-ଡ. ସମନ୍ୱୟ ନନ୍ଦ-
ଯେତେବେଳେ ଭାରତୀୟ ମାନେ ଭାରତର ସ୍ୱାର୍ଥ ପାଇଁ ଭାରତ ବିରୋଧୀ ଶକ୍ତି ମାନଙ୍କ ବିରୁଦ୍ଧରେ ଏକଜୁଟ ହୋଇ ବିରୋଧ କରିବେ ଓ ସେତିକି ବେଳେ ଦେଶରେ ଥିବା ଲେଫ୍ଟ ଲିବରାଲ ଗୋଷ୍ଠୀ ଓ ତାଙ୍କର ଇକୋ ସିଷ୍ଟମ ଚୁପ ହୋଇ ବସି ରହିବ ଓ ଭାରତ ବିରୁଦ୍ଧରେ ପଦଟିଏ କହିବ ନାହିଁ ,ଏପରି କଣ ହୋଇ ପାରିବ ? ଏପରି ଆଦୌ ହୋଇ ପାରିବ ନାହିଁ । ଏବେ ଚାଲିଥିବା ମାଲଦୀପ ପ୍ରସଙ୍ଗରେ ଏହାକୁ ପୁଣି ଥରେ ସତ୍ୟ ବୋଲି ପ୍ରମାଣିତ କରି ଦେଇଛନ୍ତି ଏହି ଲେଫ୍ଟ ଲିବରାଲ ଗୋଷ୍ଠୀର ଲୋକେ । ମାଲଦୀପ ପ୍ରସଙ୍ଗକୁ ନେଇ କେବଳ ଲେଫ୍ଟ ଲିବରାଲ ଗୋଷ୍ଠୀ ପୁଣି ଥରେ ଭାରତ ବିରୁଦ୍ଧରେ ସକ୍ରିୟ ହୋଇ ସାରିଛନ୍ତି।
କିଛି ଦିନ ତଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷଦୀପ ଯାଇ ସେଠାକାର କିଛି ଫଟୋ ନିଜର ସୋସିଆଲ ମିଡିଆ ଏକାଉଂଟରେ ଶେୟାର କରିଥିଲେ । ଏହା ପରେ ଭାରତର ଲୋକ ମାନେ ସୋସିଆଲ ମିଡିଆରେ ମାଲଦୀପର ଭାରତ ବିରୋଧୀ ଆଭିମୁଖ୍ୟ କାରଣରୁ ମାଲଦୀପ ବଦଳରେ ଲକ୍ଷଦୀପକୁ ପର୍ଯ୍ୟଟନ ପାଇଁ ଯିବାକୁ ବଡ ଧରଣର ଅଭିଯାନ ଚଳାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷଦୀପର ଫଟୋ ଶେୟାର କଲାବେଳେ ମାଲଦୀପର କୌଣସି ପ୍ରକାର ଉଲ୍ଲେଖ ମଧ୍ୟ କରି ନ ଥିଲେ । ହେଲେ ଏହା ପରେ ମାଲଦୀପ ସରକାରରେ କିଛି ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧରେ ସୋସିଆଲ ମିଡିଆରେ ଅପଶବ୍ଦ କହିବା ଆରମ୍ଭ କରି ଦେଇଥିଲେ । ପ୍ରଧାନମନ୍ତ୍ରୀ ସମେତ ଭାରତ, ଭାରତର ଲୋକ ମାନଙ୍କୁ ଟାର୍ଗେଟ କରିବା ସହ ଭାରତରେ ପର୍ଯ୍ୟଟନ ପାଇଁ ଆବଶ୍ୟକୀୟ ଭିତିଭୂମି ନ ଥିବା କଥା ସେମାନେ ଲେଖିବା ଆରମ୍ଭ କରି ଦେଇଥିଲେ।
ମାଲଦୀପର ଏହି ନେତା ମାନଙ୍କର ଏଭଳି ମନ୍ତବ୍ୟ ପରେ ଭାରତୀୟଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଲା ଓ କିଛି ସମୟ ମଧ୍ୟରେ ବୟକଟ ମାଲଦୀପ ଅଭିଯାନ ମଧ୍ୟ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ।
