Latest News

ଚମ୍ପୁଆରେ ମାତିଛନ୍ତି କାଠ ମାଫିଆ : ସନ୍ଦେହରେ ତହସିଲ ଓ ବନବିଭାଗର ଭୂମିକା

Oct 29, 2024
Odishakhabar:Champua-keonjhar-480

 ଚମ୍ପୁଆ, ୨୯/୧୦ (ତ୍ରିନାଥ ମହାନ୍ତ) ଚମ୍ପୁଆ ରେଞ୍ଜ ଅଞ୍ଚଳ ଏବେ କାଠ ମାଫିଆଙ୍କ ଭୁସ୍ୱର୍ଗ ପାଲଟି ସାରିଛି। ଦୈନିକ ଏହି ରେଞ୍ଜରୁ ଟ୍ରିପ ଟ୍ରିପ ଗଛ ବାହାରକୁ ଚାଲାଣ ହେଉଥିବା ବେଳେ ଏହି ଚାଲାଣ ପଛରେ ଚମ୍ପୁଆ ତହସିଲ ଓ ବନ ବିଭାଗର ଭୂମିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟକି ଭୂତଳ ଜଳକୁ ନେଇ ବନ ବିଭାଗ ପଟାଭୁକ୍ତ ଜମିରୁ ୟୁକାଲିପଟାସ ଓ ଆକାଶିଆ ଗଛ କାଟିବା ଉପରେ ଅଙ୍କୁଶ ଉଠାଇ ଦେଇଥିବା ବେଳେ ଏହାର ସୁଯୋଗ ନେଇ ଏବେ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସି ବହୁ କାଠ ମାଫିଆ ଅଞ୍ଚଳରେ ଆଡା ଜମାଇ ସାରିଛନ୍ତି। ମାଫିଆ ମାନେ ଲୋକଙ୍କ ଠାରୁ ଶାଗ, ମାଛ ଦରରେ ଗଛ ନେଇ ରାଜ୍ୟ ବାହାରକୁ ଚାଲାଣ କରି କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି। ଏହି ଗଛ କଟା ଉପରେ ବନ ବିଭାଗ ଓ ତହସିଲର ସ୍ୱୀକୃତି ରହିଥିବା ବେଳେ ଏହି ଆଳରେ କିଛି ମାଫିଆ ସରକାରୀ ଜମି, ଜଙ୍ଗଲ ଜମି ଆଦିରୁ ମଧ୍ୟ ଗଛ କାଟି ନେଉଥିବା ଦେଖିବାକୁ ମିଳୁଛି। ମାଫିଆ ମାନେ ବନ ବିଭାଗ ଓ ତହସିଲର କିଛି ତଳିଆ କର୍ମଚାରୀଙ୍କୁ ହାତବାରିସୀ କରି ଦୈନିକ ଶହ ଶହ ଗଛ କାଟି ନେଉଛନ୍ତି। ସେହିପରି ଚମ୍ପୁଆ ତହସିଲ ଅନ୍ତର୍ଗତ ଭୂଇଁପୁର ଅଞ୍ଚଳର ବହୁ ସରକାରୀ ଜମିରୁ ଗଛ କଟାଯାଇ ମାଫିଆ ମାନେ ଖୋଦ ଭୂଇଁପୁର ଆରଆଇ ଅଫିସ ସମ୍ମୁଖରେ ଗଛ ଗୁଡିକୁ ଗଦା କରି ବଡ଼ ବଡ଼ ଟ୍ରକରେ ଲୋଡ଼ କରି ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା କରୁଥିଲେ ମଧ୍ୟ ଏହି କାରବାରକୁ ଅଙ୍କୁଶ ଲଗାଇବା ପାଇଁ କୌଣସି ବିଭାଗ ଗୁରୁତ୍ୱ ଦେଉ ନାହାନ୍ତି। ଏହାକୁ ନେଇ ଭୂଇଁପୁର ଆରଆଇଙ୍କୁ ପଚାରିବାରୁ ସେ ଗଛ କଟା ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ ବୋଲି କହୁ ଥିବାବେଳେ ଉଖୁଣ୍ଡା ବନପାଳ ପ୍ରମୋଦ ବେହେରାଙ୍କୁ ପଚରା ଯିବାରୁ ସେ ମଧ୍ୟ ଗଛ କଟା ସମ୍ପର୍କରେ କୌଣସି ସୂଚନା ନ ଥିବା ସଫେଇ ଦେଇଛନ୍ତି। ତେବେ ଉଭୟ ତହସିଲ ଓ ବନ ବିଭାଗର ଅଜ୍ଞାତରେ ସରକାରୀ ଜମିରୁ କିପରି ଗଛ କଟା ଯାଉଛି ଓ କିପରି ଦିନ ଦ୍ୱିପ୍ରହରେ ଖୋଦ ଆରଆଇ ଅଫିସ ସମ୍ମୁଖରେ ଗାଡ଼ିରେ ଲୋଡ଼ ହୋଇ ଚାଲାଣ ହେଉଛି। ଯାହା ଉଭୟ ତହସିଲ ଓ ବନ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Related Post