ଚମ୍ପୁଆ, ୦୬/୧୦ (ତ୍ରିନାଥ ମହାନ୍ତ) ଚୋରା ମଦ ବେପାରୀ ଓ ମଦୁଆଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ମାତ୍ର ଏମଆରପି ଠାରୁ ଢେର ଅଧିକ ଦରରେ ବିକ୍ରି କରୁଥିବା ସରକାରୀ ବିଦେଶୀ ମଦ ଦୋକାନୀ ପ୍ରତି ଅବକାରୀ ବିଭାଗର ଅହେତୁକ ଅନୁକମ୍ପା ଏବେ ଦିନକୁ ଦିନ ସାଧାରଣରେ ଅସନ୍ତୋଷକୁ ପୁଞ୍ଜିଭୁତ କରୁଛି। ଗତ କିଛି ବର୍ଷ ହେବ ରାଜ୍ୟରେ ମଦ ବିରୋଧୀ ଆନ୍ଦୋଳନ ଯେତେ ତୀବ୍ରତର ହେଉଛି ରାଜ୍ୟ ସରକାର ରାଜସ୍ବ ଆଳରେ ସେତେ ଅଧିକା ମଦ ଦୋକାନକୁ ସ୍ୱୀକୃତି ଦେଇ ମଦ ବ୍ୟବସାୟକୁ ବ୍ୟାପକ କରିବାରେ ଲାଗିଛନ୍ତି। ଯାହା ପାଇଁ ରାଜ୍ୟରେ ମଦ କଳା ବଜାରୀ ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଇଛି । ଅବକାରୀ ବିଭାଗର ଅପାରଗତା ହେଉ କି ଆନ୍ତରିକତାର ଅଭାବ ପାଇଁ ମଦ କଳା ବଜାରୀ ବୃଦ୍ଧି ପାଉଥିବା ବେଳେ ଏବେ ସରକାରୀ ମଦ ଦୋକାନ ଗୁଡିକ ମାକ୍ସିମମ ରିଟେଲ ପ୍ରାଇସ (ଏମଆରପି) ଠାରୁ ଢେର ଅଧିକ ଦରରେ ମଦ ବିକ୍ରି କରି ଗ୍ରାହକଙ୍କୁ ଖୋଲା ଖୋଲି ଭାବେ ଲୁଟୁଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚମ୍ପୁଆ ଅଞ୍ଚଳରେ କୌଣସି ଗୋଟିଏ କିମ୍ବା ଦୁଇଟି କାଉଣ୍ଟରରେ ନୁହେଁ ବରଂ ଅଞ୍ଚଳର ସମସ୍ତ କାଉଣ୍ଟରରେ ପ୍ରତି ମଦ ବୋତଲର ଏମଆରପି ରେଟରୁ କୋଡିଏରୁ ପଚାଶ ଟଙ୍କା ପର୍ଯ୍ୟନ୍ତ ଅଧିକ ଚଢ଼ା ଦରରେ ମଦ ବିକ୍ରି କରି ମାଲିକ ମାଲାମାଲ ହେଉଥିବା ବେଳେ କାଉଣ୍ଟର ମାନଙ୍କରେ ଗ୍ରାହକଙ୍କୁ କୌଣସି ରସିଦ ମଧ୍ୟ ଦିଆ ଯାଉନାହିଁ। କାଉଣ୍ଟର ମାନଙ୍କରେ ଅଣଓଡ଼ିଆଙ୍କ ରାଜ ଚାଲୁଥିବା ବେଳେ ଗ୍ରାହକ ରସିଦ ମାଗିଲେ ମାଲିକ ମନା କରିଛନ୍ତି ଆମେ ରସିଦ ଦେଇ ପାରିବୁ ନାହିଁ, ତୁମେ ଯାହା କରିବ କର, ନବାର ଅଛି ତ ନିଅ ନ ହେଲେ ପଳାଅ କହି ଗ୍ରାହକଙ୍କୁ ନାଲି ଆଖି ଦେଖାଇ ଧମକ ଦିଆ ଯାଉଛି। ଯାହାକୁ ନେଇ ଅନେକ ସମୟରେ ଦୋକାନୀ ଏବଂ ଗ୍ରାହକ ମଧ୍ୟରେ କଥା କଟାକଟି ଯୁକ୍ତିତର୍କ ହେବା ପ୍ରାୟ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହି କାରବାର ଖୋଦ ଅବକାରୀ ବିଭାଗର ଜାଣତରେ ହେଉଥିବା ବେଳେ ବିଭାଗ ଆଖି ବନ୍ଦ କରି ଚୁପ ରହିବା ଏହି ଲୁଟ କାରବାରକୁ ବ୍ୟାପକ କରିଛି। ପ୍ରତ୍ୟେକ ମଦ ଦୋକାନ ସମ୍ମୁଖରେ ରେଟ ଚାର୍ଟ ଲାଗିବା ସହିତ ଗ୍ରାହକଙ୍କୁ ରସିଦ ଦେବାର ନିୟମ ରହିଥିବା ବେଳେ ଏହି ବିଷୟରେ ବାରମ୍ବାର ମଦ ଦୋକାନୀ ମାନଙ୍କୁ ନିର୍ଦେଶ ଦିଆ ଯାଉଥିଲେ ମଧ୍ୟ ଏହାକୁ କେହି ଖାତିର କରୁ ନାହାନ୍ତି। ଏପରିକି ଏମଆରପି ଠାରୁ ମାତ୍ରାଧିକ ଦରରେ ମଦ ବିକ୍ରିକୁ କିଛି ଗ୍ରାହକ ମୁହଁ ଖୋଲି ବିରୋଧ କରୁଥିବା ବେଳେ ଆଉ କିଛି ଲୋକ ଲଜ୍ୟା ଭୟରେ ପାଟି ଖୋଲୁ ନ ଥିବାରୁ ଏହାକୁ କାଉଣ୍ଟର ଗୁଡିକ ସୁଯୋଗ ମନେ କରୁଛନ୍ତି। ଏହାକୁ ନେଇ ବିଗତ ଦିନରେ ବହୁବାର ଚମ୍ପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟରେ ହୋହାଲା ମଧ୍ୟ ହୋଇ ଥିବାର ନଜିର ରହିଛି, ହେଲେ ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ନୀତିରେ ଚମ୍ପୁଆ ଅଞ୍ଚଳରେ ଥିବା ପ୍ରାୟ ସମସ୍ତ ସରକାରୀ ମଦ କାଉଣ୍ଟରରେ ଏହି ଅବ୍ୟବସ୍ଥା ଦୈନିକ ଚାଲୁ ଥିଲେ ହେଁ ଅବକାରୀ ବିଭାଗ ଲୋକ ଦେଖାଣିଆ କେବଳ ଦେଶୀ ମଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ମଧ୍ୟ ବିଦେଶୀ ମଦ କାଉଣ୍ଟର ଗୁଡିକ ପ୍ରତି ନିରବଦ୍ରଷ୍ଟା ପାଲଟିବା ଏହି ଦୁର୍ନୀତିରେ ମଦ କାଉଣ୍ଟର ମାଲିକ ଓ ଅବକାରୀ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଯାହାକୁ ନେଇ ଦିନକୁ ଦିନ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।