Latest News

ଅଯୋଧ୍ୟା ମନ୍ଦିରକୁ ନେଇ ବିଦେଶୀ ମିଡିଆର କଷ୍ଟ

Feb 03, 2024
Odishakhabar:

- ଡ. ସମନ୍ୱୟ ନନ୍ଦ - 

ଅଯୋଧ୍ୟା ଜନ୍ମ ଭୂମି ଠାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବିଦେଶୀ ଗଣମାଧ୍ୟମରେ ସେମାନଙ୍କର କଷ୍ଟ ସ୍ପଷ୍ଟ ଭାବେ ଦେଖା ଯାଉଛି । ସେମାନଙ୍କର ରିପୋର୍ଟରେ ଏହି ପ୍ରସଙ୍ଗକୁ ନେଇ କନ୍ଦା କଟା ଆରମ୍ଭ ହୋଇଯାଇଛି । ବିଦେଶୀ ଗଣମାଧ୍ୟମରେ ଏହା କିଛି ନୂଆ ନହେଁ . ଯେପରିକି ଯେତେବେଳେ କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରାଗଲା ସେତେବେଳେ ମଧ୍ୟ ବିଦେଶୀ ଗଣମାଧ୍ୟମର କନ୍ଦା କଟା ଦେଖିବାକୁ ମିଳିଥିଲା । ହେଲେ ବର୍ତମାନ ସେମାନଙ୍କର କ୍ରନ୍ଦନ ଖୁବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ବିଦେଶୀ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ଯେଉଁ କଥା ଲେଖା ଯାଉଛି ତାର ଏକ ପ୍ରକାର ଭାବ ହେଲା ଯେ ଏହି ଭାରତରେ ମୂର୍ତି ପୂଜା କରୁଥିବା ଲୋକ ମାନେ, ଅନେକ ଦେବାଦେବୀଙ୍କୁ ପୂଜା କରୁଥିବା ଲୋକ ମାନେ କିଭଳି ଭାବେ ଅଯୋଧ୍ୟାରେ ମନ୍ଦିର ତିଆରି କରି ମୂର୍ତିର ପ୍ରାଣ ପ୍ରତିଷ୍ଠା କରି ଦେଲେ ।

ଭାରତର ସଭ୍ୟତା ଓ ସଂସ୍କୃତି ବିରୁଦ୍ଧରେ ବିଶ୍ୱରେ ଏଲିଟିଷ୍ଟ, ସୋସିଆଲିଷ୍ଟ, ଇସଲାମିଷ୍ଟ ଓ ଚର୍ଚର ଏକ ଅପବିତ୍ର ମେଂଟ ସବୁବେଳେ କାମ କରିଥାଏ । ବିଦେଶୀ ଗଣମାଧ୍ୟମରେ ଏହି ଅପବିତ୍ର ମେଂଟର ଏକ ପ୍ରକାର ଏକାଧିକାର ରହିଛି । ଏହି ମେଂଟ ସବୁବେଳେ ଭାରତ- ଭାରତୀୟ ସଭ୍ୟତା ଓ ସଂସ୍କତି ବିଷୟରେ ଲେଖିଥାନ୍ତି । 

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ରାମଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପରେ ବିଦେଶୀ ଗଣମାଧ୍ୟମ କିଭଳି ଭାବେ ରିପୋର୍ଟ ଓ ସଂପାଦକୀୟ ମାନ ପ୍ରକାଶ କରିଛନ୍ତି ସେ ବିଷୟରେ ଏହି ଲେଖାରେ ଆଲୋଚନା କରିବା । 

ପ୍ରଥମେ ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସକୁ ନେବା । ଏହି ନ୍ୟୁୟର୍କ ଟାଇମ୍ସ ସମ୍ବାଦପତ୍ର ଏ ସମ୍ପର୍କରେ ଯେଉଁ ରିପୋର୍ଟ ପ୍ରକାଶିତ କରିଛି, ତାର ହେଡଲାଇନ୍ସର ଭାବାନୁବାଦ ହେଲା ଯେ ‘ମୋଦୀ ଭବ୍ୟ ମନ୍ଦିରର ଉଦଘାଟନ କଲେ, ହିନ୍ଦୁ ପ୍ରଥମ ଭାରତର ବିଜୟ ହେଲା ।’ ଏହି ଷ୍ଟୋରୀରେ ସମ୍ବାଦପତ୍ର ଆଗକୁ ଲେଖିଛି. “ହିନ୍ଦୁ ରାଷ୍ଟ୍ରବାଦୀ ମାନଙ୍କ ପାଇଁ ଏହା ହେଉଛି ବିଜୟର କ୍ଷଣ, ଯାହାଙ୍କର ରାଜନୀତିରେ କୌଣସି ଆଗ୍ରହ ନାହିଁ, ତାଙ୍କ ପାଇଁ ମଧ୍ୟ ଏହା ଉତ୍ସବର ଅବସର । କିନ୍ତୁ ୨୦ କୋଟି ମୁସଲମାନ ମାନଙ୍କର ପାଇଁ ରାମ ମନ୍ଦିର ହତାଶା ଓ ବିସ୍ଥାପନର ବିଷୟ ହୋଇ ଯାଇଛି ।”

