Latest News

ବୀର ବାଳକ ହକୀକତ ରାୟ ଯିଏ ବସନ୍ତ ପଂଚମୀରେ ଧର୍ମ ପାଇଁ ବଳିଦାନ ଦେଇଥିଲେ

Feb 13, 2024
Odishakhabar:

-ଡ. ସମନ୍ୱୟ ନନ୍ଦ -  

ଆଜି ହେଉଛି ପବିତ୍ର ବସନ୍ତ ପଂଚମୀ । ଆଜିର ଦିନରେ 11 ବର୍ଷୀୟ ବୀର ହକିକତ ରାୟ ଧର୍ମ ପାଇଁ ବଳିଦାନ ଦେଇଥିଲେ । ୧୭୯୦ ମସିହାରେ ସିଆଲକୋଟ, ବର୍ତମାନ ପାକିସ୍ତାନରେ ତାଙ୍କର ଜନ୍ମ ହୋଇଥିଲା । ବାଳକ ହକୀକତ ତାଙ୍କ ପରିବାରରୁ ଧାର୍ମିକ ଶିକ୍ଷା ଓ ସଂସ୍କାର ପାଇଥିଲେ ଓ ଧର୍ମ ରକ୍ଷା ପାଇଁ ନିଜକୁ ବଳିଦାନ କରି ଦେଇଥିଲେ । ତାଙ୍କର ଏହି ବଳିଦାନ ଇତିହାସର ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ସେତେବେଳେ ଲାହୋରରେ ମୁସଲମାନ ମାନଙ୍କର ରାଜତ୍ୱ ଥିଲା । ମୁସଲମାନ ମାନଙ୍କର ରାଜତ୍ୱ ଥିବା କାରଣରୁ ସେତେବେଳେ ପ୍ରଶାସନ ଇସଲାମକୁ ଲୋକ ମାନଙ୍କର ମୁକ୍ତିର ମାର୍ଗ ବୋଲି ପ୍ରଚାର କରୁଥିଲା । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା । ଇସଲାମ ଗ୍ରହଣ କରିବାକୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ସେମାନଙ୍କୁ ପ୍ରଲୋଭନ ମଧ୍ୟ ଦିଆଯାଉଥିଲା । ଏହି କାମ ପାଇଁ ହିଂସାର ସାହାରା ମଧ୍ୟ ନିଆଯାଉଥିଲା ।

ଏହି କାଳଖଣ୍ଡରେ ଜନ୍ମ ହୋଇଥିବା ହକୀକତ ରାୟ ୧୧ ବର୍ଷ ବୟସରଙ୍କ ଜଣେ ମୌଲବୀ ନିକଟକୁ ପାର୍ସୀ ଶିଖିବାକୁ ଯାଉଥିଲେ । କାରଣ ସେତେବେଳେ ପାର୍ସୀ ସରକାରୀ ଭାଷା ଥିଲା ।ମୁସଲମାନ ମାନଙ୍କର ରାଜତ୍ୱ କାରଣରୁ ପାର୍ସୀ ରାଜଦରବାରର ଭାଷା ଥିଲା । ପାର୍ସୀ ନ ଶିଖିଲେ କୌଣସି ପ୍ରକାର ଚାକିରୀ ମିଳିବାର ସମ୍ଭାବନା ନ ଥିଲା ।

ମୁସଲମାନ ମୌଲବୀଙ୍କ ନିକଟରେ ପଢୁଥିବା ବେଳେ ତାଙ୍କର କୌଣସି ସହପାଠୀଙ୍କ ସହ ବିବାଦ ହୋଇଥିଲା । ତାଙ୍କର ସହପାଠୀ ଜଣଙ୍କ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଅପଶବ୍ଦ କହିଥିଲା । ଏହା ଫଳରେ ୧୧ ବର୍ଷୀୟ ବାଳକ ଚୁପ ରହି ପାରିଲା ନାହିଁ । ସେ ମଧ୍ୟ ସାହସ ପୂର୍ବକ ତାର ଜବାବ ଦେଲା । ଏହି ବିବାଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କଲା । ସେହି ସ୍ଥାନକୁ କିଛି ମୌଲବୀ ଆସି ପହଂଚି ଗଲେ । ବାଳକ ହକିକତରାୟର ମୁଖରୁ ଇସଲାମର ନିନ୍ଦା ଶୁଣି ସେମାନେ କ୍ରୋଧରେ ତମ ତମ ହୋଇଗଲେ । ସେମାନେ ଏତେ ମାତ୍ରାରେ ରାଗିଲେ ଯେ ସେମାନେ ବାଳକକୁ ମାରିବାକୁ ଉଦ୍ୟତ ହେଲେ ।

