Latest News

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Dec 17, 2024
Odishakhabar:Champua-keonjhar-523

  ଚମ୍ପୁଆ, ୧୭/୧୨ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଚମ୍ପୁଆ କୃଷି ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇ ଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଞ୍ଜିତ ପ୍ରତାପ ବଳ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, କେନ୍ଦୁଝର ସାଂସଦଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ସିଦ୍ଧାର୍ଥ ସିଂ, ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ଚମ୍ପୁଆ ବ୍ଲକ ଉପାଧ୍ୟକ୍ଷା ଚମ୍ପାବତି ମହାକୁଡ, ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ, କେନ୍ଦୁଝର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପର୍ଶୁରାମ ବେହେରା, କେନ୍ଦୁଝର କୃଷି ନିର୍ବାହୀ ଯନ୍ତ୍ରୀ ସମର ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ। କଇଁନ୍ତା ଗ୍ରାମର କଳାକାର ମାନଙ୍କ ଦ୍ୱାରା ଆଦିବାସୀ ହୋ ନୃତ୍ୟର ତାଳେ ତାଳେ ଅତିଥି ମାନଙ୍କୁ ପାଛୋଟି ନିଆ ଯାଇଥିଲା। ମୁଖ୍ୟ ଅତିଥି ଏହି ଉପଖଣ୍ଡ ସ୍ତରୀୟ କୃଷି ମେଳାକୁ ଫିତା କାଟି ଉଦଘାଟନ କରିବା ପରେ ସମ୍ମାନିତ ଅତିଥି ମାନଙ୍କ ଗହଣରେ କୃଷି ମେଳାରେ ଲାଗିଥିବା ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯିବା ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା। ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀ ମାନେ କିପରି ନିଜର କୃଷି ଉତ୍ପାଦନକୁ ବଢାଇ ପାରିବେ ତା ଉପରେ ଅତିଥି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ। ଚାଷୀଙ୍କୁ ଉନ୍ନତ ମାନର ଏବଂ ରିହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଇ ଦେବା ଲକ୍ଷରେ ଏହି ମେଳାର ଆୟୋଜନ କରା ଯାଇଥିବା ବେଳେ ସମଗ୍ର କେନ୍ଦୁଝର ଜିଲ୍ଲାରୁ କୃଷି ଯନ୍ତ୍ରପାତି ଓ ଜଳ ସେଚନ ଯନ୍ତ୍ରପାତି ଡିଲର ମାନେ ଏଥିରେ ଅଂଶ ଗ୍ରହଣ କରି ଚାଷୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆ ଯାଉଥିବା ରିହାତି ବିଷୟରେ ଅବଗତ କରିବା ସହିତ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବୁଝାଇ ଥିଲେ। ଏହା ବ୍ୟତୀତ ମୃତ୍ତିକା ସଂରକ୍ଷଣ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ, ଓଡ଼ିଶା କୃଷି ଶିଳ୍ପ ନିଗମ, ସୌର ଚାଳିତ ଜଳ ସେଚନ ଯନ୍ତ୍ରପାତି, ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ, ଓଡ଼ିଶା ମିଲେଟ ମିଶନ ପରି ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୫୧ ଟି ଷ୍ଟଲ ଖୋଲା ଯାଇ ଚାଷୀଙ୍କୁ ବିଭିନ୍ନ କୃଷି ସମ୍ବନ୍ଧୀୟ ପରାମର୍ଶ ଦିଆ ଯାଇଥିଲା। କୃଷି ଜିଲ୍ଲା ଅଧିକାରୀ ସତ୍ୟବାନ ସୋରେନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଚମ୍ପୁଆ ବ୍ଲକ କୃଷି ଅଧିକାରୀ ନୀଳମାଧବ ଦାସ ଓ ସହକାରୀ କୃଷି ଅଧିକାରୀ ରମାମଣି ସାହୁ ପରିଚାଳନା କରିଥିବା ବେଳେ ହରିଓମ୍ ପାଣିଗ୍ରାହୀ, ଯୋଡ଼ା ବ୍ଲକ କୃଷି ଅଧିକାରୀ ସଂଯୁକ୍ତା ମୁଣ୍ଡା, ସହକାରୀ କୃଷି ଅଧିକାରୀ ଦେବବ୍ରତ ମିଶ୍ର, ଝୁମ୍ପୁରା ବ୍ଲକ କୃଷି ଅଧିକାରୀ ସମତା ମହାନ୍ତ, ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି, ପାଟଣା ବ୍ଲକ୍ କୃଷି ଅଧିକାରୀ ବର୍ଷା ବୈଶାଖି ପ୍ରମୁଖଙ୍କ ସହିତ ବିଭାଗୀୟ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ପାଟଣା ବ୍ଲକ ସହକାରୀ କୃଷି ଅଧିକାରୀ ପରେଶ ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି ମେଳାରେ ଚମ୍ପୁଆ, ଯୋଡା ଓ ଝୁମ୍ପୁରା ବ୍ଲକର ଦୂର ଦୁରାନ୍ତରୁ ଆସିଥିବା ଶତାଧିକ କୃଷକ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। ଏହି କୃଷି ଯନ୍ତ୍ରପାତି ମେଳା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

Related Post