Latest News

ଅଭିଶପ୍ତ ଜୀବନ ଜିଉଁଛନ୍ତି ବିସ୍ଥାପିତ : ଧାରଣାରେ ବସିଲେ ୫ ଯୁବକ

Jan 06, 2025
Odishakhabar:Champua-keonjhar-555

 ଚମ୍ପୁଆ, ୦୬/୦୧ (ତ୍ରିନାଥ ମହାନ୍ତ) କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇ ଅଭିଶପ୍ତ ଜୀବନ ଜିଉଁଛନ୍ତି ଚମ୍ପୁଆ ଉପଖଣ୍ଡର କିତାବେଡା, ଦେଓଝର ଓ ସିଆଲଯୋଡ଼ା ଗ୍ରାମବାସୀ। ୨୦୦୬ ମସିହାରେ ଜମି ଅଧିଗ୍ରହଣ ବେଳେ ଗ୍ରାମବାସୀଙ୍କୁ ମିଠା ମିଠା ପ୍ରତିଶୃତି ଦେଇଥିଲା କମ୍ପାନୀ, ଯାହାକୁ ଭରସା କରି କମ୍ପାନୀ ହାତକୁ ନିଜର ଭିଟା ମାଟି ଟେକି ଦେଇଥିଲେ ଲୋକେ। କିନ୍ତୁ କମ୍ପାନୀ କାରଖାନା କରିବାର ୧୮ ବର୍ଷ ପରେ ମଧ୍ୟ ନିଜ ସାଧାରଣ ମୌଳିକ ସୁବିଧା ଟିକେ ମଧ୍ୟ ନ ପାଇ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଗ୍ରାମବାସୀ। ପରିସ୍ଥିତି ଏପରି ହୋଇଛି ଯେ, ଏବେ ବିସ୍ଥାପିତଙ୍କ ଦୁଃଖ ନା କମ୍ପାନୀ ଦେଖୁଛି ନା ପ୍ରଶାସନ। ବିସ୍ଥାପିତଙ୍କ ଆଖିର ଲୁହ ଆଖିରେ ଶୁଖୁଥିବା ବେଳେ ଗତ ଜାନୁଆରୀ ୩ ତାରିଖ ଦିନ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ପାରି ସବୁ ଫସର ଫାଟି ଯାଇଥିଲା। କମ୍ପାନୀ ପାଇଁ ଜମିବାଡ଼ି ଗଲା। ଜମି ଅଧିଗ୍ରହଣ ବେଳେ ଦେଇଥିବା ବିଭିନ୍ନ ପ୍ରତିଶୃତି ସହ ଗ୍ରାମର ବେକାର ଯୁବକ, ଯୁବତୀଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇ ଏବେ କମ୍ପାନୀ ଧରା ଛୁଆଁ ଦେଉ ନାହିଁ। ଯାହାରି ପାଇଁ କମ୍ପାନୀ ବାହାରେ ଧାରଣାରେ ବସିଛନ୍ତି କିତାବେଡା ଗ୍ରାମର ୫ ଶିକ୍ଷିତ ଯୁବକ। ସୂଚନା ଯୋଗ୍ୟ କି, ୨୦୦୬ ମସିହାରେ ଚମ୍ପୁଆ ଉପଖଣ୍ଡର ଦେଓଝର ଠାରେ ଜିନ୍ଦଲ ଷ୍ଟିଲ ଏକ କାରଖାନା ପାଇଁ ଜମି ଅଧିଗ୍ରହଣ କରିଥିଲା। ଦେଓଝର ପଞ୍ଚାୟତର କିତାବେଡା, ସିଆଲଯୋଡ଼ା ଓ ଦେଓଝର ଗ୍ରାମର ଜନସାଧାରଣଙ୍କୁ ସେତେ ବେଳେ ମିଠା ମିଠା ପ୍ରତିଶୃତି ଦେଇ ଶାଗ ମାଛ ଦରରେ ତାଙ୍କ ଭିଟାମାଟି ନେବା ପରେ ଏବେ ପ୍ରତିଶୃତିରୁ ଓହରି ଯାଇ ଥିବାରୁ ଏବେ ଜମି ଦେଇ ସର୍ବହରା ହୋଇଛନ୍ତି ଏଠାକାର ବିସ୍ଥାପିତ। ଜମି ଅଧିଗ୍ରହଣ ବେଳେ ଦେଇଥିବା ପ୍ରତିଶୃତି ମଧ୍ୟରେ ବିସ୍ଥାପିତ ବେକାର ଯୁବକ, ଯୁବତୀଙ୍କୁ କମ୍ପାନୀରେ ନିଯୁକ୍ତି ସୁଯୋଗ, ବିସ୍ଥାପିତଙ୍କୁ ଜମି , ବିସ୍ଥାପିତଙ୍କ ପିଲାଛୁଆଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟ, ବିସ୍ଥାପିତ କଲୋନୀର ମୈଳିକ ସୁବିଧା ଆଦି ପ୍ରତିଶ୍ରୁତିକୁ ଏବେ ଅଣଦେଖା କରି ଚାଲିଛି ଜେଏସପିଏଲ କମ୍ପାନୀ। ଜମି ଅଧିଗ୍ରହଣ ବେଳେ ଦେଇଥିବା ବିଭିନ୍ନ ପ୍ରତିଶୃତି ସହ ଗ୍ରାମର ବେକାର ଯୁବକଯୁବତୀଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇ ଏବେ କମ୍ପାନୀ ଲୁଚକାଳୀ ଖେଳୁଥିବା ବେଳେ ପ୍ରତାରଣାର ଶିକାର ହୋଇଛନ୍ତି ଏହି ତିନି ଗ୍ରାମର ଯୁବକମାନେ। କମ୍ପାନୀର ଏହି ପ୍ରତାରଣା ପ୍ରତିବାଦରେ କିତାବେଡା ଗ୍ରାମର ତନୁଜ ଆପଟ, ଦେବର୍ଷି ପଲେଇ, ଅନୀଲ ବେହେରା, ସୁଧାଂଶୁ ବେହେରା, ତପନ ଆପଟ କମ୍ପାନୀ ବାହାରେ ଧାରଣା ଦେଇଥିବା ଜଣା ପଡିଛି। ଜମି ଅଧିଗ୍ରହଣ ପରେ ବିସ୍ଥାପିତ ଅନୁସାରେ କମ୍ପାନୀ ଏମାନଙ୍କୁ ଚାକିରି ଦେବାର ଭରସା ଦେଇ କମ୍ପାନୀରେ ଦୁଇ ବର୍ଷର ତାଲିମ ଦେବା ପରେ ଏବେ ଚାକିରି ଦେବାର ନାଁ ଧରୁ ନ ଥିବା ଅଭିଯୋଗ କରି ଏହି ୫ ଜଣ ଶିକ୍ଷିତ ଯୁବକ କମ୍ପାନୀ ବାହାରେ ଶୀତ କାକରରେ ଧାରଣାରେ ବସିଥିବା ଜଣାପଡିଛି। ତେବେ ଯୁବକ ମାନେ କମ୍ପାନୀ ତାଙ୍କ ହକ୍ ନ ଦେବା ଯାଏଁ ଏହି ଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ନିଷ୍ପତ୍ତି ନେଇଥିବା ବେଳେ ଯାହାର ଭିଟାମାଟିରେ କମ୍ପାନୀ ତାର ପ୍ରଭାବ ବିସ୍ତାର କଲା ସେହି ମାଟିର ପିଲା ମାନଙ୍କୁ କି ପ୍ରକାରର ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା।

Related Post