Latest News

କଶିରାରେ ଶିବ ଶଙ୍କର ମକର ମେଳା ଓ ମାଗେ ପରବ ଅନୁଷ୍ଠିତ

Jan 24, 2025
Odishakhabar:Champua-keonjhar-575

 ଚମ୍ପୁଆ, ୨୩/୦୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତ କସିରା ଗ୍ରାମ ସାଗେନ ସାକାମ ଆଦିବାସୀ ସାମାଜିକ ସଂଘ ଦ୍ୱାରା ଶିବ ଶଙ୍କର ମକର ମେଳା ଓ ମାଗେ ପରବ ଅନୁଷ୍ଠିତ ହୋଇ ଯାଇଛି। ଏହି ମାଗେ ପରବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆର ଲୋକପ୍ରିୟ ବିଜେପି ଜନନେତା, ତଥା ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ସମ୍ନାନୀତ ଅତିଥି ଭାବେ ସୁନାପଶି ପଞ୍ଚାୟତ ପୂର୍ବତନ ସରପଞ୍ଚ ଶୁକଦେବ ନାଏକ, ବିଜେପି ୧୩ ନଂ ଜୋନ ଉପ ସଭାପତି ନରତ୍ତମ ମହାନ୍ତ, ସୁଶାନ୍ତ ମହାନ୍ତ, ଗଣେଶ୍ୱର ପାତ୍ର, ସୁମନ୍ତ ମହାନ୍ତ ପ୍ରମୁଖ ବିଜେପି କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ସାଗେନ ସାକାମ ଆଦିବାସୀ ସାମାଜିକ ସଂଘ ଦ୍ୱାରା ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ପର୍ବ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଧୁମଧାମରେ ଏହି ପର୍ବ ଦୁଇ ଦିନ ଧରି ପାଳିତ ହୋଇଛି। ଗ୍ରାମର ଦେହୁରୀ ଦାଶରଥୀ ପାତ୍ର ରୀତିନୀତି ଅନୁସାରେ ପୂଜା କର୍ମ ସମାପନ କରିଥିଲେ। ପୂଜା କାର୍ଯ୍ୟ ସରିବା ପରେ ଗ୍ରାମବାସୀ ମାନେ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କୁ ଫୁଲ ପୁଷ୍ପ, ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ କରିବା ପରେ ପାରମ୍ପରିକ ମାଦଳ, ନାଗରା, ଝାଞ୍ଜ, ଆଦି ବାଦ୍ୟ ବଜାଇ ଗୀତ, ନାଚ ସହିତ ମଞ୍ଚ ଉପରକୁ ପହଞ୍ଚାଇ ଥିଲେ। ସେଠାରେ ଆଦିବାସୀ ପୁରୁଷ, ମହିଳା ମାନେ ପୂର୍ବର ରାଗରୁଷାକୁ ଭୁଲି ଏକତ୍ରିତ ଭାବେ କାନ୍ଧକୁ କାନ୍ଧ ମିଳାଇ ହାତକୁ ହାତ ଧରାଧରି ହୋଇ ନାଚ ଗୀତରେ ମଜି ଯାଇଥିଲେ। ଏହିପରି ଭାବେ ମାଗେ ପର୍ବ ପାଳିତ ହୋଇଥିବା ବେଳେ ମୁଣ୍ଡା ମାନଙ୍କର ପାରମ୍ପରିକ ମାଗେ ନୃତ୍ୟ ମାଗେ ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲା। ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବର ମଜା ନେଇଥିଲେ। ସାଗେନ ସାକାମ ଆଦିବାସୀ ସାମାଜିକ ସଂଘର ସଦସ୍ୟ ମାନେ ମାଗେ ପରବ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। 

Related Post