ଚମ୍ପୁଆ, ୧୭/୧୦ (ତ୍ରିନାଥ ମହାନ୍ତ) ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ଜନିତ ସମସ୍ୟା ପାଇଁ ରୋଗୀ ସେବାରେ ଅବ୍ୟବସ୍ଥା ଲାଗି ରହି ଥିବାବେଳେ ଏବେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ମଧ୍ୟ ଦିନକୁ ଦିନ ଅଣାୟତ୍ତ ହେବାରେ ବସିଛି। ବାହାରକୁ ଚକାଚକ ଦେଖା ଯାଉଥିଲେବି ଡାକ୍ତରଖାନା ପରିସର ଭିତରେ କୁଢ଼ କୁଢ଼ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡି ରହୁଥିବା ଦେଖିବାକୁ ମିଳୁଛି। ହେଲେ ଏଥି ପ୍ରତି କର୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।
ସରକାର ଡାକ୍ତରଖାନା ଗୁଡିକୁ ରୋଗୀ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ଯୋଗାଇ ଦେଉଛନ୍ତି କୋଟି କୋଟି ଟଙ୍କା। ମାତ୍ର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଅଧିକାରୀଙ୍କ ଅବହେଳା କାରଣରୁ ରୋଗୀଙ୍କୁ ବହୁ ସୁବିଧା ସୁଯୋଗରୁ ବଞ୍ଚିତ ହେବା ତଥା ଡାକ୍ତରଖାନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ଥାଇ ସୁଧା ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ବହୁ ସେବାରୁ ଜନ ସାଧାରଣ ବଞ୍ଚିତ ହେଉ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ କୁଢ଼ କୁଢ଼ ଆବର୍ଜନା ଦୀର୍ଘ ଦିନ ଧରି ପଡି ରହିବା ଚିକିତ୍ସାଳୟ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି।
ଏହି ଡାକ୍ତରଖାନା ଉପରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଯୋଡ଼ା, ଝୁମ୍ପୁରା ବ୍ଲକ ସହିତ ମୟୁରଭଞ୍ଜ ଜିଲ୍ଲା ଓ ଝାରଖଣ୍ଡ ରାଜ୍ୟର ହଜାର ହଜାର ଲୋକ ନିର୍ଭର କରି ସେବା ପାଇବା ଆଶାରେ ଆସିଥାନ୍ତି, କିନ୍ତୁ ଏଠାରେ ରୋଗୀ ବହୁ ସୁବିଧାରୁ ବଞ୍ଚିତ ହେବା ଏକ ନିତି ଦିନିଆଁ ଘଟଣା ପାଲଟି ଥିବା ବେଳେ ଏବେ ଡାକ୍ତରଖାନା ପରିସରରେ ଦୀର୍ଘ ଦିନ ଧରି ପଡି ରହୁଥିବା ବର୍ଜ୍ୟବସ୍ତୁ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି।
କିଛି ବର୍ଷ ପୂର୍ବେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କରାଯାଇଥିଲା। ଡାକ୍ତରଖାନାରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ପରିଚାଳନା ପାଇଁ ଏହାର ଆବଶ୍ୟକତା ମଧ୍ୟ ରହିଥିଲା। ହେଲେ ନିମ୍ନମାନର କାମ ପାଇଁ ନିର୍ମାଣ ହେବା ଦିନ ଠାରୁ ଏହି କେନ୍ଦ୍ରରେ ତାଲା ଝୁଲୁ ଥିବା ଦେଖିବାକୁ ମିଳୁଥିବା ବେଳେ ବହିଃର୍ବିଭାଗ କଡରେ ଥିବା ଜୈବ ଵୈର୍ଯ୍ୟବସ୍ତୁ ପରିଚାଳନା କକ୍ଷ ସମ୍ମୁଖରେ ତଥା ମା ଗୃହ ପଛପଟେ ପକା ଯାଉଥିବା ଡାକ୍ତରଖାନାର ବର୍ଜ୍ୟବସ୍ତୁ ଗୁଡିକ ଦୀର୍ଘ ଦିନ ଧରି ପଡି ରହି ଦୁର୍ଗନ୍ଧ ହେଉଥିଲେ ମଧ୍ୟ ବର୍ଜ୍ୟବସ୍ତୁ ଉଠାଇବା ଦିଗରେ କର୍ତୃପକ୍ଷ ଦୃଷ୍ଟି ନ ଦେବା ଚିନ୍ତାର କାରଣ ପାଲଟିଛି। ଦୀର୍ଘ ଦିନ ଧରି ବର୍ଜ୍ୟବସ୍ତୁ ପଡି ରହିବା ଫଳରେ ମଶା ମାଛି ବଂଶବୃଦ୍ଧି ପାଇବା ସହିତ ପରିବେଶ ପ୍ରଦୂଷିତ ହୋଇ ବିଭିନ୍ନ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ଏବେ ରାଜ୍ୟରେ ଡେଙ୍ଗୁ ଭୟ ଲାଗି ରହି ଥିବାବେଳେ ମା ଗୃହ ନିକଟରେ ବର୍ଜ୍ୟବସ୍ତୁ ପଡି ରହିବା ଦ୍ୱାରା ମା ଗୃହରେ ରହୁ ଥିବା ମା ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆମନ୍ତ୍ରଣ କରୁଛି। ତେଣୁ ଏଥି ପ୍ରତି ଡାକ୍ତରଖାନା କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।