Latest News

ଚମ୍ପୁଆ ବ୍ଲକରେ ମନରେଗା ଭେଳିକି : ହାତବାନ୍ଧି ବସିଛି ସ୍ଥାନୀୟ ଶ୍ରମିକ : କାମ କରୁଛନ୍ତି ଅଣଓଡ଼ିଆ ଶ୍ରମିକ : ବ୍ଲକ ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ

Oct 30, 2024
Odishakhabar:Champua-keonjhar-482

 ଚମ୍ପୁଆ, ୩୦/୧୦ (ତ୍ରିନାଥ ମହାନ୍ତ) ଲୋକଙ୍କୁ ବାର୍ଷିକ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ମନରେଗା ଯୋଜନାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଏହି ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଜଣାପଡିଛି। ପଞ୍ଚାୟତ ସହିତ ବ୍ଲକ କତୃପକ୍ଷଙ୍କ ଭିତିରି ବୁଝାମଣାରେ ପ୍ରକୃତ ଶ୍ରମିକଙ୍କୁ ଅଣଦେଖା କରାଯାଇ ରାଜ୍ୟ ବାହାର ଅଣଓଡ଼ିଆ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରା ଯାଉଥିବା ଯୋଗୁଁ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପୁଞ୍ଜିଭୁତ ହେଉଛି। ସରକାରୀ ନିୟମ ଅନୁସାରେ ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟ ଗୁଡିକରେ କାର୍ଯ୍ୟ ସ୍ଥାନର ୫ କି.ମି ଦୂରତ୍ୱ ଅଞ୍ଚଳର କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆ ଯିବାକଥା ମାତ୍ର ଚମ୍ପୁଆ ବ୍ଲକ ଜଜପସି ପଞ୍ଚାୟତରେ ଏହି ଯୋଜନାର ଖୋଲାଖୋଲି ଉଲଂଘନ କରା ଯାଉଥିବା ଦେଖିବାକୁ ମିଳିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପଞ୍ଚାୟତର ଜଜପଶି ଗ୍ରାମକୁ ଗ୍ରାମାଞ୍ଚଳ ପାର୍କ ନିର୍ମାଣ ନିମନ୍ତେ ମହାତ୍ମାଗାନ୍ଧୀ ନିଶ୍ଚିତ ଶ୍ରମନିଯୁକ୍ତି ଯୋଜନାରେ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିଲା। ଜଜପସି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଂସ୍ଥାଙ୍କ ତତ୍ଵାବଧାନରେ କରା ଯାଉଥିବା ଏହି କାର୍ଯ୍ୟରେ ପଞ୍ଚାୟତର ଶ୍ରମିକଙ୍କୁ ଅଣଦେଖା କରାଯାଇ ରାଜ୍ୟ ବାହାରୁ ଅଣ ଓଡ଼ିଆ ମିସ୍ତ୍ରୀ ଓ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ଦେଖା ଯାଇଛି। ଏହି କାର୍ଯ୍ୟରେ ସ୍ୱଛତା ମଧ୍ୟ ଅବଲମ୍ବନ କରା ଯାଉନଥିବା ବେଳେ ଏହି କାର୍ଯ୍ୟ ପାଇଁ ଲଗା ଯାଉଥିବା ସୂଚନା ଫଳକରେ ମଧ୍ୟ ଆବଶ୍ୟକ ସୂଚନା ଦିଆ ନ ଯାଇ ଲୋକଙ୍କୁ ଅନ୍ଧାରରେ ରଖା ଯାଇଛି। ଏହାକୁ ନେଇ ଅସନ୍ତୋଷ ପୁଞ୍ଜିଭୁତ ହେଉଥିବା ବେଳେ ଏପଟେ ପଞ୍ଚାୟତର ପ୍ରକୃତ ଶ୍ରମିକ ମାନେ କାମ ଧନ୍ଦା ନ ପାଇ ରୋଜଗାର ଆଶାରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାର ପରିସ୍ଥିତି ସୃଷ୍ଟି ହୋଇ ସାରିଥିଲେ ହେଁ ମନରେଗା ଯୋଜନାରେ ରାଜ୍ୟ ବାହାରର ଅଣ ଓଡ଼ିଆ ଶ୍ରମିକଙ୍କୁ ନିୟୋଜିତ କରିବା ପଛରେ ବ୍ଲକ ପ୍ରଶାସନର ନିରବ ସମର୍ଥନ ରହି ଥିବାରୁ ବ୍ଲକ ପ୍ରଶାସନର କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏହାକୁ ନେଇ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସହରାଇ ମିଞ୍ଜଙ୍କୁ ଯୋଗାଯୋଗ କରାଯିବାରୁ କିଏ କାମ କରୁଛି ତାହା ମାଷ୍ଟର ରୋଲ ଦେଖିଲେ ଜଣାପଡିବ, କ'ଣ ହୋଇଛି ତାହା ବୁଝି ପରେ ଆପଣଙ୍କୁ ଜଣାଇ ଦିଆଯିବ ବୋଲି ସଫେଇ ଦେଇଥିବା ବେଳେ ଅନ୍ୟପଟେ ନିକଟରେ ଏହି କାର୍ଯ୍ୟକୁ ତଦାରଖ କରିବାକୁ ଖୋଦ ଚମ୍ପୁଆ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ତଦାରଖ କରି ଫେରିଥିଲେ ସୁଧା କାର୍ଯ୍ୟରେ ଅଣ ଓଡ଼ିଆ ଶ୍ରମିକଙ୍କୁ ନିୟୋଜିତ କରା ଯାଇଥିଲେ ମଧ୍ୟ କୌଣସି ଗୁରୁତ୍ୱ ଦେଇ ନ ଥିବା ଜଣାପଡିଛି। ଅନ୍ୟ ପଟେ କାର୍ଯ୍ୟକୁ ନେଇ ଚମ୍ପୁଆ ଏପିଓ ସଂଗୀତା ମାଝୀଙ୍କୁ ଯୋଗାଯୋଗ କରାଯିବାରୁ ଏସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ, ମୁଁ ସାରଙ୍କ ସହିତ ପରାମର୍ଶ କରିବି ବୋଲି କହିଥିବା ବେଳେ ଚମ୍ପୁଆ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ କ'ଣ ହୋଇଛି ବୁଝିକି କହିବି କହିଛନ୍ତି। ତେବେ ଚମ୍ପୁଆ ବ୍ଲକରେ ଏହି ଯୋଜନାରେ ବ୍ୟାପକ ଅନିୟମିତତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଫିଟି ବାହାରକୁ ଆସି ପାରନ୍ତା ବୋଲି ଯଜପଶି ପଞ୍ଚାୟତବାସୀ ଦାବୀ କରିଛନ୍ତି।

Related Post