ବଲାଣି,୩/୧ - କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ବରପଦା ଠାରେ ଥିବା କେ. ଜେ. ଏସ୍. ଆଲୁୱ୍ୟଲିଆ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ତେବେ ଉକ୍ତ ବିସ୍ଫୋରଣରେ କେହି ହତାହତ ହୋଇନଥିବା ପୁଲିସ କହିଥିବା ବେଳେ କାରଖାନା କତ୍ତୃପକ୍ଷ କିଛି ସୂଚନା ପ୍ରଦାନ କରିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ସହିତ ବିସ୍ଫୋରଣ ହୋଇଥିଲା । କାରଖାନାର ଇଣ୍ଡକ୍ସନ୍ ଫର୍ନେସରେ ଏହି ବିସ୍ଫୋରଣ ଘଟିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଥିବା ବେଳେ ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ଜଳି ଯାଇଥିଲା । ଦୁର୍ଘଟଣା ସମୟରେ ପାଖରେ କେହି ଶ୍ରମିକ ନଥିବାରୁ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।ତେବେ ଏହି କାରଖାନାରେ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଥିବା ବେଳେ କାରଖାନା କତ୍ତୃପକ୍ଷ ସୁରକ୍ଷା ପ୍ରତି ଧ୍ୟାନ ଦେଉନଥିବାରୁ ଏପରି ଦୁର୍ଘଟଣା ଗୁଡିକ ଘଟୁଥିବା ନେଇ ଆଲୋଚନା ହେଉଛି ।