ଏହି ଷ୍ଟୋରୀରେ ନ୍ୟୁୟର୍କ ଟାଇମ୍ସ କେଉଁ ଆଧାରରେ ଭାରତର ମୁସଲମାନ ମାନଙ୍କ ମଧ୍ୟରେ ଏହି ମନ୍ଦିର ପ୍ରତିଷ୍ଠା କାରଣରୁ ଭୟର ପରିବେଶ ରହିଥିବା ଲେଖିଛି ତାହା ସ୍ପଷ୍ଟ କରି ନାହିଁ । 

ୱାଶିଂଗଟନ ପୋଷ୍ଟ ସମ୍ବାଦପତ୍ରର ଖବରଗୁଡିକରେ ମଧ୍ୟ ରାମମନ୍ଦିର ନିର୍ମାଣକୁ ରାମମନ୍ଦିରର ନିର୍ମାଣକୁ ମସଜିଦର ବିଧ୍ୱଂସ ଓ ମୋଦୀଙ୍କ ରାଜନୈତିକ ଲାଭର ଉପକରଣ ଭାବେ ପ୍ରସ୍ତୁତ କରାଯାଇଛି । ଏହି ସମ୍ବାଦପତ୍ର ତାର ଶୀର୍ଷକରେ ଲେଖିଛି, ‘ମୋଦୀ ଏକ ଧ୍ୱସ୍ତ କରାଯାଇଥିବା ମସଜିଦର ଅବଶେଷ ଉପରେ ତିଆରି ହିନ୍ଦୁ ମନ୍ଦିରର ଲୋକାର୍ପଣ କଲେ, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ରାଜନୈତିକ ବିଜୟ ’ । ସେହିପରି ଏହି ସମ୍ବାଦପତ୍ର ଅନ୍ୟ ଏକ ରିପୋର୍ଟରେ ଶୀର୍ଷକ ଲେଖିଛି, ’ମୋଦୀ ଦ୍ୱାରା ଏକ ବିବାଦୀୟ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନେକ ବର୍ଷ ଧରି ଚାଲିଥିବା ଅଭିଯାନର ଫଳାଫଳ’ । 

ସେହିପରି ଟାଇମ ପତ୍ରିକା ମଧ୍ୟ ରାମମନ୍ଦିରକୁ ବିବାଦୀୟ ବୋଲି ଶୀର୍ଷକ ପ୍ରଦାନ କରି ଲେଖିଛି ଭାରତରେ ରାମଙ୍କର ବିବାଦୀୟ ମନ୍ଦିର ଲୋକାର୍ପଣ ହୋଇଛି ’ । ଏହି ସମ୍ବାଦପତ୍ରର ଅନ୍ୟ ଏକ ଲେଖାରେ ଶୀର୍ଷକ ରହିଛି ’ଭାରତର ଅଯୋଧ୍ୟା ମନ୍ଦିର ହିନ୍ଦୁ ସର୍ବଶ୍ରେଷ୍ଠବାଦର ଏକ ବିଶାଳ ସ୍ମାରକ’ । 

ଇସଲାମୀ ଦେଶ କତରର ଅଲଜଜିରା ତାର ରିପୋର୍ଟରେ ମଧ୍ୟ ସେହି ସମାନ ଭଳି ଖବରକୁ ପ୍ରସ୍ତୁତ କରାଯାଇଛି । ଏହାର ଶୀର୍ଷକ ଦିଆଯାଇଥିଲା, ’ଭାରତରେ ମୋଦୀ ଅଯୋଧ୍ୟା ଠାରେ ଧ୍ୱସ୍ତ କରାଯାଇଥିବା ମସଜିଦ ସ୍ଥାନରେ ମନ୍ଦିରର ଲୋକାର୍ପଣ କରିଛନ୍ତି’ । ବ୍ରିଟେନରେ ବିବିସି ମଧ୍ୟ ଏହି ପ୍ରସଙ୍ଗରେ ଠିକ ଏହି ସମାନ ଭାବ ବ୍ୟକ୍ତ କରୁଥିବା ରିପୋର୍ଟ ପ୍ରକାଶିତ କରିଛି । 

ଆମେ ଯଦି ଏହି ବିଦେଶୀ ଗଣମାଧ୍ୟମ ଗୁଡିକରେ ଏହି ପ୍ରସଙ୍ଗରେ ପ୍ରକାଶିତ ରିପୋର୍ଟକୁ ଠିକ ଭାବେ ବିଶ୍ଲେଷଣ କରିବା ତେବେ ପାଇବା ଯେ ଏ ସମ୍ପର୍କରେ ପ୍ରକାଶିତ ରିପୋର୍ଟ ଗୁଡିକରେ ବିବାଦୀୟ, ଧ୍ୱସ୍ତ ମସଜିଦ, ରାଜନୈତିକ ଲାଭ, ହିନ୍ଦୁ ସୁପ୍ରିମେସି ଆଦି ଶବ୍ଦ ଗୁଡିକୁ ବାରମ୍ବା ପ୍ରୟୋଗ କରାଯାଇଛି । ଜନ୍ମଭୂମିରେ ମନ୍ଦିର ନିର୍ମାଣକୁ ମୁସଲମାନ ଓ ସେକୁଲାରିଜମ ବିରୁଦ୍ଧରେ ବୋଲି ପ୍ରମାଣିତ କରାଯିବାକୁ ଚେଷ୍ଟା କରାଯାଇଛି । 

ଦୀର୍ଘ ବର୍ଷ ଧରି ନିମ୍ନ କୋର୍ଟରୁ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଏହି ମାମଲା ଚାଲିବା ପରେ ତଥ୍ୟ ପ୍ରମାଣ, ହଜାର ହଜାର ପୃଷ୍ଠାର ଦସ୍ତାବେଜକୁ ଅଧ୍ୟୟନ କରିବା ପରେ ନ୍ୟାୟାଳୟର ସର୍ବସମ୍ମତ ରାୟ ପରେ ଏହି ମନ୍ଦିର ନିର୍ମାଣ ହୋଇଛି , ଏହି ବିଷୟକୁ ବିଦେଶୀ ସମ୍ବାଦପତ୍ର ମାନେ ସ୍ପର୍ଶ କରିବାକୁ ଉଚିତ ମନେ କରି ନାହାନ୍ତି । ସେମାନଙ୍କର ପୂର୍ବାଗ୍ରହ ସ୍ପଷ୍ଟ ପ୍ରମାଣିତ ହେଉଛି । ବିଦେଶୀ ଗଣମାଧ୍ୟମ ଏହି ରିପୋର୍ଟ ଜରିଆରେ ଦେଶର ନ୍ୟାୟାଳୟ ଗୁଡିକ ଉପରେ ମଧ୍ୟ ଗୋଟିଏ ପ୍ରକାର ପ୍ରଶ୍ନଚିହ୍ନ ଲଗାଇଛନ୍ତି, ଯାହାକି ବାସ୍ତବିକତା ଠାରୁ ସମ୍ପୂର୍ଣ ଭିନ୍ନ । 

