ଚମ୍ପୁଆ, ୨୪/୧୦ (ତ୍ରିନାଥ ମହାନ୍ତ) କେନ୍ଦୁଝର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ଝାରଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ପୋଲିସ ସହାୟତାରେ ଚମ୍ପୁଆ ଅବକାରୀ ବିଭାଗ ଚମ୍ପୁଆ ଓ ଝାରଖଣ୍ଡ ରାଜ୍ୟର ଜୟନ୍ତୀଗଡ଼ ସୀମାରେ ଥିବା ବୈତରଣୀ ନଦୀର ଦୁଇ ପାର୍ଶ୍ବରେ ଥିବା ବିଭିନ୍ନ ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ରନ୍ଧା ମଦ ଜବତ କରିଛି। ସୂଚନା ଯୋଗ୍ୟ କି, ଓଡିଶାର ଚମ୍ପୁଆ ଓ ଝାରଖଣ୍ଡର ଜୟନ୍ତୀଗଡ଼ ସୀମାରେ ଅବସ୍ଥିତ ବୈତରଣୀ ନଦୀର ଦୁଇ ପାର୍ଶ୍ଵରେ ଥିବା ବିଭିନ୍ନ ଗ୍ରାମରେ ଏବେ ଦେଶୀ ରନ୍ଧା ମଦ ଏକ କୁଟୀର ଶିଳ୍ପରେ ପରିଣତ ହୋଇସାରିଛି। କିଛି ମଦ ମାଫିଆ ଗ୍ରାମର ଲୋକଙ୍କୁ ଏହି କାର୍ଯ୍ୟରେ ଲଗାଇ ଚମ୍ପୁଆ ଓ ଝାରଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଚୋରା ମଦ ଯୋଗାଇ ଆସୁଛନ୍ତି। ତେବେ ଆଗକୁ ଝାରଖଣ୍ଡ ନିର୍ବାଚନ ଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଚମ୍ପୁଆ ଅବକାରୀ ଇନ୍ସପେକ୍ଟର ଏସ ଜଗା ରାଓ ଙ୍କ ନେତୃତ୍ଵରେ ଆଜି ଚମ୍ପୁଆ ଅବକାରୀ ବିଭାଗ ଓ ଝାରଖଣ୍ଡ ପୋଲିସର ଏହି ମିଳିତ ଚଢାଉ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହି ଚଢାଉ ଜାରୀ ରହିବ ବୋଲି ସୂଚନା ଦେଇଛନ୍ତି । ଏହି ଚ଼ଢାଉ ବେଳେ ୪୫୦୦କେ.ଜି. ମହୁଲପୋଚ ଓ ୭୫୦ ଲିଟର ମହୁଲି ନଷ୍ଟ କରା ଯାଇଥିବାର ସୂଚନା ମିଳିଛି।