ବିବାଦ ବଢିବାରୁ ମାମଲା ନ୍ୟାୟାଧୀଶ (କାଜୀ)ଙ୍କ ନିକଟରେ ପହଂଚିଲା । ମାମଲାର ଶୁଣାଣୀ ହେଲା । କାଜୀ ମହୋଦୟ ରାୟ ଦେଲେ ଯେ ବାଳକ ହକୀକତ ରସୁଲ ଓ କୁରାନର ଅବମାନନା କରିଛି । ତେଣୁ ସେ ତାର ଭୁଲକୁ ସ୍ୱୀକାର କରି ଇସଲାମକୁ ଆପଣାଉ । ନ ହେଲେ ଶରିୟତ ଆଇନ ଅନୁଯାୟୀ ତାର ପ୍ରାଣ ନିଆଯିବ ।

ବାଳକ ହକୀକତ ଏହି ରାୟକୁ ଧୈର୍ଯ୍ୟ ପୂର୍ବକ ଶୁଣିଲା । ଏହି ରାୟ ଶୁଣିଲା ବେଳେ ତାର ଚେହେରାରେ ଟିକେ ହେଲେ କଷ୍ଟ ହେଉ ଥିବା ଭଳି ଦେଖା ଯାଉ ନଥିଲା । ଏହି ରାୟ ଶୁଣି ବାଳକର ମାତା କୌରାଲ ଭାଙ୍ଗି ପଡିଲେ । ସେ ତାଙ୍କ ପୁଅକୁ ବୁଝାଇଲେ ପୁଅ କଣ ଏଇଥି ପାଇଁ ମୁଁ ତୋତେ ଜନ୍ମ ଦେଇଥିଲି । ତୁ କ୍ଷମା ମାଗି ଇସଲାମ ଗ୍ରହଣ କରି । ଏହା ଦ୍ୱାରା ତୁ ବଂଚି ଯାଇ ପାରିବୁ ଓ ମୁଁ ତୋତେ ତେଖି ପାରିବି ।

କିନ୍ତୁ ବାଳକ ହକୀକତ ମୃତ୍ୟୁ ପ୍ରତି ଭୟଭୀତ ନ ଥିଲା । ସେ ନିର୍ଭୀକତାର ସହିତ ତାର ମାକୁ କହିଲା ଯେ ମୁଁ ଧର୍ମ କ୍ଷେତ୍ରରେ ଠିଆ ହୋଇଛି । ମୁଁ ସର୍ବଦା ଧର୍ମର ପାଳନ କରି ଆସିଛି । ତୁ ମୋତେ ସବୁବେଳେ ପ୍ରାଚୀନ ମୁନି ଋଷିଙ୍କ ବାଣୀକୁ ଶୁଣାଇ ଧର୍ମର ଆଚରଣ କରିବାକୁ ଶିକ୍ଷା ଦେଇ ଆସିଛୁ । ତେଣୁ ମୁଁ ଧର୍ମ ମାର୍ଗରୁ ବିଚଳିତ ହେବି ନାହିଁ । ଧର୍ମର ରକ୍ଷା ପାଇଁ ଗୋଟିଏ ଜୀବନ କଣ ହଜାର ହଜାର ଜୀବନ ଦେବାକୁ ମୁଁ ପ୍ରସ୍ତୁତ ଅଛି ।