ତେବେ ଚିରାଚରିତ ଭାବେ ଏହି ପ୍ରସଙ୍ଗରେ ଲେଫ୍ଟ ଲିବରାଲ ଗ୍ୟାଙ୍ଗ ଭାରତ ବିରୋଧରେ ବାହାରିଥିଲା । ଏହି ଗ୍ୟାଙ୍ଗର ସଦସ୍ୟ ମାନେ ସୋସିଆଲ ମିଡିଆରେ କହିବା ଆରମ୍ଭ କରି ଦେଇଥିଲେ ଯେ ଭାରତ ନିକଟରେ ପର୍ଯ୍ୟଟନର ଭିତିଭୂମି ନାହିଁ, ମାଲଦୀପ ଭାରତ ଠାରୁ ଖୁବ ଆଗରେ । ବର୍ତମାନ ଉଦାହରଣ ସ୍ୱରୂପ ଜଣେ ଲେଫ୍ଟ ଲିବରାଲ ସଦସ୍ୟ ସାଗରିକା ଘୋଷ ଏହି ପ୍ରସଙ୍ଗରେ ଯାହା ଲେଖିଛନ୍ତି ତାହା ଉପରେ ଦୃଷ୍ଟି ପକାଇବା । ସେ ଲେଖିଥିଲେ “ରିଏଲିଟି ଚେକ : ମାଲଦୀପ ନିକଟରେ 170 ବିଶ୍ୱ ସ୍ତରୀୟ ରିସୋର୍ଟ ଓ 9 ଶହ ଗେଷ୍ଟ ହାଉସ ରହିଛି, ପ୍ରତ୍ୟେକ ଦ୍ୱୀପରେ ଗୋଟିଏ ରିସୋର୍ଟ । ହେଲେ ଲକ୍ଷାଦୀପରେ ଖିୁବ କମ୍ ସଂଖ୍ୟାରେ, ଫାଇଭ ଷ୍ଟାର ଶ୍ରେଣୀର ଆଦୌ ନାହିଁ । ଲକ୍ଷାଦୀପ ଗତ ଥର ସେତେବେଳେ ଶିରୋନାମାରେ ଥିଲା ଯେତେବେଳେ ଉପ ରାଜ୍ୟପାଳ ବିଫ୍ ବ୍ୟାନ କରିବାକୁ ସୁପାରିଶ କରିଥିଲେ । ପର୍ଯ୍ୟଟନ ଗୁଣବତାପୂର୍ଣ ଭିତିଭୂମି ଓ ଖୋଲା ଓ ସମାବେଶୀ ସଂସ୍କୃତି ଆବଶ୍ୟକ କରେ । ମାଲଦୀପକୁ ବୟକଟ କରିବା କଥା କହିବା ପୂର୍ବରୁ ଆସନ୍ତୁ ଭାରତର ରିଏଲିଟି ଚେକ୍ କରିବା । ”
ଲେଫ୍ଟ -ଲିବରାଲ ଗୋଷ୍ଠୀର ସାଗରିକା ତାଙ୍କ ମନର କଷ୍ଟକୁ ଏହି ଟ୍ୱିଟରେ ବ୍ୟକ୍ତ କରିଛନ୍ତି । ସେ କହୁଛନ୍ତି ଯେ ଭାରତରେ କୌଣସି ପ୍ରକାର ପର୍ଯ୍ୟଟନ ପାଇଁ ଭିତିଭୂମି ନାହିଁ, ମାଲଦୀପରେ ସବୁ ରହିଛି । କେବଳ ସେତିକି ନୁହେଁ ସେ ହିନ୍ଦୁ ମାନଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରସଙ୍ଗରେ ବିଫ ପ୍ରସଙ୍ଗକୁ ଯୋଡି ଓ ବିନା କୌଣସି କାରଣରେ ଏଭଳି ଶବ୍ଦର ଚୟନ କରି ଏହାକୁ ହିନ୍ଦୁ- ମୁସଲମାନ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି । ଲେଫ୍ଟ – ଲିବରାଲ ମାନଙ୍କ ପାଇଁ ଭାରତରେ କିଛି ଭଲ ନାହିଁ, ସବୁ ଖରାପ । ସେ ଏହାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ମାଲଦୀପକୁ କାହିଁକି ବୟକଟ କରିବାକୁ ଅଭିଯାନ ଆରମ୍ଭ କରାଯାଉଛି ଓ ତାର ସଫଳତାକୁ ଦେଖି ତାଙ୍କ ମନର କଷ୍ଟ ସ୍ପଷ୍ଟ ପରିଲକ୍ଷିତ ହେଉଛି ।
ସେହିପରି ଏହି ପ୍ରସଙ୍ଗ ଜୋର ଧରିବା ଓ ମାଲଦୀପକୁ ଯାଉଥିବା ପର୍ଯ୍ୟଟକ ମାନେ ସେମାନଙ୍କର ଟ୍ରିପକୁ ରଦ୍ଦ କରିବା ପରେ ଲେଫ୍ଟ ଲିବରାଲ ମାନେ ଆଉ ଏକ ପ୍ରକାରର ନ୍ୟାରେଟିଭ ତିଆରି କରିବାକୁ ଚେଷ୍ଟା କରିଥିଲେ ଓ ତାହା ହେଲା, ‘ଗୋଟେ ଛୋଟ ଦେଶକୁ ଭାରତ ଡରାଇ ହଇରାଣ କରୁଛି, ଯାହା ଠିକ ନୁହେଁ ’ । ‘ଏକ ଛୋଟ ସାର୍ବଭୌମ ଦେଶ ପ୍ରତି ଏଭଳି ବ୍ୟବହାର କାହିଁକି କରାଯାଉଛି’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କାହିଁକି କରୁଛନ୍ତି ’। ‘ସୋସିଆଲ ମିଡିଆରେ ମାଲଦୀପ ବିରୁଦ୍ଧରେ ବାତାବରଣ ତିଆରି କରିବାକୁ କାହିଁକି ଦିଆଯାଉଛି । ଏହା ଉପରେ ରୋକ ଲାଗିବା ଆବଶ୍ୟକ ’ ।ମୋଟ ଉପରେ ଏହି ମାମଲାରେ ଲେଫ୍ଟ ଲିବରାଲ ଗୋଷ୍ଠୀର ପ୍ରତିକ୍ରିୟା ଉପର ଲିଖିତ ନ୍ୟାରେଟିଭକୁ ଆଗକୁ ବଢାଇବା ଉଦ୍ଦେଶ୍ୟରେ ରହିଥିଲା ।
