ଚମ୍ପୁଆ, (୨୦/୧୦) ୨୦ ନମ୍ବର ଜାତୀୟ ରାଜପଥ ଚମ୍ପୁଆ ଥାନା ନିକଟରେ ଟ୍ରଲର ଧକ୍କାରେ ଜଣେ ମୃତ୍ଯୁ ବରଣ କରିଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ଆଜି ନୋ ଏଣ୍ଟ୍ରି ଖୋଲିବା ପରେ ଚମ୍ପୁଆ ଥାନା ନିକଟରେ ଝାଡ଼ଖଣ୍ଡ ପଟୁ ଆସୁଥିବା ଏକ ଟ୍ରଲର ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଢେଙ୍କାନାଳ ଜିଲ୍ଲା ଝାରବେଡା ଗ୍ରାମର ମନିଷ ନାଥ ବୋଲି ଜଣାପଡିଛି। ସେ କୌଣସି କାମରେ ଅନ୍ୟ ଜଣକ ସହ ନିଜ ଗାଁ ରୁ ଝାଡ଼ଖଣ୍ଡର ଚାଇବସାକୁ ଯିବା ସମୟରେ ଚମ୍ପୁଆ ଥାନା ନିକଟରେ ଏକ ଟ୍ରଲର ତାଙ୍କୁ ଧକ୍କା ଦେବା ଫଳରେ ସେ ବାଇକ୍ ସହ ଛିଟିକି ରାସ୍ତା ଉପରେ ପଡି ଯାଇଥିଲେ। ଫଳରେ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଦୁର୍ଘଟଣା ଘଟାଇଥିବା ଟ୍ରଲର ଡ୍ରାଇଭର ଗାଡି ଛାଡି ଫେରାର ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଓ ବାଇକକୁ ଜବତ କରିବା ସହିତ ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ଚିକିତ୍ସା ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।