ଚମ୍ପୁଆ, (୦୬/୧୦) ଦୁଇ ବର୍ଷ ତଳେ ପୁଅର ଅକାଳ ବିୟୋଗ ପରେ ପର ପୁରୁଷର ହାତ ଧରି ଘର ଛାଡିଲା ବୋହୂ। ଏକମାତ୍ର ନାତୁଣୀର ଭବିଷ୍ୟତ ଚିନ୍ତାରେ ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଟିଆଁଶିପଶି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ। ସବୁ ଠିକ ଠାକ୍ ଚାଲିଥିଲା, ପୁଅ ବୋହୂ ନାତୁଣୀକୁ ନେଇ ହସ ଖୁସିରେ ଗଡ଼ି ଯାଉଥିଲା ଦିନ। ମାତ୍ର ବିଧାତାର ନିୟମ ଅନ୍ୟ କିଛି ଥିଲା। ଦୁଇ ବର୍ଷ ତଳେ ପୁଅ ହେମାନନ୍ଦ ସିଂଙ୍କ ଅକାଳ ବିୟୋଗ ପରେ ବୋହୂ ମମତା ଏକ ମାତ୍ର ଝିଅର ମୁହଁକୁ ନ ଚାହିଁ ପର ପୁରୁଷର ହାତ ଧରି ଘର ଛାଡିଲା। ଏପରି ସ୍ଥିତିରେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ପୂର୍ଣଚନ୍ଦ୍ର। ପରିଣତି ବୟସରେ ନାତୁଣୀ ସହିତ ହସି ଖେଳି ସମୟ ବିତାଇବା ବଦଳରେ ଏକମାତ୍ର ନାତୁଣୀ ଆରତିର ଭାର ଏବେ ତାଙ୍କ ଉପରେ । ବୟସର ଅପରାହ୍ନରେ କିପରି ନାତୁଣୀକୁ ମଣିଷ କରିବେ ତାହାକୁ ନେଇ ସନ୍ଦିହାନି ହୋଇ ପଡିଛନ୍ତି। ରୋଜଗାର କହିଲେ ମାସକୁ ମିଳୁଥିବା ଏକହଜାର ଟଙ୍କା। ଏତିକି ଅର୍ଥରେ ନାତୁଣୀର ଆବଶ୍ୟକତା କିପରି ପୂରଣ କରିବେ ତାହା ଭାବି ଭାବି ରାତିରେ ନିଦ ହେଉନାହିଁ। ତଥାପି ଆଶା ହରାଇ ନାହାଁନ୍ତି। ଅଣ୍ଟା ନଇଁ ଯାଉଥିଲେ ମଧ୍ୟ ପୁଣି ଥରେ ନାତୁଣୀ ପାଇଁ ସଳଖି ଛିଡା ହେବାକୁ ଚେଷ୍ଟା ଜାରି ରଖିଛନ୍ତି ପୁର୍ଣ୍ଣଚନ୍ଦ୍ର। ତେବେ ଅନାଥ ଆରତିର ପାଠପଢ଼ା ପାଇଁ ଯଦି ସରକାରୀ ସହାୟତା ମିଳି ପାରନ୍ତା ତେବେ ବୃଦ୍ଧ ପୂର୍ଣଚନ୍ଦ୍ର ଶାନ୍ତିରେ ରହି ପାରନ୍ତେ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ।