Latest News

ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଅବସରରେ : ଦେହ ଶିବା ବରୁ ମୋହି ଇହେ ......

Jan 16, 2024
Odishakhabar:

-ଡ. ସମନ୍ୱୟ ନନ୍ଦ -

ଭାରତ ଅନେକ ଶତାବ୍ଦୀ ଧରି ପରାଧୀନତାର ବେଡିରେ ବାନ୍ଧି ହୋଇ ରହିଥିଲା । ବିଦେଶୀ ଦାସତ୍ୱ ଓ ପରାଧୀନତାର ଏଭଳି ଦୁର୍ଭାଗ୍ୟଜନକ କାଳଖଣ୍ଡରେ ଭାରତୀୟ ମାନଙ୍କୁ ଦୁଇ ପ୍ରକାର ଆକ୍ରମଣର ଶୀକାର ହେବାକୁ ପଡିଥିଲା – ରାଜନୈତିକ ସ୍ତରରେ ଓ ସାଂସ୍କୃତିକ ସ୍ତରରେ ମଧ୍ୟ । 

ଭାରତୀୟ ସମାଜ ରାଜନୈତିକ ପରାଜୟକୁ କେବେ ହେଲେ ଗୁରୁତ୍ୱ ଦେଇ ନାହିଁ । 

ଗୋସ୍ୱାମୀ ତୁଳସୀ ଦାସଙ୍କ ଭାଷାରେ ‘କୋଊ ନୃପ ହୋଉ ହମେ କ୍ୟା ହାନି... ’ା 

ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଖୁବ ପରେ କହିଲେ ହେଲେ ଏହି ପ୍ରକାର ଭାବନା ଭାରତୀୟ ସମାଜରେ ଆଦି କାଳରୁ ବିଦ୍ୟମାନ ରହିଛି । କିନ୍ତୁ ଯେତେବେଳେ କେହି ଭାରତର ସଂସ୍କୃତିକୁ କ୍ଷତ ବିକ୍ଷତ କରିବାର ପ୍ରୟାସ କଲା ସେତେବେଳେ ସମ୍ପୂର୍ଣ ରାଷ୍ଟ୍ର ଅସାଧାରଣ ରୁପେ ସଂଗଠିତ ହୋଇ ପ୍ରତିକାର ପାଇଁ ଠିଆ ହେଉଥିଲା । 

ଗୁରୁ ନାନକ ଦେବଙ୍କ ଠାରୁ ଆରମ୍ଭ କରି ଗୁରୁ ଗୋବିନ୍ଦ ସିଂହଙ୍କ ଯାଏ ଦୀର୍ଘ ଯାତ୍ରାର ଏହା ହେଉଛି ମୂଳ ଚେତନା । ଗୁରୁ ନାନକ ଦେବଙ୍କ କାଳଖଣ୍ଡରେ ମଧ୍ୟ ଭାରତ ରାଜନୈତିକ ଦୃଷ୍ଟିରୁ ପରାଧୀନ ଥିଲା । ହେଲେ କିଛି ଅପବାଦ ଛାଡି ସେ ଏହି ବିଜାତୀୟ ଆହ୍ୱାନକୁ ରାଜନୈତିକ ସ୍ତରରେ ସ୍ୱୀକାର କରି ନ ଥିଲେ । ସେ ଦର୍ଶନ-ଚିନ୍ତନ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଏହାର ମୁକାବିଲା କରିଥିଲେ । କିନ୍ତୁ ଗୁରୁ ଗୋବିନ୍ଦ ସିଂହ ପର୍ଯ୍ୟନ୍ତ ଆସୁ ଆସୁ କାଳର ଚକ୍ର ଖୁବ ଆଗକୁ ଆସି ସାରିଥିଲା । ଐରଙ୍ଗଜେବ କ୍ଷମତାସୀନ ହେବା ପରେ ସେ ଭାରତୀୟ ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା ଓ ଏହାର ଯେଉଁ ଫଳାଫଳ ବାହାରିଲା ସେପରି ବାହାରିବା ସ୍ୱାଭବିକ ଥିଲା । ଗୁରୁ ନାନକ ଦେବଙ୍କ ଆଧ୍ୟାତ୍ମିକ ମାର୍ଗ ଗୁରୁ ଗୋବିନ୍ଦ ସିଂହଙ୍କ ଯାଏ ଆସୁ ଆସୁ ସୈନିକ ମାର୍ଗରେ ପରିଣତ ହୋଇ ସାରିଥିଲା । ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ଗୁରୁ ଗୋବିନ୍ଦ ସିଂହ ଆନନ୍ଦପୁର ସାହେବ ଠାରେ ବୈଶାଖୀ ଦିନ ଖାଲସା ପନ୍ଥର ସ୍ଥାପନା କରିଥିଲେ ।

ଭାରତୀୟ ଦଶ ଗୁରୁ ପରମ୍ପରାର ଶେଷ ଗୁରୁ ଗୁରୁ ଗୋବିନ୍ଦ ସିଂହ ଓ ତାଙ୍କ ପରିବାର ଧର୍ମ, ସଂସ୍କୃତି ପାଇଁ ଯେତିକି ବଳିଦାନ ଦେଇଛନ୍ତି ସେପରି ଉଦାହରଣ ଭାରତର ଇତିହାସରେ ମିଳେ ନାହିଁ । ତାଙ୍କ ପିତା ଗୁରୁ ତେଗ ବାହାଦୁରଙ୍କୁ ଔରଙ୍ଗଜେବ ଦିଲ୍ଲୀରେ ହତ୍ୟା କରିଥିଲା । ପୁରୁଣା ଦିଲ୍ଲୀରେ ଥିବା ଗୁରୁଦ୍ୱାରା ଶିଶଗଂଜ ହେଉଛି ସେହି ସ୍ଥାନ । ତାଙ୍କର ଦୁଇ ନାବାଳକ ପୁଅ ଜୋରାବର ସିଂହ, ଫତେହ ସିଂହ ମଧ୍ୟ ଧର୍ମ ଓ ସଂସ୍କୃତିର ରକ୍ଷା ପାଇଁ ବଳିଦାନ ଦେଇଥିଲେ ।

ମୋଗଲ ମାନଙ୍କର ଅମାନବୀୟ ଅତ୍ୟାଚାର ବିରୁଦ୍ଧରେ ତାଙ୍କର ଓ ତାଙ୍କ ଦୁଇ ନାବାଳକ ପୁତ୍ର ଜୋରାବର ସିଂହ ଓ ଫତେହ ସିଂହଙ୍କ ବଳିଦାନର କାହାଣୀର ଉଦାହରଣ ଇତିହାସରେ ଆଉ ମିଳେ ନାହିଁ ।

ଗୁରୁ ଗୋବିନ୍ଦ ସିଂହ ଏକାଧାରରେ ଜଣେ ବୀର ସୈନିକ ଥିଲେ, କୁଶଳ ସେନାପତି ଥିଲେ, ଦକ୍ଷ ପ୍ରଶାସକ ଥିଲେ, ଅଦ୍ୱିତୀୟ ସଂଗଠନକର୍ତା ଥିଲେ । ଏହା ବ୍ୟତୀତ ସେ ଉଚ୍ଚକୋଟିର ସାହିତ୍ୟିକ ମଧ୍ୟ ଥିଲେ ଓ ଉପନିଷଦ, ଦର୍ଶନର ବ୍ୟାଖ୍ୟାକାର ଥିଲେ ।

ଗୁରୁ ଗୋବିନ୍ଦ ସିଂହ ଙ୍କ ରଚିତ ଦଶମ ଗ୍ରନ୍ଥରେ ଚଣ୍ଡୀ ଚରିତ୍ରରେ ଲେଖିଛନ୍ତି

“ଦେହ ଶିବା ବରୁ ମୋହି ଇହେ ଶୁଭ କରମନ କବହୁଁ ନ ଟରୋଁ

ନ ଡରୋଁ ଅରି ସୋ ଜବ ଜାଇ ଲରୋ ନିସଚେଁ କରି ଅପୁନିଁ ଜୀତ କରୋଁ ।ା

ଅରୁ ସିଖ ହୋଁ ଆପନେ ହି ମନ କୌ ଇହ ଲାଲଚ ହଉ ଗୁନ ତଉ ଉଚରୋଁ ।

ଜବ ଆବ କୀ ଅଉଧ ନିଦାନ ବନୈ÷ ଅତି ହି ପନ ମୈଁ ତବ ଜୁଝ ମରୋଁ ।ା ”

ଏହାର ଭାବାର୍ଥ ହେଲା –

ହେ ଶିବା (ଚଣ୍ଡୀ) ମୋତେ ବର ଦିଅ ଯେ ମୁଁ ଶୁଭକର୍ମ କରିବାକୁ କେବେ ପଛକୁ ହଟିବି ନାହିଁ ।

ଯେତେବେଳେ ଯୁଦ୍ଧ ପାଇଁ ଯିବି, ଶତ୍ରୁକୁ ଡରିବି ନାହିଁ, ଯୁଦ୍ଧର ବିଜୟ ସୁନିଶ୍ଚିତ କରିବି ।

ଓ ମୁଁ ନିଜକୁ ମନକୁ ଶିଖାଇ ପାରିବି ଯେ ମୁଁ ଆପଣଙ୍କର ଗୁଣ ବଖାଣୁ ଥିବି ।

ଯେତେବେଳେ ଶେଷ ସମୟ ଆସିବ ସେତେବେଳେ ରଣ କ୍ଷେତ୍ରରେ ଯୁଦ୍ଧ କରି ମରିବି ।

ଏପରି ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବରେ ଆମକୁ ଭାରତ-ଭାରତୀୟ ସଂସ୍କୃତିର ରକ୍ଷା କରିବାକୁ ସଂକଳ୍ପ ନେବା ଉଚିତା

Related Post