ଏବେ ଦେଖିବା କଂଗ୍ରେସ ଦଳର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା କଣ ରହିଥିଲା ? ମାଲଦୀପ ବିବାଦକୁ ନେଇ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ‘ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ କଥାକୁ ବ୍ୟକ୍ତିଗତ ଭାବେ ନେଉଛନ୍ତି । ପଡୋଶୀ ଦେଶ ମାନଙ୍କ ସହ ଆମର ଭଲ ସମ୍ପର୍କ ରହିବା ଉଚିତ । ’ ଏହା କହି ଶ୍ରୀ ଖଡଗେ ପଡୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ଖଡଗେ ଯେଉଁ କଥା ଉଠାଇଛନ୍ତି ତାହା କଣ ସତ୍ୟ? ମୋଦୀ କଣ ପ୍ରତ୍ୟେକ କଥାକୁ ବ୍ୟକ୍ତିଗତ ଭାବେ ନେଉଛନ୍ତି? ପ୍ରଧାନମନ୍ତ୍ରୀ ତ ଲକ୍ଷାଦୀପର ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ବେଳେ ମାଲଦୀପର ନାମ ମଧ୍ୟ ନେଇ ନାହାନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ସଭାପତି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି ?
ଏଠାରେ ଉଲ୍ଲେଖ କରାଯିବା ଆବଶ୍ୟକ ଯେ ମାଲଦୀପର ନବ ନିର୍ବାଚିତ ରାଷ୍ଟ୍ରପତି ମୋଇଜୁ ନିର୍ବାଚନ ପୂର୍ବରୁ ହିଁ ତାଙ୍କର ଚୀନ ପ୍ରେମ ଓ ଭାରତ ବିରୋଧକୁ ସ୍ପଷ୍ଟ କରି ଦେଇଥିଲେ । ସେ ନିର୍ବାଚନ ପୂର୍ବରୁ ହିଁ ରାଜଧାନୀ ମାଲେର ରାଜରାସ୍ତାରେ ଇଣ୍ଡିଆ ଆଉଟର ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା । ମାତ୍ର 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ମାଲଦୀପର ସେ ଏହି ନିର୍ବାଚନରେ ତାଙ୍କ ଦଳ ପାଖାପାଖି 20 ହଜାର ଭୋଟରେ ବିଜୟୀ ହୋଇଥିଲା । ଏହା ପରେ ସେ ତାଙ୍କର ସେହି ଭାରତ ବିରୋଧୀ ଆଭିମୁଖ୍ୟକୁ ଦୋହରାଇଥିଲେ । ସେ ଏହି ଅଂଚଳରେ ଚୀନର ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛନ୍ତି । ଭାରତର ସ୍ୱାର୍ଥ ବିରୋଧରେ ମାଲଦୀପର ନୂଆ ରାଷ୍ଟ୍ରପତି କାର୍ଯ୍ୟ କରିବା ସତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ମାଲଦୀପର ନାମ ମଧ୍ୟ ନେଇ ନ ଥିଲେ। ତେବେ ଖଡଗେ କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଏଭଳି ଭିତିହୀନ ଅଭିଯୋଗ ଆଣୁଛନ୍ତି ?
ତେବେ ଭାରତର ଜନ ସାଧାରଣଙ୍କ ଦ୍ୱାରା ସୋସିଆଲ ମିଡିଆରେ ଯେଭଳି ଅଭିଯାନ ଚଳାଗଲା ତାହା ଦ୍ୱାରା ମାଲଦୀପ ଉପରେ ଚାପ ବଢିଥିଲା ଓ ଶେଷରେ ତାଙ୍କର କିଛି ମନ୍ତ୍ରୀଙ୍କୁ ନିଲମ୍ବିତ କରିବାକୁ ପଡିଲା । ମାଲଦୀପର ଅନ୍ୟ ନେତା ମାନେ ଏହା ବିରୁଦ୍ଧରେ ବକ୍ତବ୍ୟ ଦେବା ଆରମ୍ଭ କଲେ । ଭାରତର ପ୍ରଭାବ କେତେ ତାହା ସ୍ପଷ୍ଟ ହେଲା । ହେଲେ ଏହା ଦ୍ୱାରା ଏହି ଅଂଚଳରେ ନିଜର ପ୍ରଭାବ ବିସ୍ତାର ପାଇଁ ଚେଷ୍ଟା କରୁଥିବା ଚୀନ ପାଇଁ ମଧ୍ୟ ଭଲ ସଂକେତ ନ ଥିଲା ।
ତେଣୁ ଚୀନ ମଧ୍ୟ ଭାରତ ଓ ଭାରତ ସରକାର ବିରୋଧୀ ବକ୍ତବ୍ୟ ଜାରୀ କଲା । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଏହି ପ୍ରସଙ୍ଗରେ ଏକ ଲେଖା ପ୍ରକାଶିତ ହେଲା ଯେଉଁଥିରେ କୁହାଗଲା, “ଭାରତ ଭଳି ଦେଶ ମାଲଦୀପ ଭଳି ବିଶେଷ ପ୍ରକୃତି ବିଶିଷ୍ଟ ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଏକ ସ୍ୱାଧୀନ, ସାର୍ବଭୌମ ଦେଶ ସହିତ ପୂର୍ଣ ସମ୍ମାନର ସହ ବ୍ୟବହାର କରିବା ଉଚିତ । ଭାରତୀୟ ଉପ ମହାଦେଶକୁ ନିୟନ୍ତ୍ରଣ କରିବାର ସ୍ୱପ୍ନକୁ ଭାରତକୁ ତ୍ୟାଗ କରିବା ଉଚିତ । ”
ଚୀନର କଷ୍ଟ ଏହି ବକ୍ତବ୍ୟରୁ ସ୍ପଷ୍ଟ ଝଲକୁଛି । ଚୀନ ଭାରତ ସରକାରଙ୍କୁ ଟାର୍ଗେଟ କରିଛି । ଲେଫ୍ଟ -ଲିବେରାଲ ମାନଙ୍କ ମୁହଁରେ ମଧ୍ୟ ସେହି ସମାନ ଭାଷା, ସେହି ସମାନ ଶବ୍ଦ । କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗରେ ଭାରତର ଜନସାଧାରଣଙ୍କ ପରି ଭାରତର ସ୍ୱାର୍ଥରେ ବାହାରି ପାରିଥାନ୍ତେ । ମାତ୍ର ସେ ତାହା କଲେ ନାହିଁ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧା ସିଧା ଟାର୍ଗେଟ କଲେ । ଏହି ପ୍ରସଙ୍ଗରେ ଲେଫ୍ଟ- ଲିବରାଲ, ଚୀନ ଓ କଂଗ୍ରେସର ଆଭିମୁଖ୍ୟ ପ୍ରାୟ ସମାନ ରହିଛି । ତେବେ ସବୁଠାରୁ ବଡ ପ୍ରଶ୍ନ ହେଲା ଏହି ପ୍ରସଙ୍ଗରେ ଲେଫ୍ଟ- ଲିବରାଲ,ଓ କଂଗ୍ରେସର ଆଭିମୁଖ୍ୟ ସମାନ ଓ ଭାରତର ସ୍ୱାର୍ଥ ବିରୋଧୀ କାହିଁକି ?