ଆମେରିକା, ୟୁରୋପର ଏହି ଗୋରା ଦେଶର ସମ୍ବାଦପତ୍ର ହେଉ ବା ଇସଲାମୀ କତର ସରକାରର ଅର୍ଥରେ ପରିଚାଳିତ ଅଲ ଜଜୀରା ହେଉ ସେମାନଙ୍କ ମଧ୍ୟରେ ସମାନତା ରହିଛି । ସେମାନଙ୍କ ମନରେ ସେହି ପୁରୁଣା ଭାବନା ରହିଛି ଯେ ଭାରତ ସେହି ପରି ଆମ ନିକଟରେ ଦବି ରହିଥାଉ । ଭାରତ ରାଜନୈତିକ ଦୃଷ୍ଟିରୁ ସ୍ୱାଧୀନ ହେଲା ପରେ ମଧ୍ୟ ସାଂସ୍କୃତିକ ଭାବେ ପରାଧୀନ ରହି ଆସିଥିଲା ତାହା ଜାରୀ ରହୁ । ଭାରତର ସାଂସ୍କୃତିକ ଉତ୍ଥାନ ନ ହେଉ । ଇଂରେଜ ମାନେ ଭାରତ ଛାଡି ଚାଲି ଗଲା ପରେ ଯେଉଁ ମାନେ ସରକାରରେ ଆସିଲେ ସେମାନଙ୍କ ମନରେ ଭାରତୀୟ ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ନେଇ ହୀନମନ୍ୟତାର ଭାବନା ରହିଥିଲା । ଏହି କାରଣରୁ ଯେତେବେଳେ ବିଦେଶୀ ଆକ୍ରମଣକାରୀ ମାନଙ୍କ ଦ୍ୱାରା ବାରମ୍ବାର ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ସୋମନାଥ ମନ୍ଦିରର ପୁନଃ ପ୍ରତିଷ୍ଠା କରାଯିବାକୁ ଚେଷ୍ଟା କରା ଗଲା ସେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଏହାକୁ ବିରୋଧ କରିଥିଲେ । ବିଦେଶୀ ଆକ୍ରମଣକାରୀ ମାନଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ସୋମନାଥ ମନ୍ଦିରର ପୁନଃ ପ୍ରତିଷ୍ଠାର ପ୍ରୟାସକୁ ସେ ହିନ୍ଦୁ ପୁନରୁତ୍ଥାନବାଦ ବୋଲି କହିବା ସହ ଏହାକୁ ସେ ବିରୋଧ କରନ୍ତି ବୋଲି ସ୍ପଷ୍ଟ ଶବ୍ଦରେ କହିଥିଲେ । ଏହି ମନ୍ଦିର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କେଏମ ମୁନ୍ସୀ ତାଙ୍କ ପୁସ୍ତକରେ ଏହାର ବିଶଦ ବିବରଣୀ ପ୍ରଦାନ କରିଛନ୍ତି ।

ଗୋରା ମାନେ ଭାରତ ଛାଡି ଚାଲିଯିବା ପରେ ଯେଉଁ ମାନେ ଭାରତର ଶାସନଗାଦିରେ ବସିଥିଲେ ସେମାନେ ଭାରତର ସଭ୍ୟତା- ସଂସ୍କୃତିର ପୁନଃ ସ୍ଥାପନାକୁ ଘୃଣା କରୁଥିଲେ । ତେଣୁ ଏହି ଗୋରା ଦେଶ ଓ ଏହି ଦେଶ ମାନଙ୍କରୁ ପ୍ରକାଶ ପାଉଥିବା ଗଣମାଧ୍ୟମ ପାଇଁ ସେତେବେଳର ଭାରତ ଖୁବ ଭଲ ଥିଲା । 

କିନ୍ତୁ ଏବେ ପରିସ୍ଥିତି ବଦଳିଛି । ଭାରତ କଡ ଲେଉଟାଉଛି । ଭାରତର ଲୋକ ମାନେ ଏଭଳି ଲୋକଙ୍କୁ ଶାସନ କ୍ଷମତାରେ ବସାଇଛନ୍ତି ଯାହାଙ୍କ ମନରେ ଭାରତର ସଭ୍ୟତା- ସଂସ୍କୃତି ପ୍ରତି ତିଳେ ହେଲେ ହୀନମନ୍ୟତାର ଭାବ ନାହିଁ । ଏହା ଏହି ଗୋରା ଦେଶ ଓ ସେମାନଙ୍କର ଗଣମାଧ୍ୟମକୁ ଖୁବ କଷ୍ଟ ଦେଉଛି । ସେମାନେ ଭାରତର ସଭ୍ୟତାର ଉତ୍କର୍ଷକୁ ଦେଖି ସହ୍ୟ କରି ପାରୁ ନାହାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଲାଲକିଲାରୁ ଯେଉଁ ଭାଷଣ ଦେଇଥିଲେ ସେଥିରେ ପଂଚ ପ୍ରଣର କଥା କହିଥିଲେ । ଏଥିରୁ ଗୋଟିଏ ଥିଲା ମାନସିକ ଦାସତ୍ୱରୁ ମୁକ୍ତି । ତେଣୁ ଏହି ଧାରା ଆଗାମୀଦିନରେ ଜାରୀ ରହିବ । ଦାସତ୍ୱ ଓ କଳଙ୍କର ପ୍ରତୀକ ଗୁଡିକ ଆଗାମୀ ଦିନରେ ଆହୁରି ହଟିବ । ତେଣୁ ଆଗାମୀ ଦିନରେ ଏହି ବିଦେଶୀ ଗଣମାଧ୍ୟମର କଷ୍ଟ ଆହୁରି ବଢିବ । 

Related Post