Latest News

ବଡନଈ ହରେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Apr 16, 2025
Odishakhabar:Champua-keonjhar-1017

 ଚମ୍ପୁଆ, ୧୬/୦୪(ତ୍ରିନାଥ ମହାନ୍ତ) ଚମ୍ପୁଆ ବ୍ଲକ ବଡନଈ ପଞ୍ଚାୟତ ଅନ୍ତର୍ଗତ ବଡନଈ ଗ୍ରାମ ସ୍ଥିତ ହରେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆର ଲୋକପ୍ରିୟ ବିଜେପି ଜନନେତା ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ସିଂ, ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଶ୍ରୀଯୁକ୍ତ ଅକ୍ଷୟ ବଡପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଶରତ କୁମାର ମହାନ୍ତ, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଗିରି ଯୋଗଦେଇ ମଞ୍ଚାସିନ ହୋଇଥିଲେ। ମୁଖ୍ୟବକ୍ତା ଭାବେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ପ୍ରତିନିଧି ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଚତନ୍ୟ ମହାନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସତ୍ୟବତୀ ନାଏକ କାର୍ଯ୍ୟସୂଚୀ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଉତ୍ସବର ଆରମ୍ଭରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ନାନିତ ଅତିଥି ବୃନ୍ଦଙ୍କୁ ବାଦ୍ୟ ସଂଗୀତର ତାଳେ ତାଳେ ସ୍ୱାଗତ କରି ବିଦ୍ୟାଳୟ ପରିସରକୁ ପାଛୋଟି ନେଇଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀ, ମହାନ ସ୍ୱାଧୀନତା ସଂଗ୍ରାମୀ ବୀରପୁତ୍ର ସୁବାସ ଚନ୍ଦ୍ର ବୋଷ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଳ ଅର୍ପଣ, ପୂଜାର୍ଚନା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ଏହି ଉତ୍ସବର ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ମହୋଦୟ ଶିଶୁ ତଥା ଅଭିଭାବକ ମାନଙ୍କୁ ସଂସ୍କାରିତ ହୋଇ ଦେଶ ସେବା କରିବା ପାଇଁ ପରାମର୍ଶ ଦେଇ ପିଲାଙ୍କ ପାଇଁ ଉତ୍ତମ ପରିବେଶ ଓ ସୁସଂସ୍କାର ଦେଇ କିପରି ଗଢିତୋଳିବା ସେସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟାଳୟରେ ଥିବା ଅନେକ ଆବଶ୍ୟକତା ଓ ଅସୁବିଧାକୁ ଯଥା ଶୀଘ୍ର ଦୂର କରିବା ଓ ବିଦ୍ୟାଳୟର ଉନ୍ନତି କରଣ କାମ କିପରି ହୋଇ ପାରିବ ସେ ବିଷୟରେ ଉପସ୍ଥାପନା କରିଥିଲେ। ସମ୍ନାନୀୟ ଅତିଥି ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ସିଂ ତାଙ୍କ ଅଭିଭାଷଣରେ ଭାରତର ଶିକ୍ଷାନୀତି ବହୁ ପୁରାତନ କାଳରୁ କିପରି ଚାଲି ଆସୁଥିଲା ଏବଂ ଭାରତରେ ଇଂରେଜ ଶାସନ ବେଳେ କିପରି ସଂସ୍କୃତି ଓ ପରର୍ମ୍ପରାକୁ ନଷ୍ଟ କରି ଦିଆଗଲା ସେବିଷୟରେ ଆଲୋକପାତ କରିଥିଲେ। ସଭା ଶେଷରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପ୍ରଦର୍ଶିତ ହୋଇଥିଲା।

Related Post