ଚମ୍ପୁଆ, ୦୮/୧୧ (ତ୍ରିନାଥ ମହାନ୍ତ) ଚମ୍ପୁଆ ଝାଡଖଣ୍ଡ ସୀମାରେ ଥିବା ବୈତରଣୀ ଓ କଙ୍ଗିରା ନଦୀ ମୁହାଣ ଠାରେ ଅବସ୍ଥିତ ବାବା ନୀଳକଣ୍ଠ ମହାଦେବ ମନ୍ଦିରର ଶିବ ଲିଙ୍ଗକୁ କେହି ଅସାମାଜିକ ତତ୍ତ୍ଵ ଭାଙ୍ଗି ଦେବା ଘଟଣା ପରେ ମହାଦେବଙ୍କ ପୁଣି ଥରେ ପ୍ରାଣପ୍ରତିଷ୍ଠା ନିମନ୍ତେ ନୀଳକଣ୍ଠ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକୁ ସୁରୁଖୁରୁରେ କରିବା ପାଇଁ ଏକ ମନ୍ଦିର କମିଟି ଗଠନ କରା ଯାଇଛି । ସର୍ବସମ୍ମତି କ୍ରମେ କମିଟିର ସଭାପତି ଭାବେ ଦିଲୀପ ବେହେରା, ଉପ ସଭାପତି ଭାବେ ଅମର ରାଠୋର, ସମ୍ପାଦକ ଭାବେ ଶମ୍ଭୁ ରାଠୋର, ସହ ସମ୍ପାଦକ ଭାବେ ଲାଖୀନ୍ଦ୍ର ଗାଗରାଇ, କୋଷାଧ୍ୟକ୍ଷ ଭାବେ ଦୁଗ୍ଧଶ୍ୱର ପ୍ରସାଦ ଏବଂ ସହ-କୋଷାଧ୍ୟକ୍ଷ ସୁଶୀଲ କୁମାର ବେହରାଙ୍କୁ ମନୋନୀତ କରା ଯାଇଥିବା ବେଳେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ପ୍ରହ୍ଲାଦ ମାହାତୋ, ଗଙ୍ଗା ପାନୱାର, ହେମନ୍ତ ମାହାତୋ, ଭାଗବତ ମାହାତୋ, କପିଲ ବେହେରା, ଘଡିରାମ ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ, ବାବୁ ପିଙ୍ଗୁୱା, ପ୍ରଦୀପ ନାୟକ, ବିପିନ ଜିତ, ଦୀପୁ ଜିତ, ବାବଲୁ ଦାସ, ରଣଜିତ ବାବା, ସମିତି ରାଠୋର, ଅଶ୍ୱିନୀ ଛତ୍ର , ସୁଭାଷ କୋଡା, ସମିତି ମହତୋ, ଶରତ ପାନୱାର, ବାଲେଶ ପାୱାର, ହେମନ୍ତ ମାହାତୋ, ଅଶୋକ ମାହାତୋ, ଜଗନ୍ନାଥ ମାହାତୋ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଏହା ସହିତ ସମସ୍ତ ଗାଁର ଦଶ ଜଣଙ୍କୁ କମିଟିର ସଦସ୍ୟ କରାଯାଇଛି। ଚମ୍ପୁଆ ଅଞ୍ଚଳର ପ୍ରଖ୍ୟାତ ପଣ୍ଡିତ ଜୟହରୀ ମିଶ୍ରଙ୍କୁ ମଧ୍ୟ ଏହି ସଭାକୁ ନିମନ୍ତ୍ରଣ କରା ଯାଇଥିଲା। ପଣ୍ଡିତ ଶ୍ରୀ ମିଶ୍ର ନୀଳକଣ୍ଠ ମନ୍ଦିରର ଇତିହାସ ବର୍ଣ୍ଣନା କରୁ ଥିବାବେଳେ ସେ ଏହାର ପୁନଃର୍ଜୀବନର ପଦ୍ଧତି ବିଷୟରେ କହିଥିଲେ ଏବଂ ଶୀଘ୍ର ମନ୍ଦିରକୁ ପବିତ୍ର କରି ପୂଜା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଲିଙ୍ଗ ଭାଙ୍ଗିବା ଘଟଣାକୁ ନେଇ ସମସ୍ତେ କ୍ରୋଧ ପ୍ରକାଶ କରିବା ସହିତ ନଭେମ୍ବର ୧୧ ତାରିଖ ସୁଦ୍ଧା ଯଦି ଘଟଣାର ଅଭିଯୁକ୍ତକୁ ଧରା ନ ଯାଏ ତେବେ ସମଗ୍ର ଜୟନ୍ତୀଗଡ଼ ଏବଂ ତାର ଆଖପାଖ ଅଞ୍ଚଳର ଲୋକମାନେ ଝାରଖଣ୍ଡରେ ହେବାକୁ ଥିବା ଭୋଟ୍ ବର୍ଜନ କରିବେ ବୋଲି ବୈଠକରେ ଚରମ ନିଷ୍ପତ୍ତି ନେଇ ସଭାକାର୍ଯ୍ୟ ଶେଷ କରା ଯାଇଥିଲା। ଏହି ସଭାରେ ବହୁ ପଞ୍ଚାୟତରୁ ଶତାଧିକ ଲୋକ ଉପସ୍ଥିତ ହୋଇଥିବା ଦେଖିବାକୁ ମିଳିଥିଲା।