ଏହି ମାମଲା ଲାହୌରର ନବାବଙ୍କ ନିକଟକୁ ଆସିଲା । ବାଳକ ହକୀକତକୁ ଅନେକ ପ୍ରକାର ପ୍ରଲୋଭନ ଦିଆଗଲା । ତାଙ୍କର ମୁଣ୍ଡ କାଟ କରିବାକୁ ଭୟ ମଧ୍ୟ ଦେଖାଗଲା । କିନ୍ତୁ ଧର୍ମ ଯୋଦ୍ଧା ବାଳକ ହକୀକତ ତାର ନିଷ୍ପତିରେ ଅଟଳ ରହିଲା । ବାଳକର ମା ତାଙ୍କ ପୁଅକୁ ବୁଝାଇବାରେ ଲାଗିଥିଲେ, ପୁଅ ଇସଲାମ ଗ୍ରହଣ କରି ବଂଚି ରହ । ତେବେ ଏହାର କୌଣସି ପ୍ରଭାବ ବାଳକ ହକୀକତ ଉପରେ ପଡି ନ ଥିଲା । ସେ ତାର ସଂକଳ୍ପରେ ଅଟଳ ଥିଲା । ସେ ମୌଲବୀକୁ ନିଜର ବେକ ଦେଖାଇ କହିଲା ଯେ ଏହି ମୁଣ୍ଡକୁ ଶୀଘ୍ର କାଟି ନିଅ, ହେଲେ ତୁମର ଇସଲାମ ଅସମ୍ପୂର୍ଣ ରହି ଯାଇ ପାରେ । ଅଉ ବିଳମ୍ବ କର ନାହିଁ ।

ବାଳକର ମାତା ଓ ଅନ୍ୟ ସମ୍ପର୍କୀୟ ମାନେ କାନ୍ଦୁଥିଲେ କିନ୍ତୁ ବାଳକ ହକିକତ ପ୍ରସନ୍ନ ଚିତରେ ଦଣ୍ଡାୟମାନ ଥିଲା । ଜଣେ ବ୍ୟକ୍ତି ତାଙ୍କର ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲା । ସବୁ ଆଡେ ତ୍ରାହି ତ୍ରାହି ହୋଇଗଲା । ଜଣେ ନିରପରାଧ ଏବଂ ଅବୋଧ ବାଳକ ବୀର ହକୀକତ ରାୟ ମୌଳବାଦୀ ମୁସଲମାନ ମାନଙ୍କର ଶୀକାର ହୋଇଗଲା । ସେହି ଦିନ ବସନ୍ତ ପଂଚମୀ ଥିଲା । ବସନ୍ତ ପଂଚମୀ ଦିନ ହିଁ ବୀର ହକୀକତ ରାୟ ବଳିଦାନ ଦେଇଥିଲେ । ଯେ ପର୍ଯ୍ୟନ୍ତ ହିନ୍ଦୁ ଜାତି ଥିବ ସେ ପର୍ଯ୍ୟନ୍ତ ରାମ ଓ କୃଷ୍ଣଙ୍କର ଏହି ଭକ୍ତ ବୀର ହକୀକତ ରାୟ ଅମର ହୋଇ ରହିବେ ।

ତାଙ୍କର ବଳିଦାନ ସ୍ଥଳ ଆଜି ପାକିସ୍ତାନରେ ରହିଛି । ସବୁଠାରୁ ଦୁର୍ଭାଗ୍ୟର ବିଷୟ ଯେ ପାକିସ୍ତାନରେ ଆଜି ମଧ୍ୟ ଏପରି ଏକ ଆଇନ ରହିଛି , ଯାହା ଫଳରେ ଅଣ ମୁସଲମାନ ମାନଙ୍କୁ ବିନା ପ୍ରମାଣରେ ଜେଲରେ ଭର୍ତି କରାଯାଉଛି, ଫାସି ଦିଆଯାଉଛି । ପବିତ୍ର ବସନ୍ତ ପଂଚମୀ ଦିବସରେ ଏଭଳି ଜଣେ ପୁଣ୍ୟାତ୍ମାଙ୍କୁ ମନେ ପକାଇବା ଓ ତାଙ୍କ ଠାରୁ ପ୍ରେରଣା ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ।

Related Post