ଚମ୍ପୁଆ, (୨୮/୧୨) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମର ୱାର୍ଡ ସଭ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଚମ୍ପୁଆର ସହକାରୀ ଯନ୍ତ୍ରୀ କରନ ସୋରେନ ଓ ଏଲ ଏଣ୍ଡ ଟି କମ୍ପାନୀ ପକ୍ଷରୁ ପ୍ରଭାତ କୁମାର ପାଣି ଯୋଗ ଦେଇ ଗ୍ରାମରେ ଚାଲୁଥିବା ମେଗା ପାନୀୟ ଜଳ ଯୋଗାଣ ବିଷୟରେ ଆଲୋଚନା କରିଥିଲେ। ଏହି ଜଳ ଯୋଗାଣ ପ୍ରକଳ୍ପରୁ ଗ୍ରାମରେ ପ୍ରତ୍ୟେକ ଘରକୁ ଏଫ୍ଏଚଟିସି ମାଧ୍ୟମରେ ପାଇପ ସଂଯୋଗ ହୋଇଛି କି ନାହିଁ, ଗ୍ରାମରେ ରହିଥିବା ସମସ୍ତ ସରକାରୀ ଅନୁଷ୍ଠାନ ସ୍କୁଲ, ଅଙ୍ଗନବାଡି ସହିତ ମନ୍ଦିର ଇତ୍ୟାଦିରେ ମଧ୍ୟ ଟ୍ୟାପ ସଂଯୋଗ କରା ଯାଇଛି କି ନାହିଁ ସେ ସମ୍ପର୍କରେ ଆଲୋଚନା କରିବା ସହିତ ଜଳର କିପରି ସଦବ୍ୟବହାର ହୋଇ ପାରିବ ସେ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପରିଶେଷରେ ଗ୍ରାମବାସୀ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପାଉ ଥିବାର ଜାଣିବା ପରେ ଆଜି ଠାରୁ ମହେଶ୍ୱରପୁର ଗ୍ରାମକୁ ହର ଘର ଜଳ ଗ୍ରାମ ରୂପେ ଘୋଷଣା କରି ଥିଲେ। ଏହି ସଭାରେ ଗ୍ରାମର ବହୁ ଭଦ୍ର ବ୍ୟକ୍ତି ତଥା ପୁରୁଷ, ମହିଳା ଉପସ୍ଥିତ ଥିଲେ।