ଖୋଲିବାକୁ ଆସି ଦୋକାନର ସଟର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ। ଏ ବିଷୟରେ ସେମାନେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ଦୋକାନ ମାଲିକ ଆସି ତୁରନ୍ତ ସଟର ଉଠାଇ ଦେଖିବାରୁ ଦୋକାନ ଥାକରେ ଥିବା ମୋବାଇଲ ଓ ଆସୋସେରିଜ୍ ଗୁଡିକ ନଥିଲା। ଦୁର୍ବୃତ୍ତ ମାନେ ଦୋକାନରେ ଥିବା ଦାମୀ ମୋବାଇଲ ଚୋରି କରି ନେଇ ଯାଇଥିବା ବେଳେ ମୋବାଇଲ ଖୋଳ ଗୁଡ଼ିକୁ ସିଡି ଉପରେ ଫିଙ୍ଗି ଚାଲି ଯାଇଥିଲେ। ଦୋକାନର ମାଲିକ ଦିଲ୍ଲୀପ କୁମାର ରାଜଙ୍କ କହିବା ଅନୁସାରେ ଗତ କାଲି ଦୋକାନକୁ ନୂଆ ମୋବାଇଲ ଷ୍ଟକ୍ ଆସିଥିଲା। ଦୋକାନରେ ଷ୍ଟକ ଥିବା ୧୬୪ ଟି ମୋବାଇଲ ମଧ୍ୟରୁ ୧୫୦ ଟି ଦାମୀ ସ୍ମାର୍ଟଫୋନ ଗୁଡ଼ିକୁ ଦୁର୍ବୃତ୍ତ ମାନେ ଚୋରୀ କରି ନେବା ସହ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କଟିକୁ ମଧ୍ୟ ଲୁଟେରା ମାନେ ସାଙ୍ଗରେ ନେଇ ଯାଇଛନ୍ତି। ଚୋରି ହୋଇଥିବା ମୋବାଇଲର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ମୋବାଇଲ ଦୋକାନୀ ଦିଲ୍ଲୀପ କୁମାର ରାଜ ସୂଚନା ଦେଇଛନ୍ତି। ଖବର ପାଇ ଚମ୍ପୁଆ ଥାନା ଏସଡିପିଓ ବିଜୟ କୁମାର ମଲ୍ଲିକ, ବାରିଆ ଆଇଆଇସି ଦେବକୀ ନାଏକ, ସବ୍ଇନିସ୍ପେକ୍ଟର ବରଦା ପ୍ରଶନ୍ନ ସାହୁ, ଭଜମନ ସାହୁ ଓ କିରଣ ମହାନ୍ତ ପ୍ରମୁଖ ପୋଲିସ ଅଧିକାରୀ ଓ କେନ୍ଦୁଝରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ଏକ ପେସାଦାର ଲୁଟେରା ଗ୍ୟାଙ୍ଗର ହାତ ରହିଥିବା ନେଇ ତଦନ୍ତକାରୀ ଅଧିକାରୀ ଦେବକୀ ନାଏକ ସୂଚନା ଦେଇଛନ୍ତି। ଚମ୍ପୁଆ ଥାନାରୁ ଅନତି ଦୂର ମୁଖ୍ୟ ବଜାର ମଧ୍ୟରେ ଏହି ଲୁଟ୍ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଚମ୍ପୁଆ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ତେବେ ଚମ୍ପୁଆ ପୋଲିସ କେସ ନମ୍ବର ୩୧୮/୨୪ ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ବିଭିନ୍ନ ସିସିଟିଭି ଫୁଟେଜକୁ ତର୍ଜମା କରି ତଦନ୍ତ ଚଳାଇଥିବା ଜଣାପଡିଛି। 

Related Post