ଚମ୍ପୁଆ, ୧୮/୧୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ବନ୍ୟାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ ଯୋଗ ଦେଇ କ୍ରୀଡ଼ା ସହିତ ସବୁ କ୍ଷେତ୍ରରେ କଠିନ ପରିଶ୍ରମ ଓ ଅଭ୍ୟାସ କଲେ ଜୀବନରେ ସଫଳତା ଲାଭ କରିପାରିବେ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ସମ୍ପାଦକ ଭୋଳାନାଥ ମିଶ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାଏକ, କୋଷାଧ୍ୟକ୍ଷ ସଦାନନ୍ଦ ଦେହୁରୀ, ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ ଓ ମୋନାଲିସା ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ । ଏହି ଉଦଘାଟନୀ ଦିବସରେ ୧୦୦ମି, ୨୦୦ ମି., ୪୦୦ମି., ୬୦୦ମି. ୮୦୦ମି. ୧୫୦୦ମି., ୩୦୦୦ମି. ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛା ଫିଙ୍ଗା, ସେହିପରି ଶିଶୁ ବାଟିକାର ୨୫ମି. , ୫୦ମି. ଦୌଡ, ବେଲୁନ ଫଟା, ଅକ୍ଷର କାର୍ଡ, ଶବ୍ଦ ଖେଳ, ଖୋଲି ଚାମଚ, ବଲ୍ ଫିଙ୍ଗା, କାଠି ଦୌଡ, ଚପଲ ଦୌଡ ଆଦି ପ୍ରତିଯୋଗୀତା କରା ଯାଇଥିଲା । ଏଥିରେ ମୋଟ୍ ୮୮୬ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡ଼ା ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତ, ବସନ୍ତ କୁମାର ମହାନ୍ତଙ୍କ ସମେତ ନିର୍ମଳ ଚନ୍ଦ୍ର ମହାନ୍ତ, ଶରତ ଚନ୍ଦ୍ର ପ୍ରଧାନ, ସତ୍ୟଜିତ ପ୍ରଧାନ, ପବନ କୁମାର ସାହୁ , ରବୀନ୍ଦ୍ର କୁମାର ପଣ୍ଡା, ସୁଶାନ୍ତ ଗିରି, ଅରୁଣ ଜେନା, ସରୋଜ କୁମାର ପାତ୍ର, ପ୍ରତାପ ମହାନ୍ତ, ତ୍ରିବେଣୀ ପାତ୍ର ଆଦି କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ ।