ଚମ୍ପୁଆ, ୧୬/୧୨ (ତ୍ରିନାଥ ମହାନ୍ତ) କେନ୍ଦୁଝର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ଅନୁପସ୍ଥିତ ଯୋଗୁଁ ଏକ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଗୁଡିକରେ ୩୫୦ରୁ ଉର୍ଦ୍ଧ ଅଭିଯୋଗ ଆସୁଥିବା ବେଳେ ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରକୁ ଚମ୍ପୁଆ ବ୍ଲକର ୨୨ଟି ପଞ୍ଚାୟତରୁ ମାତ୍ର ୭୬ଟି ଅଭିଯୋଗ ଆସିଥିଲେ ହେଁ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଏସପି, ଡିଏଫ୍ଓ, ଡିଇଓ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ଅଭିଯୋଗ ନେଇ ଆସିଥିବା ଲୋକ ମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ଭତା, ଆବାସ ଯୋଜନା, ରାସ୍ତାଘାଟ, ଜଳ ସେଚନ, ବିକଳାଙ୍ଗଙ୍କ ସମସ୍ୟା, ଇଡିଏସ୍, ଉପଖଣ୍ଡ ଚିକିତ୍ସାଳୟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନ ଥିବା, କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାରେ ଅହେତୁକ ବିଳମ୍ବ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ଚମ୍ପୁଆ ମୁଖ୍ୟ ବଜାରରେ ବୃଦ୍ଧି ପାଉଥିବା ଚୋରି ଆଦି ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ କୌଣସି ସମାଧାନ ହୋଇପାରି ନ ଥିବାରୁ ବ୍ଲକ ପରିସରରେ ଅସନ୍ତୋଷ ଦେଖା ଦେଇଥିଲା। ଏ ନେଇ ଶିବିରରେ ଉପସ୍ଥିତ ଥିବା ପିଡି, ଡିଆରଡିଓଙ୍କୁ ପଚାରିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ଅଧିକାରୀ ବ୍ୟସ୍ତ ଥିବା ପ୍ରକାଶ କରିଥିଲେ। ଯଦି ଅଧିକାରୀ ମାନଙ୍କ ପାଖରେ ଅଭିଯୋଗ ଶୁଣିବାକୁ ସମୟ ନ ଥିଲା ତେବେ ଅଭିଯୋଗ ଶୁଣାଣି ଶିବିରକୁ ଘୁଞ୍ଚା ଯାଇ ପାରିଥାନ୍ତା, କିନ୍ତୁ ପ୍ରଶାସନ ତାହା ନ କରି ତରବରିଆ ଭାବେ କାଗଜ କଲମରେ ନିଜ ଦାୟିତ୍ୱ ସାରି ଦେଇ ଥିବାରୁ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଏକ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷେ ପ୍ରଚାର ପ୍ରସାର ଅଭାବରୁ ଉପାନ୍ତ ଚମ୍ପୁଆ ପରି ଏକ ସମସ୍ୟା ବହୁଳ ଅଞ୍ଚଳରେ ଜିଲ୍ଲାପାଳଙ୍କ ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଏତେ କମ ସଂଖ୍ୟାରେ ଅଭିଯୋଗକାରୀ ଆସିବା ନେଇ କୁହା ଯାଉଥିବା ବେଳେ ଉପସ୍ଥିତ ଲୋକମାନେ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଲୋକେ ଆଉ ଅଭିଯୋଗ ଶୁଣାଣିକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ବୋଲି ମତ ପ୍ରକାଶ କରିଥିଲେ। ତେବେ ଏ ସମ୍ପର୍କରେ ଉପସ୍ଥିତ ଅଧିକାରୀ ମାନେ ବର୍ତମାନ ଧାନ କଟା ଚାଲିଥିବା ଯୋଗୁଁ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଅଧିକ ଲୋକ ଆସି ପାରି ନାହାଁନ୍ତି ବୋଲି ସଫେଇ ଦେଇଥିଲେ।